Posted inଫୁରସତ

ଦିନେ ଥିଲେ ଚର୍ଚ୍ଚାରେ…ଏବେ କେଉଁଠି

ଦିନ ଥିଲା ଶିଶୁଧାବକ ତଥା ବିସ୍ମୟବାଳକ ବୁଦ୍ଧିଆ ସିଂଙ୍କୁ ନେଇ ରାଜ୍ୟ ତଥା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। କେବଳ ବୁଦ୍ଧିଆ ନୁହନ୍ତି ତାଙ୍କ ପରି ଆହୁରି ଅନେକ ଶିଶୁଧାବକ ବି ସେମିତି ଚର୍ଚ୍ଚାରେ ରହିଥିଲେ। କିନ୍ତୁ ଆଜି ବୁଦ୍ଧିଆଙ୍କ ପରି ସେମାନେ ବି ଏବେ ଚାଲି ଯାଇଛନ୍ତି ଦୃଷ୍ଟି ଆଢୁଆଳରୁ। ତେବେ କେଉଁଠି ଅଛନ୍ତି ସେମାନେ ଆଉ କ’ଣ କରୁଛନ୍ତି ଏହି କଥା ସମସ୍ତଙ୍କ ମନରେ ଆସିଥାଏ। ଏତେ ପ୍ରତିଭାବାନ୍‌ ଦୌଡାଳୀ ହୋଇ ବି କାହିଁକି ସେମାନେ ଦୂୂରେଇଗଲେ ଦୌଡରୁ। କେଉଁ ପରିସ୍ଥିତି ସେମାନଙ୍କୁ ବାଧ୍ୟ କଲା ଦୂରେଇ ଯିବାପାଇଁ, ତାକୁ ନେଇ ଏଥରର ପ୍ରଚ୍ଛଦ…

ରାଜ୍ୟ ସରକାର କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ଦେଇ ଆସୁଛନ୍ତି; ଯେଉଁଥିପାଇଁ ବହୁ କ୍ରୀଡ଼ାବିତ୍‌ ଆଜି କ୍ରୀଡ଼ା ସହ ବିଭିନ୍ନ କ୍ଷେତ୍ରରେ ମଧ୍ୟ କାମ କରୁଛନ୍ତି। କିନ୍ତୁ ଏଭଳି କେତେଜଣ କ୍ରୀଡ଼ାବିତ୍‌ ରହିଛନ୍ତି, ଯେଉଁମାନେ କ୍ରୀଡ଼ା କ୍ଷେତ୍ରରେ ବହୁ କୀର୍ତ୍ତିମାନ ରଚିଥିଲେ ସୁଦ୍ଧା ପରିସ୍ଥିତି ଆଉ ଆବଶ୍ୟକ ପ୍ରୋତ୍ସାହନ ଅଭାବରୁ ସେମାନେ କ୍ରୀଡ଼ାରୁ ମୁହଁ ଫେରାଇ ନେଇଛନ୍ତି। ସେମିତି କେତେଜଣ ଧାବିକା ଓ ଧାବକଙ୍କ ସମ୍ପର୍କରେ ….

ଅଦମ୍ୟ ଇଚ୍ଛା, ଅଧୁରା ସ୍ବପ୍ନ
”ବୁଦ୍ଧିଆ ସିଂ ଛୋଟପିଲାଟିଏ, ସେ ଦୌଡ଼ିପାରିଲା ମୁଁ କାହିଁକି ପାରିବି ନାହିଁ।“ ଏହିକଥା ସେତେବେଳେ ଜଣେ ୬ବର୍ଷର ବାଳକକୁ ବାରମ୍ବାର ଆନ୍ଦୋଳିତ କରୁଥିଲ। ଇଏ ହେଲେ ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଅଧୀନ ଆଙ୍କୁଲି ନୂଆସାହି ଅଞ୍ଚଳର ପଦ୍ମଚରଣ ମଣ୍ଡଳଙ୍କ ପୁଅ ମୃତ୍ୟୁଞ୍ଜୟ ମଣ୍ଡଳ (ଆକାଶ)। ଆକାଶଙ୍କ ପରିବାର କହିଲେ ବାପା, ମା, ୨ ଭଉଣୀ ଓ ଗୋଟିଏ ଭାଇ। ଦିନ ଥିଲା ଆକାଶ ଜଣେ କୁନି ଧାବକ ଭାବେ ରାଜ୍ୟରେ ପରିଗଣିତ ହେଉଥିଲେ। କେବଳ ଜିଲା ନୁହେଁ ଜାତୀୟ ସ୍ତରରେ ମଧ୍ୟ ସୁନାମ ଅର୍ଜନ କରିଥିଲେ। ତାଙ୍କର ସଫଳତା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ତରଫରୁ ମଧ୍ୟ ସେ ପ୍ରଶଂସିତ ହୋଇଥିଲେ। ୪ ବର୍ଷ ବୟସରୁ ହିଁ ଆକାଶଙ୍କର ଦୌଡ଼ିବା ପ୍ରତି ଆଗ୍ରହ ରହିଥିଲା ଓ ସେ ୫ ବର୍ଷ ବୟସରେ ଦୌଡ଼ିବା ଆରମ୍ଭ କଲେ। ଏଥିରେ ତାଙ୍କର ବାପା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ପ୍ରଥମେ ପ୍ରଥମେ ଘରଠାରୁ ବ୍ରହ୍ମପୁର ଷ୍ଟାଡିୟମ ଯାଏ ଦୌଡି ଦୌଡି ଯାଉଥିଲେ। ଷ୍ଟାଡିୟମରେ ପହଞ୍ଚତ୍ବା ପରେ ସେ ୧ ଘଣ୍ଟା ମଧ୍ୟରେ ୨୦ ରାଉଣ୍ଡ ଦୌଡ଼ୁଥିଲେ। ୨୦୦୬-୭ରେ ପ୍ରଥମ କରି ସେ ବ୍ରହ୍ମପୁରଠାରୁ କାଳୁଆ ଯାଏ ପ୍ରାୟ ୨୩ କିଲୋମିଟର ଦୌଡ଼ିଥିଲେ। ଏମିତି ଅଭ୍ୟାସ ପାଇଁ ବ୍ରହ୍ମପୁର ଷ୍ଟାଡିୟମରେ ସେ ଦୌଡ଼ିବା ବେଳେ ଆଥଲେଟିକ୍‌ କୋଚ୍‌ ସୁରେନ୍ଦ୍ର ପଟ୍ଟନାୟକଙ୍କ ନଜରକୁ ଆସିଥିଲେ। ଏହାପରେ କୋଚ୍‌ ତାଙ୍କ ବାପାଙ୍କୁ ଡାକି ତାଙ୍କୁ ପ୍ରଶିକ୍ଷଣ ଦେବାକୁ ଚାହୁଁଛନ୍ତି ବୋଲି କହିଥିଲେ। ଆକାଶ ଭୋର ୪ଟାରୁ ଉଠି ପେସ୍ତାବାଦାମ ଖାଇବା ପରେ ଘରୁ ବ୍ରହ୍ମପୁର ଷ୍ଟାଡିୟମକୁ ଦୌଡ଼ିବାକୁ ଯାଉଥିଲେ। ସେଠାରୁ ଆସିବା ପରେ ଗୁଡ ସହ ଗଜାମୁଗ ଓ ବୁଟ ଖାଉଥିଲେ। ଆଙ୍କୁଲି ପ୍ରାଥମିକ ସ୍କୁଲରେ ପ୍ରଥମ ଶ୍ରେଶୀରେ ପାଠ ପଢୁଥିଲେ। ସ୍କୁଲ ଛୁଟି ହେବା ପରେ ଅପରାହ୍ନରେ ଷ୍ଟାଡିୟମକୁ ଯାଇ ସେ ଦୌଡ଼ ଅଭ୍ୟାସ କରୁଥିଲେ। ସମୟକ୍ରମେ ୧ ଘଣ୍ଟା ମଧ୍ୟରେ ୧୫ କିଲୋମିଟର ଦୌଡ଼ିଲେ। ଥରେ ଗୋଡ଼ରେ ଆଘାତ ଲାଗିଥିଲେ ବି ସେ ଦୌଡ଼ିବା ବନ୍ଦ କରି ନଥିଲେ। ଭୈରବୀରୁ ବ୍ରହ୍ମପୁର, ଜଳେଶ୍ୱରଠାରୁ ପଶ୍ଚିମେଶ୍ୱର ଦୌଡିଥିଲେ। ଆକାଶଙ୍କ ସଫଳତାକୁ ନେଇ ବହୁ ସଂଗଠନ ଓ କମ୍ପାନୀ ସହାୟତାର ହାତ ବଢ଼ାଇଥିଲେ। ଆକାଶଙ୍କୁ ସେ ସମୟର ବ୍ରହ୍ମପୁର ଏମ୍‌ପିଙ୍କ ସହଯୋଗରେ ୟୁଏନ୍‌ଜିସି ନାମକ କମ୍ପାନୀ ପକ୍ଷରୁ ୩୬ ହଜାର ଟଙ୍କା ସହାୟତା ମିଳିଥିଲା। ଏଥିସହ ଛତ୍ରପୁର ଆଇଆର୍‌ଇ କମ୍ପାନୀ ପକ୍ଷରୁ ମଧ୍ୟ ଆର୍ଥିକ ସହଯୋଗ ମିଳିଥିଲା। ଏପରିକି ତାଙ୍କ କୋଚ୍‌ ମଧ୍ୟ ଆକାଶଙ୍କୁ ଲୋକଲୋଚନକୁ ଆଣିବା ନିମନ୍ତେ ନିଜସ୍ବ ଉଦ୍ୟମରେ ବହୁ ମାରାଥନ କାର୍ଯ୍ୟକ୍ରମ କରିଥିଲେ। ଆକାଶଙ୍କୁ ମୁମ୍ବାଇ ରାଷ୍ଟ୍ରୀୟ ଯୁବ ଓଡ଼ିଆ ପ୍ରତିଷ୍ଠାନର ଶ୍ରୀକାନ୍ତ ପଟ୍ଟନାୟକ ଏକ ଶାନ୍ତି ବାର୍ତ୍ତା କାର୍ଯ୍ୟକ୍ରମରେ ଦୌଡିବା ପାଇଁ ନିମନ୍ତ୍ରଣ କରିଥିଲେ। ଏଥିରେ ଆକାଶ ମୁମ୍ବାଇ କଲ୍ୟାଣୀଠାରୁ ଗେଟ୍‌ ୱେ ଅଫ୍‌ ଇଣ୍ଡିଆ ଯାଏ ୮୦କିଲୋମିଟର ଦୌଡ଼ିଥିଲେ। ଏଥିପାଇଁ ସେ ଜାତୀୟ ସ୍ତରରେ ଜଣେ ପ୍ରତିଭାବାନ୍‌ କୁନି ଧାବକ ଭାବେ ସୁନାମ ଅର୍ଜନ କରିଥିଲେ। ପରେ ହିନ୍ଦୀ ହଙ୍ଗାମା ଟିଭିର ମାରାଥନ ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ପାଇ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ହେଉଥିବା ମାରାଥନରେ ସେ ଭାଗ ନେବାର ସୁଯୋଗ ପାଉଥିଲେ। ଆକାଶଙ୍କ ବାପା ଜଣେ ଆୟୁର୍ବେଦିକ ଚିକତ୍ସକ ଭାବେ କାର୍ଯ୍ୟ କରୁଥିଲେ। ଆର୍ଥିକ ଅବସ୍ଥା ବିଶେଷ ସ୍ବଚ୍ଛଳ ନ ଥିବାରୁ ଆକାଶଙ୍କୁ କ୍ରୀଡ଼ା ଛାତ୍ରାବାସରେ ପ୍ରଶିକ୍ଷଣ ପାଇଁ ସେ ସରକାରଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ୨୦୦୮ମସିହାରେ କୌଣସି କାରଣରୁ ରାଜ୍ୟ ସରକାର ଶିଶୁ ଧାବକଙ୍କ ପ୍ରତି କଟକଣା ଜାରି କରିଥିଲେ। ଏଥିଯୋଗୁ ସେ ଦୌଡ଼ରୁ ଓହରି ଯାଇଥିଲେ। ମାଟ୍ରିକ ପାସ୍‌ ପରେ ଆକାଶ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ପାଠ ପଢିଥିଲେ। ପରେ ଆମ୍ବପୁଆ ସିଟି କଲେଜରେ ଡିଗ୍ରୀ କରିବା ସମୟରେ ସେ ଇଲେକ୍ଟ୍ରିସିଆନ କାର୍ଯ୍ୟ ଶିଖିଲେ ଓ ପରେ ସେ ଜଣେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କଲେ। ଠିକ୍‌ ସମୟରେ ପ୍ରୋତ୍ସାହନ ଓ ଆର୍ଥିକ ଅଭାବରୁ ଧାବକ ହେବା ବଦଳରେ ଆକାଶ ଏବେ ଜଣେ ଇଲେକ୍ଟ୍ରିସିଆନ।

ଆଶାରେ ଅଟକିଛନ୍ତି ରାଜେଶ୍ୱରୀ
ଦିନଥିଲା, ଛୋଟ ଝିଅଟି ତା’ର କୁନି କୁନି ପାଦରେ ବେଶ୍‌ ଦୌଡ଼ୁଥିଲା। ଯେତେବେଳେ ତାକୁ ଥିଲା ମାତ୍ର ୪ ବର୍ଷ। ୨୦୦୬ ମସିହାରେ କୁଆଁସ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ବେଳେ ଅକ୍ଟୋବର ୧୮ତାରିଖରେ ସେ ଭଦ୍ରକରୁ ପ୍ରାୟ ୪୦ କିମି ଦୂର ଆଖଣ୍ଡଳମଣି ପୀଠକୁ ମାତ୍ର ୫ ଘଣ୍ଟାରେ ଦୌଡ଼ି ଦୌଡ଼ି ପହଞ୍ଚତ୍ଥିଲେ। ତାଙ୍କର ଏହି ମାରାଥନ୍‌ ଦୌଡ଼ ପାଇଁ ସେତେବେଳେ ସେ ବେଶ୍‌ ଚର୍ଚ୍ଚାରେ ଥିଲେ। ପରେ ଟିମ୍‌ ଇଣ୍ଡିଆର ସଫଳତା ପାଇଁ ୨୦୦୭ମସିହା ମାର୍ଚ୍ଚ ୧୧ ତାରିଖରେ ପୋଲିସ ପ୍ରଶାସନର ବାରଣ ସତ୍ତ୍ୱେ ଭଦ୍ରକରୁ ଯାଜପୁରସ୍ଥିତ ବିରଜା କ୍ଷେତ୍ରର ୫୮ କିମି ରାସ୍ତାକୁ ପ୍ରାୟ ୮ ଘଣ୍ଟାରେ ଦୌଡ଼ିିଥିଲେ ଏହି କୁନି ଧାବିକା ରାଜେଶ୍ୱରୀ ଦାସ। ଘର ଭଦ୍ରକ ସହର ଅନ୍ତର୍ଗତ କୁଆଁସ ଗ୍ରାମରେ। ପିତା ବୈକୁଣ୍ଠ ଦାସ ଓ ମାତା ସଙ୍ଗୀତାରାଣୀ ଦାସ। ତାଙ୍କ ପିତା ପୋଲିସ ବିଭାଗରେ କାର୍ଯ୍ୟରତ ଥିବା ବେଳେ ମା’ ଜଣେ ଗୃହିଣୀ । କିନ୍ତୁ ସ୍କୁଲ ବୟସରେ ରାଜେଶ୍ୱରୀ ନିଜର ଅସାଧାରଣ ପ୍ରତିଭା ପାଇଁ ତକତ୍ାଳୀନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ, ଉପରାଷ୍ଟ୍ରପତି ଭୈରୋସିଂ ଶେଖାୱତ୍‌, ଓଡ଼ିଶାର ତତ୍କାଳୀନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କଠାରୁ ସମ୍ମାନିତ ହୋଇଥିଲେ। ଯେତେବେଳେ ତାଙ୍କୁ ୬ ବର୍ଷ ସେତେବେଳେ ସେ ରାଜ୍ୟସ୍ତରରୁ ଆରମ୍ଭ କରି ବିଦେଶରେ ମଧ୍ୟ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିଲେ। ବହୁ ପୁରସ୍କାର ଓ ପ୍ରମାଣପତ୍ର ହାସଲ କରିଥିଲେ। ୨୦୦୮ରେ ପଶ୍ଚିମବଙ୍ଗରେ ଅଲିମ୍ପିକ କ୍ରୀଡ଼ା ଆସୋସିଏଶନ ପକ୍ଷରୁ କୋଲକାତା ସ୍ଥିତ ହାଓ୍ବଡ଼ା ମଇଦାନରେ ତାଙ୍କର ଅସାଧାରଣ ପ୍ରତିଭା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ପଶ୍ଚିମବଙ୍ଗର ମେଦିନାପୁର ଜିଲାର ବେଲଦାଠାରେ ୧୮ କିମି ଦୌଡ଼ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏବେ ସେ ଜଣେ ସାବାଳିକା ଉଚ୍ଚଶିକ୍ଷିତା ଯୁବତୀ। ରାଜେଶ୍ୱରୀଙ୍କ ପାଠପଢ଼ା ଜାରି ରହିଥିବା ବେଳେ ଏବେ ଅଧିକ ସମୟ ପଢ଼ାରେ ଧ୍ୟାନ ଦେଉଥିବା ଯୋଗୁ କୌଣସି ପ୍ରତିଯୋଗିତାରେ ଭାଗ ନେଉନାହାନ୍ତି। କେବଳ ନିଜର ଫିଟ୍‌ନେସ୍‌ ରଖିବା ପାଇଁ ଦୌଡ଼ ଜାରି ରଖିଥିବା କହିଛନ୍ତି।
ସୁଯୋଗ ଅପେକ୍ଷାରେ ସୌମେନ୍ଦ୍ର- ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଅଲଣ୍ଡା ଗ୍ରାମପଞ୍ଚାୟତ ଅଧୀନ ଯମୁନା ଗ୍ରାମର ବାସିନ୍ଦା ହେଲେ ବସନ୍ତ ସାହୁ। ତାଙ୍କର ପୁଅ ସୌମେନ୍ଦ୍ର। ତାଙ୍କ ଜନ୍ମ ୭ା୧ା୨୦୧୪ ମସିହାରେ। କିନ୍ତୁ ସୌମେନ୍ଦ୍ରଙ୍କ ମାତା ରଶ୍ମିତା ସାହୁ କୁହନ୍ତ, ଚାଲିବା ବୟସ ପୂର୍ବରୁ ସେ ଚାଲିବା ପାଇଁ ଖୁବ୍‌ ଚଞ୍ଚଳ ହୋଇପଡ଼ୁଥିଲେ। ସେ ପ୍ରଥମ ଶ୍ରେଣୀରୁ ହିଁ ଗାଁଦାଣ୍ଡରେ ଦୌଡ଼ିବାକୁ ଲାଗିଥିଲା। ସେହି ଦିନଠାରୁ ସେ ଆଉ ପଛକୁ ଫେରିନାହାନ୍ତି। ପ୍ରାୟ ୫ ବର୍ଷ ବୟସରେ ସେ ଲଗାତର ୩ କି.ମି. ଦୂର ଧାଉଁଥିଲେ । ତାଙ୍କ ଦୌଡ଼ାକୁ ଦେଖି ସେହି ଗ୍ରାମର ଜଣେ ଯୁବକ ନାଲୁ କିଶୋର ବିଶ୍ୱାଳ ତାଙ୍କୁ ଦୌଡ଼ିବାର କିଛି ସୂତ୍ର କହି ଏଯାଏ ସେ ତାଙ୍କର କୋଚ୍‌ ଭଳି କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ସୌମେନ୍ଦ୍ର ୪ର୍ଥ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । ମାତ୍ର ନିଜ ଗ୍ରାମଠାରୁ ପ୍ରାୟ୨୫ କି.ମି. ଜହ୍ନିକୁଦ ଏବଂ ନନ୍ଦଳା ଯାଏ ୨୫ କି.ମି. ଦୌଡ଼ିବା ଜାରି ରଖିଛନ୍ତି । ଏମିତି ଦୌଡ଼ିବାରେ ତାଙ୍କୁ ପିତା, ମାତା ଉତ୍ସାହିତ କରୁଥିବା କହିଛନ୍ତି । ପୁରୀ ଜିଲା ଗୋମୁଣ୍ଡିଆ ଗ୍ରାମପଞ୍ଚାୟତରେ ୭୧ ତମ ସାଧାରଣ ତନ୍ତ୍ର ଦିବସ ଅବସରରେ ସୌମେନ୍ଦ୍ରଙ୍କୁ ଏଥିପାଇଁ ପ୍ରମାଣପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା । ୨୦୨୦ ମସିହାରେ ଯାଜପୁରରେ ବ୍ୟାସ ନଗର ପୌରପାଳିକା ତରଫରୁ ବ୍ୟାସ ମାରାଥନ ସ୍ବତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା । ୨୦୨୧ରେ ଶିଶୁ ସାହିତ୍ୟ ଲେଖକ ସମ୍ମେଳନ ଓଡ଼ିଶା ତରଫରୁ କଟକରେ ବିଂଶତମ ସମାବର୍ତ୍ତନ ଉତ୍ସବରେ ମିହିରସେନ ସାହସିକ ସମ୍ମାନ ପାଇଥିଲେ । ପୁରୀ ଜିଲା ଆଳୁପାଟଣାଠାରେ ଆୟୋଜିତ ଦଶମ ପ୍ରତିଭା ସମାବେଶରେ ସମ୍ମାନିତ ହୋଇଥିଲେ। ସେ ଏବେ ଗାଁ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଥିବା ବେଳେ ଖେଳିବା ପରିବେଶ ନାହିଁ । ତେଣୁ ସେ ସରକାରଙ୍କ କ୍ରୀଡ଼ା ବିଦ୍ୟାଳୟରେ ପଢିବା ପାଇଁ ଇଚ୍ଛା ପ୍ରକାଶ କରିଥିବା ବେଳେ ଆର୍ଥିକ ସଙ୍କଟ ଯୋଗୁ ତାଙ୍କ ପାଦ ଅଟକି ଯାଉଛି। ଏ ନେଇ କୃଷ୍ଣପ୍ରସାଦ ବିଡିଓ ମନୋଜ କୁମାର ନାୟକ କହିଛନ୍ତି, ଜିଲାପାଳଙ୍କୁ କହି ବ୍ୟବସ୍ଥା କରିଯିବ। ଜିଲାପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ କହିଛନ୍ତି, ସୌମେନ୍ଦ୍ର କିଭଳି କ୍ରୀଡ଼ା ବିଦ୍ୟାଳୟରେ ଶିକ୍ଷାଲାଭ କରିବେ ସେ ବ୍ୟବସ୍ଥା କରାଯିବ।

ଅଭାବ ଥିଲା କିନ୍ତୁ ପ୍ରୋତ୍ସାହନ ମିଳିଲାନି: ମୋର ଯାହା ମନେପଡ଼ୁଛି ସେ ଦିନଥିଲା ୨୦୦୬ ଅକ୍ଟୋବର ୭ ତାରିଖ। ପାଖ ଖେଳପଡ଼ିଆରେ ସକାଳ ପ୍ରାୟ ୫ଟାରୁ ସନ୍ଧ୍ୟା ୫ଟା ଯାଏ ଦିନ ତମାମ ଅବିରାମ ଗତିରେ ୮୫କିମି ଦୌଡ଼ିଥିଲି । ପୁଣି ପୁରୀରୁ ଭୁବନେଶ୍ୱର ପ୍ରାୟ ୬୫ କିମି ଦୌଡ଼ିଥିଲି ବୋଲି କୁହନ୍ତି ଦିଲୀପ ରଣା । ସେ କୁହନ୍ତି ମୋ ବାପା ଲକ୍ଷ୍ମୀଧର ରଣା, ବୋଉ ଲତା ରଣା। ଆମ ଘର ପୁରୀ ଜିଲାର ପିପିଲିରେ। ଏକ ଗରିବ ପରିବାରରେ ୧୯୯୭ରେ ମୋର ଜନ୍ମ । ସ୍କୁଲ ବୟସରୁ ଏକାଧିକ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ହାସଲ କରିଥିଲି। ବାପା ଫୁଟ୍‌ପାଥ୍‌ରେ ଜଳଖିଆ ଦୋକାନଟିଏ ଦେଇଥିବାରୁ ସେଥିରୁ ଯାହା ରୋଜଗାର ହୁଏ ଘରଚଳେ। ଘରେ ବଡ଼ଭାଇ ଏବେ ମିସ୍ତ୍ରୀ କାମ କରୁଛନ୍ତି ଓ ମଝିଆ ଭାଇ ଦିବ୍ୟାଙ୍ଗ। ବାପମା’ଙ୍କ କଥା ବୁଝିବି ପୁଣି ଗୁରୁ ଶେକ୍‌ ଜାକିରଙ୍କ ଦେହ ଅସୁସ୍ଥ ଯୋଗୁ ତାଙ୍କୁ ବି କିଛି ସାହାଯ୍ୟ କରୁଥିଲି । ହେଲେ ପେଟ ପାଇଁ ଅଧିକ ଚିନ୍ତା ଘାରିଲା। ପରିସ୍ଥିତି ବାଟ ଓଗାଳିଲା। ଏଥିପାଇଁ କେହି ପ୍ରୋତ୍ସାହନ ଦେଲେନି, ବାଧ୍ୟହୋଇ ଅଟକିଗଲି। ପ୍ରତିଦିନ କଲେଜରୁ ଫେରି ମିସ୍ତ୍ରୀକାମ କରି ଦୁଇପରିବାର ଚଳାଇଥିଲି। ପ୍ରତିଭାର ବିକାଶ ପାଇଁ ଅନେକଥର ବିଭିନ୍ନ ବିଭାଗୀୟ ମନ୍ତ୍ରୀ ଓ କର୍ତ୍ତୃପକ୍ଷଙ୍କୁ ଭେଟି ଦୁଃଖ ଜଣାଇଥିଲି । ସେତେବେଳେ ସେମାନଙ୍କଠାରୁ କେବଳ ମିଠା ମିଠା ଭୁଲାଣିଆ ପ୍ରତିଶ୍ରୁତି ମିଳିଲା କିନ୍ତୁ ମୋ ପ୍ରତିଭାର ବିକାଶ ପାଇଁ ବାସ୍ତବରେ କେହି ସାହାଯ୍ୟ କରିପାରିଲେ ନାହିଁ । ଟିକେ ଅଟକିଗଲି ତଥାପି ମନରେ ଥାଏ ଦୌଡ଼ିବାର ନିଶା। ମାତ୍ର ପରିବାରର ଆର୍ଥିକ ଅଭାବ ଥିଲେ ମଧ୍ୟ ଘୋର ଅସୁବିଧାର ସମ୍ମୁଖୀନ ହୋଇ ପିପିଲି କଲେଜରେ ଯୁକ୍ତ ୨ ଯାଏ ପାଠ ପଢିଲି । ୨୦୦୬ରୁ ୨୦୧୧ ମଧ୍ୟରେ ଦୌଡ଼ ପ୍ରତି ସରକାରୀସ୍ତରରେ ସେମିତି କିଛି ସୁବିଧା ସୁଯୋଗ ନ ମିଳିବାରୁ ଏଥିପ୍ରତି ଆଗ୍ରହ କମିିଗଲା। ପରିବାରର ରୋଜଗାର ପାଇଁ୨୦୧୨ରେ ଚେନ୍ନାଇ ପଳାଇ ସେଠାରେ ହୋଟେଲ କାମ ଶିଖିଲି। ୨୦୧୫ରେ ଗାଁକୁ ଫେରିଲି । ତା’ପରେ ପୁରୀରେ ଏକ ଘରୋଇ ହୋଟେଲରେ କୁକ୍‌ ଭାବେ କାର୍ଯ୍ୟକରୁଛି। ଏଥିରୁ ମିଲୁଥିବା ପାରିଶ୍ରମିକ ଘରକୁ ଦେଉଛି। ଆଉ ଦୌଡ଼ିବାକୁ ଇଚ୍ଛା ନାହିଁ, କାରଣ ଯେଉଁ ସମୟରେ ଆଗ୍ରହଥିଲା ସେତେବେଳେ ପ୍ରୋତ୍ସାହନ ମିଳିଲା ନାହିଁ। ସେଥିପାଇଁ ଦୌଡ଼ିବାର ଆଶା ମନରୁ ମଉଳିଗଲା ଆଗ୍ରହ ବି କମିଗଲା। ଏବେ ପେଟପୋଷିବାକୁ ହୋଟେଲ ଶିଳ୍ପରେ କାର୍ଯ୍ୟକରୁଛି।

ଅଧୁରା ରହିଲା ଆନାସ୍ତାସିଆଙ୍କ ସ୍ବପ୍ନ। ଦିନେ ସ୍ବପ୍ନ ଦେଖିଥିଲେ ସେ ଜଣେ ଦୌଡରାଣୀ ହୋଇ ନାଁ କରିବାକୁ। ହେଲେ ପାରିପାଶର୍‌ବିକ ସ୍ଥିତି ଓ ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ଏବେ ହଜିଯାଇଛନ୍ତି ସେ ଦିନର ସେ କୁନି ଧାବିକା ଆନାସ୍ତାସିଆ। ପରିବାର ଜଞ୍ଜାଳ ଭିତରେ ହଜିଯାଇ ଏବେ କେବଳ ମନେପକାଉଛନ୍ତି ପିଲାବେଳର ଅଭୁଲା ସ୍ମୃତିକୁ। ସେତେବେଳେ ରାଉରକେଲାରୁ ସୁନ୍ଦରଗଡ଼ ପର୍ଯ୍ୟନ୍ତ ୧୦୫ କିଲୋମିଟର ରାସ୍ତା ଦୌଡି ରେକର୍ଡ କରିଥିଲେ। ସୁନ୍ଦରଗଡ ଜିଲା ସୀମାବର୍ତ୍ତୀ ପଡୋଶୀ ଜିଲା ସମ୍ବଲପୁର ବାମରା ବ୍ଲକ ବଣ ପାହାଡ଼ଘେରା ଟାଙ୍ଗରମୁଣ୍ଡା ସାଙ୍କୋବାହାଲ ଗ୍ରାମର ରୋବୋର୍ଟ ବାର୍ଲା ଓ ମା’ ପ୍ରିୟମ୍ବଦା ବାର୍ଲାଙ୍କ କନ୍ୟା ଆନାସ୍ତାସିଆ। ମା’ବାପାଙ୍କ ତିନିପୁଅ ଦୁଇ ଝିଅଙ୍କ ମଧ୍ୟରୁ ଆନାସ୍ତାସିଆ ତୃତୀୟ ସନ୍ତାନ। ଟାଙ୍ଗରମୁଣ୍ଡା ଗାଁ ସ୍କୁଲରେ ପଞ୍ଚମଶ୍ରେଣୀ ଯାଏ ପାଠ ପଢିବା ପରେ ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ପଞ୍ଚରା ପଞ୍ଚାୟତ କୁସୁମଡେଗୀ ବେଲଡିହିରେ ଥିବା ମାମୁ ମିଖେଲ ଲାକ୍ରାଙ୍କ ଘରକୁ ଚାଲି ଆସିଥିଲେ। ଏଠାରେ ସେ ପଞ୍ଚରା ହାଇସ୍କୁଲରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇଥିଲେ। ଛୋଟବେଳୁ ଆନାସ୍ତାସିଆଙ୍କ ଦୌଡକୁଦର ଆଗ୍ରହକୁ ଚିହ୍ନି ପାରି କୋଚ୍‌ ଡୋମିନିକ୍‌ ଲାକ୍ର ତାଙ୍କୁ ଆବଶ୍ୟକ ପ୍ରେରଣା ଓ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସେତେବେଳେ ତତ୍କାଳୀନ ବିଧାୟକ ଗ୍ରେଗୋରି ମିଞ୍ଜଙ୍କ ଉଦ୍ୟମରେ ରାଉରକେଲାରୁ ସୁନ୍ଦରଗଡ଼୧୦୫ କିଲୋମିଟର ରାସ୍ତା ମଧ୍ୟରୁ ଆନାସ୍ତାସିଆ ୭୨ କିଲୋମିଟର ରାସ୍ତା ଦୌଡି ସମସ୍ତଙ୍କ ମନ ଜିଣି ନେଇଥିଲେ। ଏହାପରେ ସୁନ୍ଦରଗଡରେ ଥିବା ରାଜ୍ୟ କ୍ରୀଡା ଛାତ୍ରାବାସ ପାଇଁ ମନୋନୀତ ହୋଇଥିଲେ । ହେଲେ ଆଥଲେଟ୍‌ ପରିବର୍ତ୍ତେ ହକି ପାଇଁ ସେ ମନୋନୀତ ହୋଇଥିଲେ। ଏଠାରେ ସେ ଦୁଇବର୍ଷ ରହିବା ସହ ଟାଉନ ହାଇସ୍କୁଲରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଲେ। କିନ୍ତୁ କୌଣସି କାରଣ ବଶତଃ ସେ ପୁଣି ଫେରିଯାଇଥିଲେ ନିଜ ମା’ବାପାଙ୍କ ପାଖକୁ। ସେଠାରେ ନିଜ ଗାଁ ଟାଙ୍ଗରମୁଣ୍ଡା ହାଇସ୍କୁଲରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ। ଜିଲା ସ୍ତରରେ ଓ ରାଜ୍ୟର ବିଭିନ୍ନ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନେଇ ଅନେକ ପୁରସ୍କାର ଲାଭ କରିବା ସହ ସୁନ୍ଦରଗଡ, ରାଉରକେଲା, ସମ୍ବଲପୁର, ଭୁବନେଶ୍ୱର ସମେତ ଅନେକ ସ୍ଥାନରେ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ମାନ ଓ ସମ୍ବର୍ଦ୍ଧନା ମିଳିଛି ତାଙ୍କୁ। କିନ୍ତୁ ପରବର୍ତ୍ତୀ ସମୟରେ ଆବଶ୍ୟକ ସରକାରୀ ପ୍ରୋତ୍ସାହନକୁ ଅପେକ୍ଷା କରି ନିରାଶ ହେବା ପରେ ଆନାସ୍ତାସିଆ ସୁନ୍ଦରଗଡ଼ଜିଲା କୁତ୍ରାବ୍ଲକର ଡ଼ାହିଜିରା ଲାଫ୍ରୁବେଡ଼ା ଗ୍ରାମର ସମୀର ଖାଖାଙ୍କୁ ୨୦୧୨ ମସିହାରେ ବିବାହ କରି ନିଜର ପାରିବାରିକ ଜୀବନ ଆରମ୍ଭ କରିଥିଲେ। ଏବେ ତିନୋଟି କନ୍ୟା ସନ୍ତାନ ସହ ସ୍ବାମୀଙ୍କୁ ନେଇ ତାଙ୍କ ସଂସାର । ତେବେ ଦୌଡରାଣୀଙ୍କ ପ୍ରତିଭାର ସ୍ବପ୍ନଟି ସତେ ଯେମିତି ହଜିଯାଇଛି । ଯେମିତିକି ଗୋଟିଏ ପଟେ ଅର୍ଥର ଅଭାବ ଅନ୍ୟପଟେ କଟକଣା ଏଥିଯୋଗୁ ପ୍ରତିଭା ବିକାଶରେ ବାଟ ଓଗାଳିବାରୁ ଉଦୀୟମାନ ପ୍ରତିଭାଙ୍କ କଳା ହଜିଗଲା।

-ବନବିହାରୀ ବେହେରା, ଜୟନାରାୟଣ ମେଣ୍ଡୁଳି, ସନାତନ ରାଉତ, ସ୍ମୃତିରଞ୍ଜନ ମହାଳିକ, କୈଳାଶ ପଟ୍ଟନାୟକ, ପ୍ରଭାତ ମହାପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri