ଆହାର କେନ୍ଦ୍ର ତଦାରଖ ଲାଗି କୋଟିଏ

ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଥିବା ୧୬୬ ଆହାର କେନ୍ଦ୍ର ପରିଚାଳନାରେ ୧୫୭ ମିଶନ ଶକ୍ତି ଗୋଷ୍ଠୀର ୨ ହଜାରରୁ ଅଧିକ ସଦସ୍ୟା ନିୟୋଜିତ ହୋଇଛନ୍ତି। ୨୦୨୦ ନଭେମ୍ବରରୁ ଏହି ମହିଳମାନେ ସଫଳତାର ସହ ଆହାର କେନ୍ଦ୍ର ପରିଚାଳନା କରୁଛନ୍ତି। ସରକାର ମଧ୍ୟ ସେମାନଙ୍କ ଅବଦାନର ମୂଲ୍ୟାୟନ କରିବା ସହିତ ତଦାରଖ ଦେୟ ପ୍ରଦାନ କରି ସେମାନଙ୍କ ଆର୍ଥିକ ନିରାପତ୍ତାକୁ ସୁରକ୍ଷିତ କରିଥିବା ସୂଚନା ଦିଆଯାଇଛି। ବିଭାଗୀୟ ତଥ୍ୟ ଅନୁଯାୟୀ, ୧୫୭ଟି ମିଶନ ଶକ୍ତି ଗୋଷ୍ଠୀଙ୍କୁ ଆହାର କେନ୍ଦ୍ରଗୁଡିକରେ ସେବା ଯୋଗାଇବା ଓ ତଦାରଖ ବାବଦରେ ୧ କୋଟି ୧୫ ଲକ୍ଷ ଟଙ୍କା ଦିଆଯାଇଛି।
ଉଲ୍ଲେଖନୀୟ, ରାଜ୍ୟରେ ଥିବା ମିଶନ ଶକ୍ତି ମହିଳା ଗୋଷ୍ଠୀ ଆହାର କେନ୍ଦ୍ରଗୁଡ଼ିକର ବଳ ପାଲଟିଛନ୍ତି। ଏମାନଙ୍କର ସଫଳ ପରିଚାଳନା ଓ ସହଯୋଗ ଲାଗି ସହରାଞ୍ଚଳର ଆହାର କେନ୍ଦ୍ରଗୁଡିକ ଏବେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢିବାରେ ଲାଗିଛି। ମହିଳାମାନଙ୍କୁ ଆତ୍ମନିର୍ଭର ପାଇଁ ସବୁ କ୍ଷେତ୍ରରେ ସହଭାଗୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆହାର କେନ୍ଦ୍ର ପରିଚାଳନା ଦାୟିତ୍ୱରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସେମାନଙ୍କୁ ସାମିଲ କରାଯାଇଥିଲାା ଯାହାର ସୁଫଳ ଏବେ ରାଜ୍ୟବାସୀ ପାଉଛନ୍ତି। ସହରାଞ୍ଚଳରେ ଥିବା ଆହାର କେନ୍ଦ୍ରଗୁଡିକରେ ଅଭାବୀ ଓ ଅସହାୟ ଲୋକଙ୍କୁ ମାତ୍ର ୫ ଟଙ୍କାରେ ପେଟପୂରା ଗରମ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଏହି କେନ୍ଦ୍ରରେ ମହିଳା ଗୋଷ୍ଠୀଙ୍କୁ ନିୟୋଜିତ କରାଯିବା ଫଳରେ ଖାଦ୍ୟ ବିତରଣଠାରୁ ଆରମ୍ଭ କରି ଶାନ୍ତିଶୃଙ୍ଖଳା ରକ୍ଷା, ପରିଷ୍କାର ପରିଚ୍ଛନ୍ନତା ଆଦି ଠିକଣା ଭାବେ ପରିଚାଳନା କରାଯାଇ ପାରୁଛି। ବର୍ତ୍ତମାନ ୩ଟି ମିଶନଶକ୍ତି ଗୋଷ୍ଠୀ ଯଥା ବାଲେଶ୍ୱରର ମା’ ଦୁର୍ଗା, ନବରଙ୍ଗପୁରର ଶ୍ରୀ ସାଇ ଏବଂ ରାୟଗଡାର ସଂସ୍କୃତ ମିଶନ ଶକ୍ତି ଗୋଷ୍ଠୀଙ୍କୁ ସହରାଞ୍ଚଳର ବାସହୀନଙ୍କ ପାଇଁ ଆଶ୍ରୟସ୍ଥଳୀ ପରିଚାଳନା ଦାୟିତ୍ୱ ଦିଆଯାଇଛି। ଏହାର ସଫଳ ପରିଚାଳନା ପାଇଁ ମୋଟ ଖର୍ଚ୍ଚ ହେଉଥିବା ଅର୍ଥର ୧୦ ପ୍ରତିଶତ ମିଶନ ଶକ୍ତି ଗୋଷ୍ଠୀଙ୍କୁ ମିଳୁଛି। କେବଳ ଏହି ୨ଟିରେ ମିଶନ ଶକ୍ତିର ମହିଳା ଗୋଷ୍ଠୀ ନିଜର ସଫଳତାର ପ୍ରମାଣ ଦେଇନାହାନ୍ତି, ବରଂ ସହରାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଜଳଯୋଗାଣଠାରୁ ଆରମ୍ଭ କରି ପରିମଳ ଏବଂ ଟ୍ରାଫିକ ନିୟନ୍ତ୍ରଣ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ନିଜକୁ ସାମିଲ କରିବା ସହିତ ଆତ୍ମନିର୍ଭର ହୋଇପାରୁଛନ୍ତି।