ଓଏମ୍‌ଭିଡି ଏଏସ୍‌ଆଇ ଗିରଫ

କଟକ ଅଫିସ,୨୭।୨: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଝାରସୁଗୁଡ଼ାର ଓଡ଼ିଶା ମୋଟର ଭେଇକିଲ ଡିପାର୍ଟମେଣ୍ଟ(ଓଏମ୍‌ଭିଡି)ର ଏଏସ୍‌ଆଇ ହରେକୃଷ୍ଣ ନାୟକଙ୍କୁ ଭିଜିଲାନ୍ସ ଶନିବାର ଗିରଫ କରି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରିଥିଲା। ପରେ କୋର୍ଟ ତାଙ୍କୁ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ତେବେ ଆୟ ବହିର୍ଭୂତ ସମ୍ପତ୍ତି ନାୟକଙ୍କ ଆୟର ୪୪୦ ପ୍ରତିଶତ ଅଧିକ ବୋଲି ଭିଜିଲାନ୍ସ ପକ୍ଷରୁ ପ୍ରେସ୍‌ ବିବୃତିରେ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଶୁକ୍ରବାର ନାୟକଙ୍କର କଟକ, ପୁରୀ, ଝାରସୁଗୁଡ଼ା ଓ ଗଞ୍ଜାମ ଜିଲାର ୬ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉବେଳେ କଟକ ଫ୍ରେଣ୍ଡ୍‌ସ କଲୋନୀସ୍ଥିତ ଘରୁ ୪ ଲକ୍ଷ ୪୬ ହଜାର ଟଙ୍କା ଓ ବହୁ ପରିମାଣର ସୁନାଅଳଙ୍କାର ଜବତ ହେବା ସହ ୨କୋଟି ୨୪ ଲକ୍ଷ ୧୯ ହଜାର ୭୯୮ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ା ୩ଜଣ ଡିଏସ୍‌ପିଙ୍କ ନେତୃତ୍ୱରେ ୧୦ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ।