ରାଜଧାନୀ ରାସ୍ତାରେ ଡଙ୍ଗା ରଖି ପ୍ରତିବାଦ

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ବର୍ଷାଦିନେ ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ଜନଗହଳିପୂର୍ଣ ସ୍ଥାନ ଜଳାର୍ଣ୍ଣବ ହୋଇଯାଉଛି। ବର୍ଷାଜଳରେ ଯାନବାହାନ ବୁଡ଼ିଯାଉଛି। ପ୍ରତିବର୍ଷ ଏଭଳି ସମସ୍ୟା ଲାଗି ରହିଥିବାବେଳେ ସରକାର ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି, ଯାହାର ଅଭିନବ ପ୍ରତିବାଦ ଜଣାଇଛି ଛାତ୍ର ଏବଂ ଭୁବନେଶ୍ୱର ଜିଲା କଂଗ୍ରେସ। ଦଳୀୟ କାର୍ଯ୍ୟକର୍ତ୍ତାମାନେ ଶୁକ୍ରବାର ମାଷ୍ଟରକ୍ୟାଣ୍ଟିନ ଛକ ରାସ୍ତା ଉପରେ ପ୍ରତୀକାତ୍ମକ ଭାବେ ଏକ ଡଙ୍ଗା ରଖି ଏହାକୁ ଚଳାଇବାର ଅଭିନୟ କରିବା ସହିତ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।
ଆୟୋଜିତ କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗଦେଇ କହିଲେ, ନବୀନ ସରକାରର ୨୧ ବର୍ଷର ଶାସନ ରାଜ୍ୟର ସଡ଼କପଥ ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ଭୁବନେଶ୍ୱରରେ ରାସ୍ତାଘାଟର ଉନ୍ନତି ଲାଗି ବହୁ କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଅବସ୍ଥାରେ ପରିବର୍ତ୍ତନ ହେଉନାହିଁ। ବ୍ୟାପକ ଅର୍ଥ ବାଟମାରଣା ହେଉଛି। ଜଳ ନିଷ୍କାସନର ବ୍ୟବସ୍ଥା ନାହିଁ। ଲୋକଙ୍କ ଘରେ ପାଣି ପଶୁଛି। ଭୁବନେଶ୍ୱରବାସୀ ପ୍ରତିବର୍ଷ ଜଳବନ୍ଦୀ ସମସ୍ୟା ଭୋଗୁଛନ୍ତି। ନୟାପଲ୍ଲୀ ଇସ୍କନ ମନ୍ଦିର ପାଖ, ବମିଖାଲ, ଜନପଥ, ବାପୁଜୀ ନଗର, ଏରୋଡ୍ରମ ଏରିଆ, ବିଜେପି ନଗର, ଡୁମୁଡୁମା ଆଦି ଅଞ୍ଚଳରେ ବର୍ଷାଜନିତ ପରିସ୍ଥିତି ଅତି ଦୟନୀୟ। ତେଣୁ ରାଜଧାନୀର ୬୭ ୱାର୍ଡରେ ବର୍ଷାଦିନେ ଯାତାୟାତ କରିବା ଲାଗି ‘ମୋ ଡଙ୍ଗା ଯୋଜନା’ରେ ସରକାର ଡଙ୍ଗା ବ୍ୟବସ୍ଥା କରନ୍ତୁ ବୋଲି ଜଟଣୀ ବିଧାୟକ ତାତ୍ସଲ୍ୟ କରି କହିଛନ୍ତି।