ଦୁଷ୍ମନ୍ତଙ୍କ ଅନ୍ୟତମ ସହଯୋଗୀ ନୟାଗଡ଼ରୁ ଗିରଫ

ଭୁବନେଶ୍ୱର,୧୪ା୫ (ବ୍ୟୁରୋ): ବିଭିନ୍ନ ଟେଲିକମ୍‌ କମ୍ପାନୀର ସିମ୍‌ କାର୍ଡକୁ ପ୍ରି-ଆକ୍ଟିଭେଟ୍‌ କରି ଉକ୍ତ ନମ୍ବରକୁ ସାଇବର ଠକଙ୍କୁ ଯୋଗାଣ ମାମଲାରେ ମାଷ୍ଟରମାଇଣ୍ଡ ଦୁଷ୍ମନ୍ତ ସାହୁଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଶୁକ୍ରବାର ସରିଛି। ଏହାପରେ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ତେବେ ୪ଦିନର ପଚରାଉଚରା ବେଳେ କ୍ରାଇମ୍‌ବ୍ରାଞ୍ଚ କିଛି ନୂଆ ତଥ୍ୟ ପାଇବା ସହ ତାଙ୍କ ବୟାନ ଆଧାରରେ ଆଉଜଣେ ଅଭିଯୁକ୍ତ ତଥା ତାଙ୍କ ସହଯୋଗୀଙ୍କୁ ନୟାଗଡ଼ରୁ ଗିରଫ କରିଛି। ସେ ହେଲେ ନୟାଗଡ଼ ଜିଲା ସଦର ଥାନା ବେଗୁନିଆପାଟଣା ଅଞ୍ଚଳର ଜ୍ଞାନରଞ୍ଜନ ସାହୁ(୨୪)। ଶୁକ୍ରବାର କଟକ ଜେଏମ୍‌ଏଫ୍‌ସି କୋର୍ଟରେ ଅଭିଯୁକ୍ତ ଜ୍ଞାନରଞ୍ଜନଙ୍କୁ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
କ୍ରାଇମବ୍ରାଞ୍ଚର ସୂଚନା ଅନୁଯାୟୀ, ଅଭିଯୁକ୍ତ ଜ୍ଞାନରଞ୍ଜନ ପୂର୍ବରୁ ଏୟାରଟେଲ କମ୍ପାନୀରେ ଷ୍ଟୋର ବୟ ଭାବେ ଚାକିରି କରୁଥିଲେ। ସେହି ସମୟରେ କିପରି ସିମ୍‌ ଖୋଲା ଯାଉଥିଲା ସେ କୌଶଳ ଶିଖିଥିଲେ। ସେଠାରେ ଚାକିରି ଛାଡ଼ିବା ପରେ ମାଷ୍ଟରମାଇଣ୍ଡ ଦୁଷ୍ମନ୍ତଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ସେ ବିଭିନ୍ନ ଲୋକଙ୍କଠାରୁ ଭୋଡ଼ାଫୋନ୍‌ ସିମ୍‌ ସଂଗ୍ରହ କରି ଦୁଷ୍ମନ୍ତଙ୍କୁ ବିକ୍ରି କରୁଥିଲେ। ଗୋଟିଏ ସିମ୍‌ ପ୍ରତି ସେ ୧୪୦ ଟଙ୍କା ନେଉଥିଲେ। ଏପରି କି ସେ ଦୁଷ୍ମନ୍ତଙ୍କୁ ୯ ହଜାର ୬୦୦ରୁ ଅଧିକ ସିମ୍‌ ବିକ୍ରି କରିଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି। ଏଥିସହ ସମ୍ପୃକ୍ତ ଅନ୍ୟମାନଙ୍କୁ ମଧ୍ୟ ଧରିବାକୁ ଉଦ୍ୟମ ଜାରି ରହିଥିବା ସୂଚନା ଦିଆଯାଇଛି।