୬ଶହ ଲୋକଙ୍କୁ ଗୋଟିଏ ନଳକୂପ

କୋରାପୁଟ,୧୨।୧(ସ୍ବ.ପ୍ର.): ରାଜ୍ୟ ଓ କେନ୍ଦ୍ର ସରକାର ପକ୍ଷରୁ ଗ୍ରାମାଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ମାତ୍ର ଏଥିରୁ ସୁଫଳ ଗ୍ରାମବାସୀ ଠିକ ଭାବେ ପାଇପାରୁନାହାନ୍ତି। ସେହିପରି ଅବସ୍ଥା ଦେଖିବାକୁ ମିଳିଛି କୋରାପୁଟ ବ୍ଲକ ପଦ୍ମପୁର ପଞ୍ଚାୟତର ୧୫ ନଂ. ଓ୍ବାର୍ଡର ପରଜାଲିମକା ଗ୍ରାମରେ। ଏହି ଗ୍ରାମରେ ୯୦ଟି ପରିବାରର ପ୍ରାୟ ୬ଶହ ଲୋକ ବସବାସ କରନ୍ତି। ଅଧିକାଂଶ ହେଉଛନ୍ତି ଆଦିବାସୀ ପରଜା ସମ୍ପ୍ରଦାୟର। ଏତେ ଲୋକଙ୍କ ପାଇଁ ଗ୍ରାମରେ ୩ଟି ନଳକୂପ ଖନନ ହୋଇଥିଲା। ୨ଟି ଦୀର୍ଘବର୍ଷ ହେଲା ଅଚଳ ହୋଇପଡିଥିବା ବେଳେ ଏବେ ଗୋଟିଏ ନଳକୂପ ଗ୍ରାମବାସୀଙ୍କ ଭରସା। ଦିନ ରାତି ଗ୍ରାମବାସୀ ଏଠାରେ ପାଣି ନେବାକୁ ପାଇଁ ଭିଡ ଜମାଇଥାନ୍ତି। ତେବେ ସେଠାରୁ ଗ୍ରାମବାସୀଙ୍କ ଆବଶ୍ୟକତା ମୁତାବକ ପାନୀୟ ଜଳ ମିଳେନାହିଁ। ଫଳରେ ସେମାନେ ଗ୍ରାମ ଉପକଣ୍ଠରେ ଥିବା ଏକ ଚୁଆ ପାଣି ଉପରେ ନିର୍ଭର କରିଥାନ୍ତି। ୧୦ ବର୍ଷ ତଳେ ଗ୍ରାମରେ ପାନୀୟ ଜଳ ଯୋଗାଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏହି ଚୁଆ ନିକଟରେ ଏକ କୁଣ୍ଡ ନିର୍ମାଣ କରାଯାଇ ସେହି ସ୍ଥାନରେ ଏକ ମୋଟର ବସାଇ ଲୋକଙ୍କୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଥିଲା। ମାତ୍ର ଏହି ପ୍ରକଳ୍ପ ଆରମ୍ଭର କିଛି ମାସ ପରେ ମୋଟରଟି ଚୋରି ହୋଇଯାଇଥିଲା। ସେବେଠାରୁ ଏହି ଜଳ ଯୋଗାଣ ପ୍ରକଳ୍ପ ଠପ ହୋଇ ରହିଛି ବୋଲି ଗ୍ରାମର ନାୟକ ନବିନା ନାରଙ୍ଗିଆ ଓ ରାମ ମାଝି କହିଛନ୍ତି। ଏହି ଚୁଆ ପାଣିକୁ ଆମେ ଗାଧୋଇବା ଏବଂ ବାସନ ମାଜିବା ଆଦି କାର୍ଯ୍ୟରେ ବ୍ୟବହାର କରିଥାଉ ବୋଲି କହନ୍ତି ଗ୍ରାମର ଭଗବତୀ ମାଝି ା ଏହି ଚୁଆ ସ୍ଥାନଟି ଗୋଡାଣିଆ ହୋଇଥିବାରୁ ଅଧିକାଂଶ ସମୟରେ ପାଣି ନେଇ ଯିବା ବେଳେ ଗ୍ରାମବାସୀ ଗୋଡ ଖସି ପଡିଯାଇ ଆହତ ହୋଇଥାନ୍ତି। ଗ୍ରାମରେ ଥିବା ୨ ଟି ଅଚଳ ନଳକୂପକୁ ମରାମତି କରିବା ପାଇଁ ଗ୍ରାମବାସୀ ପଞ୍ଚାୟତ ସହ ବ୍ଲକ ପ୍ରଶାସନକୁ ଅନେକ ଥର ଜଣାଇବା ସତ୍ୱେ କିଛି ସୁଫଳ ମିଳିନାହିଁ। ଗ୍ରାମବାସୀଙ୍କ ମୁଖ୍ୟ ଜିବିକା ଚାଷ ହୋଇଥିଲେ ମଧ୍ୟ ପାଣି ସୁବିଧା ନ ଥିବାରୁ ବର୍ଷା ଦିନ ଛାଡିଦେଲେ ଅନ୍ୟ ମାସରେ ଜମି ପଡିଆ ପଡିଥାଏ। ଗ୍ରାମରେ ପାନୀୟ ଜଳ ସଙ୍କଟ ନେଇ ୱାଡମେମ୍ବର ସନ୍ତୋଷ ରାଓଙ୍କୁ ପଚାରିବାରୁ ସେ କହିଲେ ଯେ, ଗ୍ରାମବାସୀଙ୍କ ପାଣି ସମସ୍ୟା ନେଇ ସେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଓ କୋରାପୁଟ ପଞ୍ଚାୟତ ସମିତିକୁ ବାରମ୍ବାର ଅବଗତ କରାଇଛନ୍ତି। ଏଥିପ୍ରତି ଅଧିକାରୀମାନେ ଗୁରୁତ୍ୱ ଦେଇନାହାନ୍ତି ବୋଲି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବିଡିଓ ନରେନ୍ଦ୍ର ନାୟକଙ୍କୁ ପଚାରିବାକୁ ଫୋନ କରାଯାଇଥିଲେ ମଧ୍ୟ ସେ ଉଠାଇ ନଥିଲେ ।