ସର୍ବବ୍ୟାପୀ ସରକାର

ଏବେ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କର ସରକାର ଯେପରି ଅତିଦୃଶ୍ୟମାନ ହେବା ପ୍ରୟାସରେ ବ୍ୟକ୍ତିର ଅନ୍ତର୍ନିହିତ ବିକାଶରେ ବାଧକ ସାଜୁଛନ୍ତି, ଜଣାପଡୁଛି ଆଉ ଅଳ୍ପ କେତେ ବର୍ଷ ଭିତରେ ଅଧିକାଂଶ ଲୋକ ‘ଗଣତନ୍ତ୍ର-ପ୍ରସୂତ ଦିବ୍ୟାଙ୍ଗ’ରେ ପରିଣତ ହେବେ!
ଆଗରୁ ରାଜ୍ୟ ବା ରାଷ୍ଟ୍ରରେ ସମ୍ବଳ ନ ଥିଲା। ତେଣୁ ସରକାର ସବୁକଥାରେ ନାଗରିକମାନଙ୍କ ପାଖରେ ଠିଆ ହୋଇ ପାରୁ ନ ଥିଲେ। କିନ୍ତୁ ଏହାର ସକାରାତ୍ମକ ଦିଗଟି ଥିଲା। ମଣିଷ ତା’ର ଅନ୍ତର୍ନିହିତ ସୃଜନଶକ୍ତି ଓ ଆତ୍ମଲବ୍ଧ ଦକ୍ଷତା ପ୍ରୟୋଗ କରି ଅନେକ ଛୋଟ ଛୋଟ ସମସ୍ୟାର ସମାଧାନ କରି ଦେଉଥିଲା। ଆଉ ତା’ ସାଙ୍ଗକୁ ଥିଲେ ‘ଛୋଟ ସରକାର’ ମାନେ।
ସ୍ବାଧୀନତା ସଂଗ୍ରାମ କାଳରେ ଯେପରି ଗାଁ ଗହଳରେ ‘ଛୋଟ ଗାନ୍ଧୀ’ମାନଙ୍କ ଆବିର୍ଭାବ ଘଟିଥିଲା, ୮୦ ଦଶକ ପର୍ଯ୍ୟନ୍ତ ଗାଁର ଉନ୍ନତି ପାଇଁ ଉତ୍ସର୍ଗୀକୃତ କିଛି ଗାଁ ମୁଖିଆ ସରକାରଙ୍କ ପରିପୂରକ ଭୂମିକାରେ ଅବତୀର୍ଣ୍ଣ ହୋଇ ଶିକ୍ଷା, ସାମାଜିକ ସଦ୍‌ଭାବ, ସାଂସ୍କୃତିକ ବିକାଶ, ଛୋଟ ଛୋଟ ସାମୂହିକ କାର୍ଯ୍ୟ ମାଧ୍ୟମରେ ଆତ୍ମ-ଗୁରୁତ୍ୱ ଓ ଗ୍ରାମ୍ୟପ୍ରୀତି ଜାଗ୍ରତ କରେଇ ଗାଁକୁ ଏକ ସୁଂସହତ ଏକକ ହିସାବରେ ଧରି ରଖି ପାରୁଥିଲେ।
ଧୀରେ ଧୀରେ ଭୋଟ୍‌ ରାଜନୀତି ପଶିଲା। ଦକ୍ଷତା, ସୃଜନଶକ୍ତି, ସାମୂହିକ ଉନ୍ନତି ପ୍ରବଣତାରେ ଭରପୂର ନାଗରିକମାନଙ୍କୁ ଭୋଟଦାତାରେ ରୂପାନ୍ତରିତ କରାଗଲା। ଉଦାରୀକରଣ ପ୍ରଭାବରେ ରାଜକୋଷ ମଧ୍ୟ ସମୃଦ୍ଧ ହେବାକୁ ଲାଗିଲା। ଆସ୍ତେ ଆସ୍ତେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ସରକାର ସହାୟତାର ହାତ ବଢ଼େଇଲେ। ତେବେ କାଳକ୍ରମେ ଏହା ସହାୟତା ବଦଳରେ ନଗଦ ରାଶି ପ୍ରଦାନ ମାଧ୍ୟମରେ ଭୋଟଭିକ୍ଷାର ଏକ ସୁନ୍ଦର ମାଧ୍ୟମ ପାଲଟିଲା। ଅର୍ଥାତ୍‌ ସରକାର ଜନସାଧାରଣଙ୍କୁ ମାଛ ଧରିବାକୁ ଜାଲ ନ ଦେଇ, ଘରେ ମାଛ ପହଞ୍ଚେଇ ଦେବାର ବ୍ୟବସ୍ଥା କଲେ।
ତେଣୁ ଆକ୍ଷରିକ ଅର୍ଥରେ ଏବଂ ଭାବାର୍ଥରେ ଆଜିକାଲି କେହି ଜାଲ ବୁଣୁ ନାହାନ୍ତି, ଜାଲ ଫିଙ୍ଗି ବା ବସେଇ ‘ମାଛ’ ଧରୁନାହାନ୍ତି। ନିର୍ଦ୍ଦିଷ୍ଟ ଭାବରେ କିଛି ନ କରି ଯେବେଠୁ ନଗଦ ଅର୍ଥ ମିଳିବାର ବ୍ୟବସ୍ଥା କରାଗଲା, ସେବେଠୁ ଗାଁ ଓ ସହରର ଅଭାବୀ ଓ ମଧ୍ୟବିତ୍ତ ଲୋକମାନେ ସେମାନଙ୍କ ମଣିଷସୁଲଭ, ଭଗବତଦତ୍ତ ଦକ୍ଷତା, ପ୍ରତିଭା ହରାଇ ଜଣେ ଜଣେ ନିକମା ମାଂସ ପିଣ୍ଡୁଳା ପାଲଟି ଯାଇଛନ୍ତି।
କିଛି କାମ ନ କରି ନଗଦ ଅର୍ଥରାଶି ଲାଭ କରି ଓଡ଼ିଶାର ଲୋକ କିପରି ନିକମା ପାଲଟି ଯାଇଛନ୍ତି ଏବଂ ରାଜ୍ୟ ଓ ରାଜକୋଷ ପାଇଁ ବୋଝ ପାଲଟି ଯାଇଛନ୍ତି, ତାହା ଜଣାପଡ଼େ ଯେତେବେଳେ ପାର୍ଶ୍ୱବର୍ତ୍ତୀ ରାଜ୍ୟ ବା ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶର ଚାଷୀ, ମୂଲିଆଙ୍କ କର୍ମକୁଶଳତା ଆମେ ସାମାଜିକ ଗଣ ମାଧ୍ୟମରେ ଦେଖୁ। ବାଂଲାଦେଶ ଭାରତ ପରି ଆର୍ଥିକ ଦୃଷ୍ଟିରୁ ଉନ୍ନତ ହୋଇ ନ ଥିବାରୁ ସେଠିକାର ଚାଷୀମାନେ ସରକାରୀ ଅନୁଦାନର ଅନୁପସ୍ଥିତିରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଚାଷ ଓ ଅନ୍ୟାନ୍ୟ ଶିଳ୍ପକଳାରେ ଏତେ କୁଶଳୀ, ଦକ୍ଷ ଓ ପାରଙ୍ଗମ ଯେ ସେମାନେ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବା ସହ ରାଷ୍ଟ୍ର ପାଇଁ ଯଥେଷ୍ଟ ବୈଦେଶିକ ମୁଦ୍ରା ଅର୍ଜନ କରି ପାରୁଛନ୍ତି, ଯାହା ଓଡ଼ିଶା କ୍ଷେତ୍ରରେ ପ୍ରାୟ ଶୂନ୍‌।
ବିଶିଷ୍ଟ ଚିନ୍ତାନାୟକ ନୋଆମ୍‌ ଚମ୍‌ସ୍କି ବିଶ୍ୱର ରାଜନେତାଙ୍କର ନାଗରିକ ମାନଙ୍କୁ ସରକାର-ନିର୍ଭରଶୀଳ ଅବା ନେତା-ନିର୍ଭରଶୀଳ କରେଇବା ନିଜ ପଦ ସୁରକ୍ଷିତ ରଖିବାର ଏକ ଚତୁର ଚାଲ୍‌ ବୋଲି ଅଭିହିତ କରନ୍ତି। ନେତାମାନେ ସର୍ବଦୃଶ୍ୟମାନ ହେବା କ୍ରମରେ ଧୀର ଧୀରେ ବହୁତ ‘ଡେଙ୍ଗା’ ହେବାକୁ ଲାଗନ୍ତି ଏବଂ ସମ ଅନୁପାତରେ ନାଗରିକମାନେ ‘ଛୋଟ’ ଦେଖାଯାନ୍ତି ବା ‘ଛୋଟ’ ହେବାକୁ ଲାଗନ୍ତି। ଏହି ଧାରାର ଏକ ପର୍ଯ୍ୟାୟରେ ରାଜନେତାମାନେ ସର୍ବଶକ୍ତିମାନ ଧାର୍ମିକ ବା ଆଧ୍ୟାମିତ୍କ ରକ୍ଷାକର୍ତ୍ତା ହିସାବରେ ଉଭା ହୁଅନ୍ତି। ପ୍ରଖ୍ୟାତ ଇଂଲିଶ କବି ଅଲିଭର ଗୋଲ୍ଡ ସ୍ମିଥଙ୍କ ‘ଭିଲେଜ ସ୍କୁଲ ମାଷ୍ଟର’ କବିତାରେ ବର୍ଣ୍ଣିତ ଗ୍ରାମବାସୀମାନଙ୍କ ମାଷ୍ଟରଙ୍କ ‘ଛୋଟ ମୁଣ୍ଡରେ’ ଏତେ ଜ୍ଞାନ କେମିତି ରହୁଛି ଭାବିବା ଭଳି ଆଜିର ‘ଦୁଗ୍ଧପୋଷ୍ୟ’ ମତଦାତାମାନେ ସେମାନଙ୍କ ନେତାଙ୍କୁ ଜଣେ ଜଣେ ଭଗବାନ ବୋଲି ମଣନ୍ତି ଏବଂ ରବର୍ଟ ବ୍ରାଉନ୍‌ଙ୍କ କବିତା ‘ପିପା ପାସେସ’ ରେ ବ୍ରାଉନ୍‌ଙ୍କ ଉକ୍ତି-ଭଗବାନ ସ୍ବର୍ଗରେ ଅଛନ୍ତି, ପୃଥିବୀରେ ସବୁ ଠିକ୍‌ ଠାକ୍‌ ଚାଲିଛି-ସହ ତାଳ ଦେଇ ରାଜନେତାରୁ ‘ଅନ୍ନଦାତା’ ଓ ‘ଅର୍ଥଦାତା’ ପାଲଟିଥିବା ‘ଡେଙ୍ଗା’ ମଣିଷମାନଙ୍କ ଗୁଣକୀର୍ତ୍ତନ କରି ସେମାନଙ୍କ ସମର୍ଥକମାନେ ଗାଆନ୍ତି- ‘ରାଜଧାନୀରେ ଆମ ନେତା ଅଛନ୍ତି, ସବୁଆଡ଼େ ଠିକ୍‌ ଠାକ୍‌ ଚାଲିଛି।’
ଦୁଃଖର କଥା ନେତାମାନଙ୍କୁ ଛୋଟନେତାମାନେ ହିମାଳୟ ଭାବିଲେ ବି, ଭୋଟ ପ୍ରେକ୍ଷାପଟରେ ସେମାନେ ନିଜକୁ ଅସୁରକ୍ଷିତ ମଣନ୍ତି। ତେଣୁ ନାଗରିକମାନଙ୍କୁ ବିଭିନ୍ନ ଭାବରେ ନିର୍ଭରଶୀଳ କରେଇ, ସେମାନଙ୍କ ପ୍ରତିଭା ହରଣ କରି ସେମାନଙ୍କୁ ତଳିତଳାନ୍ତ କରି ନିଜକୁ ଅନତିକ୍ରମଣୀୟ ରୂପରେ ଉପସ୍ଥାପନ କରୁ କରୁ, ସମାନ୍ତରାଳ ଭାବରେ ଏକ କରୁଣ ଅବରୋହଣ ପ୍ରକ୍ରିୟା ଆରମ୍ଭ ହୁଏ, ଯେତେବେଳେ ନେତାମାନେ ନିଯୁକ୍ତି ପତ୍ର ବାଣ୍ଟିବାକୁ ବାହାରି ପଡ଼ନ୍ତି ଯେଉଁଗୁଡ଼ିକ ଏକ ସମୟରେ ରେଜିଷ୍ଟର୍ଡ ଡାକରେ ଡାକଘର କର୍ମଚାରୀମାନେ ବାଣ୍ଟୁଥିଲେ।
ଭାରି ଦୁଃଖଲାଗେ ଭୋଟ କେଉଁ ସ୍ତରକୁ ନେତାମାନଙ୍କୁ ନେଇଯାଏ। ଖାଲି ସେତିକି ନୁହେଁ, ସେମାନଙ୍କ ସହ ତାଳ ଦେଇ ଅତିମାତ୍ରାରେ ରୁଟିନ୍‌ କାର୍ଯ୍ୟକ୍ରମ- ପରୀକ୍ଷା ଫଳ ପ୍ରକାଶନରେ ମନ୍ତ୍ରୀମାନଙ୍କ ପରୀକ୍ଷା ଫଳ-ପୁସ୍ତିକା ଧରି ଠିଆ ହେବାର ଫଟୋ ମଧ୍ୟ ଦେଖାଯାଏ। କି ବିଚିତ୍ର ଏ ବିପରୀତ ରାଜନୈତିକ ବିବର୍ତ୍ତନ!
ଦୁର୍ନୀତିମୁକ୍ତ ଗୁଣାତ୍ମକତାର ଅନ୍ୟ ନାମ ସରକାର ନୁହନ୍ତି ନା ନେତା ନୁହନ୍ତି, ବରଂ ଦୁର୍ନୀତିଯୁକ୍ତ ମୋଟାମୋଟି କାମ ଚଲେଇ ନେବା ହେଉଛି ସରକାରଙ୍କ ଅନ୍ୟ ନାମ। ସରକାରଙ୍କ ‘ପାଣି-ପବନ’ ରେ ବଢ଼ି ବଢ଼ି ଭୋଟଦାତାମାନେ ଆଉ ନାଗରିକ ପର୍ଯ୍ୟାୟକୁ ଯାଇପାରନ୍ତି ନାହିଁ। ଆବିଷ୍କାରୀ, ଉଦ୍‌ଭାବନୀ ଏବଂ ସୃଜନଶୀଳ ମନଗୁଡ଼ିକ ଆସ୍ତେ ଆସ୍ତେ ଜୀବାଶ୍ମରେ ପରିଣତ ହୁଏ, ଯାହାର କରୁଣ ପରିଣତି କରୋନା ପରି ଭୟାବହ ମହାମାରୀ ବା ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଦେଖାଯାଏ, ଯେତେବେଳେ ସରକାରଙ୍କ ‘ହାତଟେକା’ରେ ପ୍ରତିପାଳିତ ମଣିଷମାନେ ସଂକଟବେଳେ ଆବଶ୍ୟକ ଶାରୀରିକ ସକ୍ରିୟତା, ଦକ୍ଷତା, ବୁଦ୍ଧିମତ୍ତା ଓ ଜୀବନରକ୍ଷା କୌଶଳ ପ୍ରଦର୍ଶନ କରି ନ ପାରି ଅକାଳରେ ମୃତ୍ୟୁବରଣ କରନ୍ତି।
ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଦେଶର ନାଗରିକମାନଙ୍କ ଅନ୍ତର୍ନିହିତ ଗୁଣ, ଦକ୍ଷତା, ପ୍ରତିଭାର ବିକାଶ କରେଇବାର ସର୍ବଶ୍ରେଷ୍ଠ ବ୍ୟବସ୍ଥା। ଆଜି କିନ୍ତୁ ଭୋଟ ସଂଗ୍ରହ ପାଇଁ ନାଗରିକମାନଙ୍କୁ ଭୋଟଦାତାରେ ପରିଣତ କରି ଅମୂଲ୍ୟ ମାନବସମ୍ବଳକୁ ନର୍ଦ୍ଦମାର ପାଣିଭଳି ବୋହି ଦିଆଯାଉଛି।

ଡ. ସୁବାସ ଚନ୍ଦ୍ର ପାତ୍ର
ପୂର୍ବତନ ଅଧ୍ୟକ୍ଷ, ଜେଲ ରୋଡ୍‌, ବାଲେଶ୍ୱର
ମୋ : ୯୪୩୭୩ ୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?