ଶୋଷ ମେଣ୍ଟାଇପାରୁନି ଦେଢ଼କୋଟିର ପ୍ରକଳ୍ପ

ବଇଣ୍ଡା,୨୫ା୨ (ପରିକ୍ଷିତ ସାହୁ)ସରକାରୀ ଯୋଜନାରେ ପାନୀୟ ପ୍ରକଳ୍ପ ନିର୍ମାଣ ହେଲା। ଦେଢ଼କୋଟିରୁ ଅଧିକ ଟଙ୍କା ବ୍ୟୟ କରାଗଲା। ହେଲେ ଦିନଟିଏ ମଧ୍ୟ ଲୋକଙ୍କ ଶୋଷ ମେଣ୍ଟାଇପାରିଲାନି ଏହି ପାନୀୟ ପ୍ରକଳ୍ପ। ପାଣିକୁ ଠିକ୍‌ ଭାବେ ଫିଲ୍‌ଟର କରାଯାଇ ନ ପାରିବାରୁ ୫ ବର୍ଷ ହେଲା ଏହା ଅଚଳାବସ୍ଥାରେ ପଡ଼ିରହିଥିବା ବେଳେ ହନ୍ତସନ୍ତ ହେଉଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ପଞ୍ଚାୟତର ଚାକୁଣ୍ଡାମୁଣ୍ଡା, ଯୋଗୀପଥର ଓ ହଣ୍ଡପା ଗ୍ରାମବାସୀ।
ହଣ୍ଡପା ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ହଣ୍ଡପା ପଞ୍ଚାୟତର ଚାକୁଣ୍ଡାମୁଣ୍ଡା, ଯୋଗୀପଥର ଓ ହଣ୍ଡପା ଗ୍ରାମର ୪ ହଜାର ୬ ଶହ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ରାଜ୍ୟ ସରକାର ବସୁଧା ଯୋଜନାରେ ଯୋଗୀପଥର ଡ୍ୟାମ୍‌ ନିକଟରେ ୧ କୋଟି ୫୬ ଲକ୍ଷ ଟଙ୍କାର ଏକ ପ୍ରକଳ୍ପ ନିର୍ମାଣ କରିଥିଲେ। ୨୦୧୬ ମସିହାରେ ଏହି ପ୍ରକଳ୍ପ କାମ ଆରମ୍ଭ ହୋଇଥିବା ବେଳେ ୨୦୧୯ରେ ଏହା ଶେଷ ହୋଇଥିଲା। ଉକ୍ତ ଡ୍ୟାମ୍‌ ନିକଟରେ ଏକ ବଡ଼ ଖୋଲାକୂଅ ଓ ପାଣିଟାଙ୍କି ନିର୍ମାଣ କରାଯାଇଥିଲା। ହେଲେ ପ୍ରକଳ୍ପ ପାଣିକୁ ଫିଲ୍‌ଟର କରିବା ପାଇଁ ଲାଗିଥିବା ମେଶିନଟି ଅତି ନିମ୍ନମାନର ହୋଇଥିବାରୁ ବିଶୁଦ୍ଧ ପାଣି ଯୋଗାଣ ହୋଇପାରିଲା ନାହିଁ। ୨୦୧୯ ମସିହା ଜାନୁଆରୀରେ ଜଳ ଯୋଗାଣ ବିଭାଗ ପକ୍ଷରୁ ଏହାକୁ କାର୍ଯ୍ୟକ୍ଷମ କରାଯାଇଥିଲା। ମାତ୍ର ୧ ମାସ ପାଣି ବଣ୍ଟନ କରାଯାଇଥିବା ବେଳେ ଗୋଳିଆ ପାଣି ଯୋଗୁ ଗ୍ରାମବାସୀ ବିରୋଧ କରିଥିଲେ। ଏହାପରଠାରୁ ଜଳ ଯୋଗାଣ ବନ୍ଦ ରହିଛି। ଠିକାଦାରଙ୍କ ସହ ଜଳ ଯୋଗାଣ ବିଭାଗର କେତେଜଣ କର୍ମଚାରୀଙ୍କ ସଲାସୁତରା ଯୋଗୁ ଏହି ପ୍ରକଳ୍ପରେ ଅଧିକାଂଶ ସାମଗ୍ରୀ ନିମ୍ନମାନର ଲଗାଯାଇଛି। ଏହି କାରଣରୁ ସରକାରଙ୍କ ଦେଢ଼କୋଟି ଟଙ୍କା ପାଣିରେ ପଡ଼ିଲା ବୋଲି ଗ୍ରାମବାସୀ କହିଛନ୍ତି। ଉପଯୁକ୍ତ ଫିଲଟର ଲଗାଇ ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ହଣ୍ଡପା ଗ୍ରାମବାସୀ ୨ ଜୁନ ୨୦୨୦ ଓ ୨୫ ମାର୍ଚ୍ଚ ୨୦୨୧ରେ ଆଠମଲ୍ଲିକ ବିଧାୟକ, କିଶୋରନଗର ଜଳ ଯୋଗାଣ ବିଭାଗ, ଅନୁଗୋଳ ଜିଲାପାଳଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଥିଲେ। କିନ୍ତୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ୫ ବର୍ଷ ହେଲା ୩ ଗ୍ରାମବାସୀ ପିଇବା ପାଣି ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ କରା ନ ଗଲେ ଆଗାମୀ ଦିନରେ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ହଣ୍ଡପା ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି। ଏ ନେଇ ସରପଞ୍ଚ ରଶ୍ମିତା ପ୍ରଧାନ କହିଛନ୍ତି, ସରପଞ୍ଚ ନ ହେବା ପୂର୍ବରୁ ଏହି ପ୍ରକଳ୍ପ ଅଚଳ ହୋଇପଡିଛି। ବହୁବାର ଜଳ ଯୋଗାଣ ବିଭାଗ ନିକଟରେ ଅଭିଯୋଗ କରାଯାଇଛି। ମରାମତି କରାଯାଇଥିବା କୁହାଯାଉଥିଲେ ମଧ୍ୟ ଲୋକଙ୍କୁ ପାଣି ଯୋଗାଇ ଦିଆଯାଉନାହିଁ।