ଲୁହାପଥର ଉତ୍ପାଦନରେ ଓଏମ୍‌ସିର ସଫଳତା

ଭୁବନେଶ୍ୱର,୯।୪: ଓଡ଼ିଶା ଖଣି ନିଗମ(ଓଏମ୍‌ସି)ର ବାର୍ଷିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୨୦୨୨-୨୩ ଆର୍ଥିକ ବର୍ଷରେ ଓଏମ୍‌ସି ୨୯.୭ ନିୟୁତ ଟନ୍‌ ଲୁହାପଥର ଉତ୍ପାଦନ କରିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଓଏମ୍‌ସି ୨୫.୩୧ ନିୟୁତ ଟନ୍‌ ଉତ୍ପାଦନ କରିଥିଲା। ଉଲ୍ଲେଖଯୋଗ୍ୟ, ଓଏମ୍‌ସି ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ୨୦୨୨-୨୩ ଆର୍ଥିକ ବର୍ଷରେ ଲୁହାପଥର ଉତ୍ପାଦନ ହାର ୧୭% ବୃଦ୍ଧି କରିବାରେ ସକ୍ଷମ ହୋଇଛି। ସେହିଭଳି ଓଏମ୍‌ସିର ମୋଟ ଉତ୍ପାଦନ ହାରକୁ ଦେଖିଲେ ୨୦୨୧-୨୨ ଆର୍ଥିକ ବର୍ଷ ଅପେକ୍ଷା ୨୦୨୨-୨୩ରେ ୧୪.୯% ବୃଦ୍ଧି ପାଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ୨୯.୬୮ ନିୟୁତ ଟନ୍‌ ଲୁହାପଥର, ୩ ନିୟୁତ ଟନ୍‌ ବକ୍ସାଇଟ୍‌ ଓ ୧.୦୮ ନିୟୁତ ଟନ୍‌ କ୍ରୋମ୍‌ ପଥର ଓଏମ୍‌ସି ଉତ୍ପାଦନ କରିଛି। ସେହିପରି ଓଏମ୍‌ସିର ମୋଟ ଖଣିଜ ବିକ୍ରି ପରିମାଣ ୨୦୨୨-୨୩ ଆର୍ଥିକ ବର୍ଷରେ ୨୮.୬ ନିୟୁତ ଟନ୍‌ରେ ପହଞ୍ଚିବା ସହ ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ମୋଟ ଖଣିଜ ବିକ୍ରି ପରିମାଣ ୩.୧% ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷରେ ୨୩.୮ ନିୟୁତ ଟନ୍‌ ଲୁହାପଥର, ୩.୬୧ ନିୟୁତ ଟନ୍‌ ବକ୍ସାଇଟ୍‌ ଏବଂ ୧.୧୬ ନିୟୁତ ଟନ୍‌ କ୍ରୋମ୍‌ ପଥର ବିକ୍ରି କରିବାରେ ଓଏମ୍‌ସି ସକ୍ଷମ ହୋଇଛି। ଅପରପକ୍ଷରେ ଏହା ଅଧୀନରେ ବର୍ତ୍ତମାନ ୧୮ଟି ଖଣି କାର୍ଯ୍ୟକ୍ଷମ ରହିଛି। ଓଏମ୍‌ସି ଅତ୍ୟାଧୁନିକ ଡିଜିଟାଲ ଜ୍ଞାନକୌଶଳ ବ୍ୟବହାର କ୍ଷେତ୍ରରେ ଅଗ୍ରଦୂତ ସାଜି ପ୍ରଭାବଶାଳୀ ରୂପାନ୍ତରଣ ଆଣିବାରେ ସକ୍ଷମ ହୋଇଛି। ପରିବେଶର ସୁରକ୍ଷା ସାଙ୍ଗକୁ ଓଏମ୍‌ସି କ୍ରମାଗତ ଭାବେ ଖଣି ଆଖପାଖ ଅଞ୍ଚଳରେ ବାସକରୁଥିବା ଲୋକଙ୍କ ମନରେ ଖୁସି ଭରିଦେବା ଲାଗି କାର୍ଯ୍ୟ କରୁଛି। ଓଏମ୍‌ସି କେବଳ କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହ କରିବାରେ ନିଜକୁ ସୀମିତ ନ ରଖି ସମାଜର ବିବିଧ କ୍ଷେତ୍ରର ଉନ୍ନତି ଲାଗି ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛି।