ଓମିକ୍ରନ୍‌

କୋଭିଡ୍‌ର ନୂଆ ରୂପ ‘ଓମିକ୍ରନ୍‌’ ଡେଲ୍‌ଟାଠାରୁ ୬ ଗୁଣ ଦ୍ରୁତ ସଂକ୍ରମଣଶୀଳ ବୋଲି କୁହାଯାଉଛି। ଦକ୍ଷିଣ ଅଫ୍ରିକାରେ ଦେଖାଦେଇଥିବା ଏହି ନୂଆ ଭାରିଆଣ୍ଟ ବୋତ୍‌ସ୍ବାନା, ନେଦରଲାଣ୍ଡ୍‌ସ, ଡେନ୍‌ମାର୍କ, ବେଲ୍‌ଜିୟମ୍‌, ହଂକଂ, ଅଷ୍ଟ୍ରେଲିଆ, ଇସ୍ରାଏଲ, ବ୍ରିଟେନ ଆଦି ୧୫ଟି ଦେଶରେ ତା’ର ଉପସ୍ଥିତି ଜାହିର କଲାଣି। ଇତିମଧ୍ୟରେ ଅନେକ ରାଷ୍ଟ୍ର ଦକ୍ଷିଣ ଆଫ୍ରିକା ସମେତ ଓମିକ୍ରନ୍‌ ଦେଖାଦେଇଥିବା ଦେଶ ସହ ଅନ୍ତର୍ଜାତୀୟ ଉଡ଼ାଣକୁ ବନ୍ଦ କରିଛନ୍ତି। ଭାରତ ଡିସେମ୍ବର ୧୫ରୁ ଅନ୍ତର୍ଜାତୀୟ ଉଡ଼ାଣ ସ୍ବାଭାବିକ କରିବା ନେଇ ଯେଉଁ ନିଷ୍ପତ୍ତି ନେଇଥିଲା ସେଥିରେ ପରିବର୍ତ୍ତନ କରିଛି। ଓମିକ୍ରନ୍‌କୁ ଦୃଷ୍ଟିରେ ରଖି ଦକ୍ଷିଣ ଆଫ୍ରିକା, ବୋତ୍‌ସ୍ବାନା, ବ୍ରିଟେନ୍‌, ଫ୍ରାନ୍ସ, ଚାଇନା ଓ ଜର୍ମାନୀ ଭଳି ୧୪ଟି ଦେଶ ସହ ବିମାନ ଉଡ଼ାଣ ସ୍ବାଭାବିକ କରିବ ନାହିଁ ବୋଲି କହିଛି। ଏଭଳି ସ୍ଥିତିରେ ଭାରତ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ନିମନ୍ତ୍ରଣ କରିବା ଠିକ୍‌ ନୁହେଁ। କାରଣ କୋଭିଡ୍‌-୧୯ର ପ୍ରାରମ୍ଭରେ ଭାରତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଜାରି ରଖିବାରୁ ଦେଶରେ ସଂକ୍ରମଣ ଆରମ୍ଭ ହୋଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୨୦ରେ ଯେତେବେଳେ ନୂତନ ଭାବେ କରୋନା ଭାଇରସ୍‌ର ପ୍ରାଦୁର୍ଭାବ ବୃଦ୍ଧି ପାଇଲା ସେତେବେଳେ ଦେଶରେ ଥିବା ନାଗରିକଙ୍କ ସୁରକ୍ଷା ପରିବର୍ତ୍ତେ ବିଦେଶରୁ ପ୍ରବାସୀମାନଙ୍କୁ ବିମାନ ଯୋଗେ ଘରକୁ ଫେରାଇ ଆଣିବା ହୋଇଯାଇଥିଲା ଭାରତ ସରକାରଙ୍କ ମୂଳ ଲକ୍ଷ୍ୟ। ‘ବନ୍ଦେ ଭାରତ ମିଶନ୍‌’ ନାମରେ ସଂକ୍ରମିତ ଦେଶଗୁଡ଼ିକରୁ ଫେରି ଆସିଥିବା ପ୍ରବାସୀମାନେ ଆଭ୍ୟନ୍ତରୀଣ ସ୍ଥିତିକୁ ଅସମ୍ଭାଳ କରିଦେଇଥିଲେ।
ଓମିକ୍ରନ୍‌ର ସଂକ୍ରମଣ ହାର ଅତି ଭୟଙ୍କର ବୋଲି ଯାହା କୁହାଯାଉଛି, ତାହା ଭାରତ ଭଳି ଦେଶରେ ଦେଖାଦେଲେ ସ୍ଥିତି ବିଗିଡ଼ିଯିବ। ଅଦ୍ୟାବଧି ଭାରତରେ ୧୨୨ କୋଟି ଲୋକଙ୍କୁ କୋଭିଡ୍‌ ପ୍ରତିଷେଧକ ଟିକା ଦିଆଯାଇଛି ବୋଲି ସରକାରଙ୍କ ତରଫରୁ ପ୍ରଚାର କରାଯାଉଛି। ଏତେସଂଖ୍ୟକ ଭାରତୀୟ ଦୁଇଟି ଯାକ ଟିକା ପାଇସାରିଲେଣି ବୋଲି ବିଶ୍ୱାସ କରିବା କଷ୍ଟକର। ଏଥିସହିତ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ କହିବା ଅନୁଯାୟୀ ଟିକା ନେଇଥିବା ବ୍ୟକ୍ତି ମଧ୍ୟ ଓମିକ୍ରନ୍‌ ସଂକ୍ରମଣଠାରୁ ରକ୍ଷା ପାଇବା ସୁନିଶ୍ଚିତ ନୁହେଁ। ବିକଶିତ ରାଷ୍ଟ୍ରଗୁଡ଼ିକ ସେମାନଙ୍କ ନାଗରିକଙ୍କୁ ଦୁଇ ଡୋଜ୍‌ ଟିକା ଦେଇଥିବା ବେଳେ କେତେକ ଦେଶରେ ତୃତୀୟ ବୁଷ୍ଟର ଡୋଜ୍‌ ଆରମ୍ଭ ହେଲାଣି। ଅନ୍ୟପକ୍ଷରେ ଅନେକ ଆଫ୍ରିକୀୟ ଦେଶରେ ଲୋକେ ପ୍ରଥମ ଡୋଜ୍‌ ଟିକା ପାଇପାରି ନାହାନ୍ତି। ଗରିବ ରାଷ୍ଟ୍ରଗୁଡ଼ିକ ଏଥିପାଇଁ ଅର୍ଥ ଖର୍ଚ୍ଚ କରିପାରୁ ନ ଥିବାରୁ କୋଭିଡ୍‌ ଭୟ ଲାଗି ରହିଛି। ଏଭଳି ସମୟରେ ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସେମାନଙ୍କ ପାଇଁ ଆହୁରି ବିପଦ ଆଣିଦେଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅନ୍ତର୍ଜାତୀୟ ଓ ଜାତୀୟ ଔଷଧ ନିର୍ମାତା କମ୍ପାନୀଗୁଡ଼ିକ କେବଳ ଟିକା ଉପରେ ଜୋର ଦେଉଛନ୍ତି। କୋଭିଡ୍‌ ଟିକା ଏକ ପ୍ରତିଷେଧକ ମାତ୍ର। କିନ୍ତୁ ଏହି କମ୍ପାନୀଗୁଡ଼ିକ ହୁଏତ ନିଜର ଲାଭକୁ ଦୀର୍ଘମିଆଦୀ କରାଇବା ପାଇଁ ଟିକା ସହିତ ଔଷଧ ଦିଗରେ ଗବେଷଣା କରାଉନାହାନ୍ତି। କୋଭିଡ୍‌ ସଂକ୍ରମିତ ବ୍ୟକ୍ତିଙ୍କ ଆରୋଗ୍ୟ ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ପ୍ରସ୍ତୁତ ହୋଇନାହିଁ। କେବଳ ପ୍ରତିଷେଧକ ହେଲେ ହେବ ନାହିଁ, ଆରୋଗ୍ୟର ଉପାୟ ବାହାରିଲେ ଯାଇ କୋଭିଡ୍‌ କୋପ କମିବ। ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ ବିଶ୍ୱରେ ଟିକା ଅସମାନତା ଲାଗି ରହିଛି। କେଉଁ ଦେଶରେ ପର୍ଯ୍ୟାପ୍ତ ଟିକା ମିଳୁଥିବା ବେଳେ ଆହୁରି ଅନେକ ରାଷ୍ଟ୍ରରେ ଏହାର ଘୋର ଅଭାବ। ପୂର୍ବରୁ କୁହାଯାଇଛି ଯେ, ଯଦି ବିଶ୍ୱର କୌଣସି କୋଣରେ କାହାଠାରେ କୋଭିଡ୍‌ ଭୂତାଣୁ ରହିଯିବ, ତାହା ହେଲେ ସମଗ୍ର ପୃଥିବୀ କଦାପି ନିରାପଦ ରହିପାରିବ ନାହିଁ। କାରଣ ଏହା ମ୍ୟୁଟେଟ୍‌ ବା ପରିବର୍ତ୍ତନ ହୋଇ ଚାଲିବ। ତେଣୁ ଜି୨୦ ବା ଧନୀ ରାଷ୍ଟ୍ରଗୁଡ଼ିକ ଗରିବ ଦେଶଗୁଡ଼ିକରେ ଟିକା ପହଞ୍ଚାଇବାର ଉଦ୍ୟମ କରିବା ଉଚିତ। ଦ୍ୱିତୀୟ ଲହର ବେଳେ ଏହି ପ୍ରସଙ୍ଗ ବିଶ୍ୱବ୍ୟାପୀ ବିତର୍କ ସୃଷ୍ଟି କରିଥିଲା। ଏବେ ଓମିକ୍ରନ୍‌ ତା’ର କାୟା ବିସ୍ତାର କରିବାରୁ ପୁନଶ୍ଚ ସେହି ଆଲୋଚନା ଜୋର ଧରିଲାଣି। ଯେହେତୁ କୋଭିଡ୍‌-୧୯ ଦ୍ୱିତୀୟ ଲହର ଯାଏ ହିସାବ କରାଯାଇ ଟିକା ପ୍ରସ୍ତୁତ କରାଯାଇଛି, ତାହାର ଶକ୍ତି ଓମିକ୍ରନ୍‌ ଭଳି ନୂଆ ରୂପକୁ କାଟିବା ସନ୍ଦେହ ସୃଷ୍ଟି କରୁଛି। ତେଣୁ ଏଭଳି ସ୍ଥଳେ ଭାରତ ନୂଆ ଭାରିଆଣ୍ଟକୁ ପ୍ରତିହତ କରିବା ଲାଗି ବୁଷ୍ଟର ଡୋଜ୍‌ ଉପରେ ଗୁରୁତ୍ୱ ଦେବା ଦରକାର। ଏଥିସହିତ ଅନ୍ତର୍ଜାତୀୟ ଉଡ଼ାଣ ଅତିଶୀଘ୍ର ସମ୍ପୂର୍ଣ୍ଣ ବନ୍ଦ କରାଯିବା ଉଚିତ। ଏହା କେବଳ ବ୍ୟବସାୟିକ ଉଡ଼ାଣରେ ସୀମିତ ରହିବା ପରିବର୍ତ୍ତେ ଘରୋଇ ଉଡ଼ାଣ ଉପରେ ମଧ୍ୟ କଟକଣା ଜାରି ହେବା ଆବଶ୍ୟକ।
କରୋନାର ଦ୍ୱିତୀୟ ଲହର ପରେ ଭୂତାଣୁର ପ୍ରାଦୁର୍ଭାବ କମିଯିବାରୁ ସରକାର ବିଭିନ୍ନ ସ୍ତରରେ କଟକଣାକୁ କୋହଳ କଲେ। କିନ୍ତୁ ନିଜ ଚରିତ୍ରକୁ ବଦଳାଇବା ପରିବର୍ତ୍ତେ ନାଗରିକମାନେ ଏହି କୋହଳକୁ ଦେଖି ଭାବିନେଲେ ଯେ ଭୂତାଣୁ ଦୁର୍ବଳ ହୋଇଗଲା। ସେଥିପାଇଁ ଅନେକେ ମୁହଁରେ ମାସ୍କ ପିନ୍ଧୁ ନାହାନ୍ତି ଓ ଭିଡ଼ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ଯେତେବେଳେ ଓମିକ୍ରନ୍‌ ବଡ଼ ବିପଦ ଭାବେ ଉଭା ହେଲାଣି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଜଣାଇ ଦେଇଛି, ସେହି ଦୃଷ୍ଟିରୁ ଜନସାଧାରଣ ଅଧିକ ସତର୍କ ହେବା ଜରୁରୀ ହୋଇପଡ଼ିଲାଣି। ‘ନେଡ଼ି ଗୁଡ଼ କହୁଣିକୁ ବହିଯିବା’ ଭଳି ପରେ ଭାବିଲା ବେଳକୁ ଗାତରେ ପଡ଼ିଯାଇଥିବା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri