Categories: ବାଣିଜ୍ୟ

ଶ୍ରମ ଶକ୍ତିରେ ଅଧିକ ବୟସ୍କ

ନୂଆଦିଲ୍ଲୀ:  ବର୍ତ୍ତମାନ ସମୟରେ ବେକାରି ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ଏହି ସମୟରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଦେଶରେ ବେକାର ହୋଇ ରହିଥିବା ସବୁ ବର୍ଗର ଲୋକମାନଙ୍କ ମଧ୍ୟରେ ଯୁବପିଢିଙ୍କ ସଂଖ୍ୟା ଢେର ଅଧିକ ରହିଛି। କରୋନା ମହାମାରୀ ପରେ ଅର୍ଥନୀତିରେ ହେଉଥିବା ସୁଧାର ପାଇଁ ଏହା ଶୁଭ ସଙ୍କେତ ନୁହେଁ ବୋଲି ଘରୋଇ ସଂସ୍ଥା ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନମି (ସିଏମ୍‌ଆଇଇ) ପକ୍ଷରୁ ସୂଚନା ଦିଆଯାଇଛି। ଦେଶର ଶ୍ରମ ଶକ୍ତିରେ ଅଧିକ ବୟସ୍କ ରହିବା ନେଇ ସିଏମ୍‌ଆଇଇ ମଧ୍ୟ ଅଧିକ ଚିନ୍ତା ପ୍ରକଟ କରିଛି। ମହାମାରୀ ସମୟରେ ଯେଉଁ ବେକାରି ସମସ୍ୟା ସୃଷ୍ଟି ହୋଇଛି ତାହା ମୁଖ୍ୟତଃ ସହରାଞ୍ଚଳରେ ରହିଥିବା ଜଣାପଡିଛି। ଫଳରେ ବେକାର ହୋଇପଡ଼ିଥିବା ଲୋକମାନଙ୍କ ମଧ୍ୟରେ ସ୍ନାତକ ଓ ସ୍ନାତକୋତ୍ତର ପାସ୍‌ କରିଥିବା ଯୁବକ,ଯୁବତୀ ଏବଂ ବେତନଭୋଗୀ ଲୋକଙ୍କ ସଂଖ୍ୟା ଅଧିକ ରହିଛି। ସର୍ଭେ ରିର୍ପୋଟ ଅନୁସାରେ ବେକାରି ସଂଖ୍ୟାରେ ୪୦ ବର୍ଷରୁ କମ୍‌ ବୟସର ଲୋକମାନଙ୍କ ହାର ୬୦% ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ୨୦୧୯-୨୦ ରେ ତାହା ୫୬% ରହିଥିଲା। ବର୍ତ୍ତମାନ ସମୟରେ ଶ୍ରମ ଶକ୍ତିରେ ଯୁବପିଢିଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଜଣାପଡିଛି। ଫଳରେ ଏକ ବୟସ୍କ ଶ୍ରମ ଶକ୍ତିକୁ ନେଇ ଦେଶର ଅର୍ଥନୀତିରେ ସୁଧାର ଆଣିବା ସହଜ ହେବ ନାହିଁ ବୋଲି ସିଏମ୍‌ଆଇଇ ମତ ରଖିଛି। ଯେଉଁମାନଙ୍କ ବୟସ ୨୦ ବର୍ଷ ପାଖାପାଖି ସେମାନଙ୍କ ମଧ୍ୟରୁ ୮୦% ବେକାର ହୋଇଥିବା ବେଳେ ୩୦ ବର୍ଷରୁ କମ ବୟସ ୪୮% ଲୋକ ବେକାର ହୋଇ ରହିିଛନ୍ତି। ୨୦୧୯-୨୦ରେ ବେକାରି ଲୋକଙ୍କ ମଧ୍ୟରୁ ୩୨% ସହରାଞ୍ଚଳରେ ରହିଥିବା ବେଳେ ୨୦୨୦-୨୧ ବର୍ଷର ଡିସେମ୍ବର ସୁଦ୍ଧା ସେଥିରେ ସେହି ଅନୁପାତ ୩୪%ରେ ପହଞ୍ଚିଛି। ସାଧାରଣରେ ଏକ ବିଶ୍ବାସ ରହିଛି ଯେ ସହରାଞ୍ଚଳରେ ଅଧିକ ନିଯୁକ୍ତି ସୃଷ୍ଟି ହୋଇଥାଏ। ଯଦି ସେଠାରେ ଏତେ ଅଧିକ ସଂଖ୍ୟକ ବେକାରି ରହିବ ତେବେ ଏହା ଅର୍ଥନୀତି ପାଇଁ ଭଲ ନୁହେଁ ବୋଲି ସିଏମ୍‌ଆଇଇ ପକ୍ଷରୁ ସର୍ଭେ ରିର୍ପୋଟରେ କୁହାଯାଇଛି। ଦେଶର ମୋଟ ଶ୍ରମ ଶକ୍ତିରେ ମହିଳାଙ୍କ ସଂଖ୍ୟା ମଧ୍ୟ ମାତ୍ର ୧୧% ରହିଥିବା ବେଳେ ମହିଳାଙ୍କ ମଧ୍ୟରେ ବେକାରି ହାର ୫୨% ରହିଛି। ସେହିଭଳି ବିମୁଦ୍ରୀକରଣ ସମୟରେ ଅନେକ ମହିଳା ବେକାରି ହୋଇ ପଡ଼ିଥିଲେ। ଏହାର ପରବର୍ତ୍ତୀ ସମୟରେ କରୋନା ମହାମାରୀ ଅଧିକ ମହିଳାଙ୍କ ହାତରୁ ଜୀବିକା ଛଡ଼ାଇ ନେଇଛି। ଫଳରେ ୨୦୧୯-୨୦ ତୁଳନାରେ ୨୦୨୦ ଡିସେମ୍ବର ସୁଦ୍ଧା ଦେଶର ମୋଟ ନିଯୁକ୍ତିରେ ୧୪.୭ ନିୟୁତ ହ୍ରାସ ଘଟିଛି ବୋଲି ସର୍ଭେରୁ ଜଣାପଡିଛି।

Share