ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନ୍ସପେକ୍ଟର, ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ସୁନ୍ଦରଗଡ଼/ବଡ ଗାଁ,୩।୮(ଜୟ ନାରାୟଣ ମେଣ୍ଡୁଳି/ ଅଶୋକ  ଷଡ଼ଙ୍ଗୀ) : ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ର ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ ଧରିଛି ଓଡ଼ିଶା ଭିଜିଲାନ୍ସ ।ମୁକେଶ କୁମାର ମିଶ୍ର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ।ସୁନ୍ଦରଗଡ-ରାଉରକେଲା ରାସ୍ତାର ବଡ ଗାଁ ନିକଟବର୍ତ୍ତୀ ଗରିଆମାଲ ଠାରେ ଧରାପଡିଲେ ଟ୍ରାଫିକ ଇନ୍ସପେକ୍ଟର ।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୋଗକାରୀ (ଟ୍ରକ୍ ମାଲିକ)ଙ୍କର ଦୁଇଟି ହାଇୱା ଟ୍ରକ୍ ରହିଛି। ଗତ ଦୁଇ ମାସ ଧରି ନିଜ ଅଞ୍ଚଳରେ କୌଣସି ବାଧାବିଘ୍ନ ନକରି ଗାଡ଼ି ଚଳାଇଦେବା ପାଇଁ ଅଭିଯୁକ୍ତ ଟ୍ରାଫିକ୍ ଇନସ୍ପେକ୍ଟର  ମିଶ୍ର ଟ୍ରକ୍ ମାଲିକଙ୍କୁ ମାସିକିଆ ବଟି ବାବଦକୁ ୨୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଟଙ୍କା ନଦେଲେ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି କରାଯିବ ବୋଲି ସେ ଧମକ ଦେଇଥିଲେ। ଲାଞ୍ଚ ଦେବାକୁ ଅସମର୍ଥ ହେବାରୁ ସମ୍ପୃକ୍ତ ଟ୍ରକ୍ ମାଲିକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

ଅଭିଯୋଗ ଆଧାରରେ ଭିଜିଲାନ୍ସ ଏକ ଯୋଜନାବଦ୍ଧ ଚଢ଼ାଉ କରି ମୁକେଶ କୁମାର ମିଶ୍ରଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି । ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ବର୍ତ୍ତମାନ ୩ଟି ସ୍ଥାନରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଏହି ମାମଲାରେ ରାଉରକେଲା ଭିଜିଲାନ୍ସ ଥାନାରେ କେସ୍ ନମ୍ବର-୦୬/୨୦୨୬ (ଦଫା-୭ ପି.ସି. ଆମେଣ୍ଡମେଣ୍ଟ ଆକ୍ଟ,ରେ ମାମଲା ରୁଜୁ ହୋଇଛି। ଫଟୋ ଅଛି।

Dharitri – Odisha’s No.1 Odia Daily