୨୭ରେ ଭାରତ ବନ୍ଦ ସଫଳ କରିବାକୁ ଆହ୍ବାନ

କଟକ ଅଫିସ, ୨୫।୯ :ତିନୋଟି କୃଷି ଆଇନ ଓ ବିଦ୍ୟୁତ ବିଲ୍‌ ବାତିଲ୍‌, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନସମ୍ମତ କରିବା ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆସନ୍ତା ୨୭ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦକୁ ସଫଳ କରିବା ଉଦ୍ଦେଶ୍ୟରେ ଏସ୍‌ୟୁସିଆଇ(ସି) କଟକ ଜିଲା କମିଟି ପକ୍ଷରୁ ଶୁକ୍ରବାର ସ୍ଥାନୀୟ ଗାନ୍ଧୀଭବନଠାରେ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଏସ୍‌ୟୁସିଆଇ(ସି) କଟକ ଜିଲା ସମ୍ପାଦକ ବିଶ୍ୱାବସୁ ଦାସ ଯୋଗଦେଇ କହିଥିଲେ, ଚାଷୀମାନେ କୃଷି ଆଇନ ବାତିଲ ଭଳି ବିଭିନ୍ନ ଦାବି ନେଇ ପ୍ରାୟ ୧୦ମାସ ହେବ ଆନ୍ଦୋଳନ ଜାରି ରଖିଛନ୍ତି ା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନ ଜାରି ରଖିବାକୁ ଘୋଷଣା କରିଛନ୍ତି। ଏଭଳି ପରିସ୍ଥିତିରେ କୃଷକ, ଶ୍ରମିକ, ମହିଳା, ଯୁବକ, ଛାତ୍ର ଓ ଜନସାଧାରଣ ଚାଷୀ ଆନ୍ଦୋଳନ ସମର୍ଥନରେ ଆଗେଇ ଆସିଛନ୍ତି। ଚାଷୀ ଆନ୍ଦୋଳନକୁ ଶକ୍ତିଶାଳୀ କରିବା ପାଇଁ ଆସନ୍ତା ୨୭ ତାରିଖ ଭାରତ ବନ୍ଦକୁ ସଫଳ କରିବା ଲାଗି ଜନସାଧାରଣଙ୍କୁ ଦାସ ଆହ୍ବାନ ଦେଇଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଏସ୍‌ୟୁସିଆଇ(ସି) କଟକ ଜିଲା ଅଫିସ ସମ୍ପାଦକ ଖଗେଶ୍ୱର ସେଠୀ, ଜିଲା କମିଟି ସଭ୍ୟ ରାଜକିଶୋର ମଲ୍ଲିକ ଓ ସସ୍ମିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।