ନୂଆଦିଲ୍ଲୀ, ୨୪।୧୧: ଦିନେ ଭାରତୀୟ କ୍ରିକେଟର ଭବିଷ୍ୟତ ହେବାର ସ୍ବପ୍ନ ଦେଖିଥିବା ଖେଳାଳି ଏବେ UAE ଟିମ ପକ୍ଷରୁ ଖେଳି ଚମତ୍କାର ପ୍ରଦର୍ଶନ କରୁଛନ୍ତି। ହରପ୍ରୀତ ସିଂହ ଭାଟିଆ ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ର ୧୧ତମ ମ୍ୟାଚରେ UAE ପକ୍ଷରୁ ଖେଳି ବଡ଼ କମାଲ କରିଛନ୍ତି। ନଭେମ୍ବର ୨୪ ତାରିଖରେ ଦୋହାରେ ଇଣ୍ଡିଆ-A ବିପକ୍ଷରେ ସେ ଏକ ଚମତ୍କାର ଶତକୀୟ ଇନିଂସ ଖେଳିଛନ୍ତି। ୧୨୦ଟି ବଲରେ ସେ ନିଜର ଶତକ ପୂରଣ କରିଥିଲେ।
୩୫ ବର୍ଷୀୟ ଏହି ବ୍ୟାଟର୍ ତିଳକ ବର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ବୋଲର୍ସମାନଙ୍କୁ ଦୃଢ଼ ମୁକାବିଲା କରିଥିଲେ। ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ବାମହାତୀ ବ୍ୟାଟର୍ ହରପ୍ରୀତ ଭାରତୀୟ ବୋଲିଂ ଆକ୍ରମଣ ବିପକ୍ଷରେ ଅତ୍ୟନ୍ତ ଧୈର୍ଯ୍ୟର ସହ ଖେଳିଥିଲେ। ତାଙ୍କ ଇନିଂସରେ ୧୧ଟି ଚୌକା ଓ ୨ଟି ଛକା ସାମିଲ ଥିଲା। ହର୍ଷିତ ରାଣାଙ୍କ ବଲରେ ଛକା ମାରି ସେ ନିଜର ଶତକ ପୂରଣ କରିଥିଲେ।
ଏହି ଇନିଂସ ମଧ୍ୟରେ ସେ ମହମ୍ମଦ ଶହଜାଦ ଓ ଏଥନ ଡିସୁଜାଙ୍କ ସହ ୫୦ରୁ ଅଧିକ ରନର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରି କରିଥିଲେ। ପ୍ରାରମ୍ଭିକ ଝଟକାରୁ UAE ଦଳକୁ ସମ୍ଭାଳିବାରେ ତାଙ୍କ ଇନିଂସ ବେଶ ସହାୟକ ହୋଇଥିଲା। ହରପ୍ରୀତ ୧୪୪ଟି ବଲରେ ୧୩୦ ରନ କରି ଆଉଟ ହୋଇଥିଲେ। ତାଙ୍କ ଇନିଂସରେ ୧୨ଟି ଚୌକା ଓ ୪ଟି ଛକା ରହିଥିଲା। ତାଙ୍କ ଶତକୀୟ ଇନିଂସ ବଳରେ UAE ଦଳ ୫୦ ଓଭରରେ ୮ ଉଇକେଟ୍ ହରାଇ ୨୪୯ ରନ କରିବାରେ ସଫଳ ହୋଇଥିଲା।
ହରପ୍ରୀତ ସିଂହ ଭାଟିଆଙ୍କର ଭାରତୀୟ କ୍ରିକେଟ ସହ ପୁରୁଣା ସମ୍ପର୍କ ରହିଛି। ନିଜ କ୍ୟାରିୟର ଆରମ୍ଭରୁ ସେ ଦେଶର ବୟସଭିତ୍ତିକ କ୍ରିକେଟରେ ଜଣେ ପ୍ରତିଭାବାନ ବ୍ୟାଟର୍ ଭାବେ ପରିଚିତ ହୋଇଥିଲେ। ୨୦୦୮-୦୯ କୁଚ ବିହାର ଟ୍ରଫିରେ ୭ଟି ମ୍ୟାଚରୁ ୭୦୯ ରନ କରି ସେ ନିଜ ପ୍ରତିଭାର ପରିଚୟ ଦେଇଥିଲେ। ଏହି ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ସିଜିନ୍ର ଶ୍ରେଷ୍ଠ ଅଣ୍ଡର-୧୯ କ୍ରିକେଟର୍ ଭାବେ ଚୟନ କରାଯାଇଥିଲା।
ଏହାପରେ ୨୦୦୯ରେ ଅଷ୍ଟ୍ରେଲିଆ ଗସ୍ତ କରିଥିବା ଭାରତୀୟ ଅଣ୍ଡର-୧୯ ଦଳର ଉପଅଧିନାୟକ ଦାୟିତ୍ୱ ତାଙ୍କୁ ମିଳିଥିଲା। ଏହି ଗସ୍ତରେ ସେ ୫୨.୪୦ ହାରରେ ୨୬୨ ରନ କରିଥିଲେ। ୨୦୧୦ ଅଣ୍ଡର-୧୯ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡ ଗସ୍ତ କରିଥିବା ଭାରତୀୟ ଦଳରେ ମଧ୍ୟ ସେ ସାମିଲ ଥିଲେ। ସେହି ଦଳରେ କେଏଲ ରାହୁଲ ଓ ମୟଙ୍କ ଅଗ୍ରୱାଲଙ୍କ ଭଳି ଖେଳାଳି ମଧ୍ୟ ରହିଥିଲେ।