ଏମିତି ବି ଆସେ ମୃତ୍ୟୁ! ଭୋଜି ଖାଉଥିବା ବେଳେ ଟଳିପଡ଼ିଲେ ବୃଦ୍ଧା, ତାପରେ….

ଦିଗପହଣ୍ଡି,୧୯।୭(ଅଶେଷ ନାଥ ମିଶ୍ର): ଭୋଜି ଖାଉଥିବା ସମୟରେ ଟଳିପଡ଼ିଲେ ବୃଦ୍ଧା । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମ ଗୋଲା ସାହିରେ ଘଟିଛି ଏହି ଘଟଣା । ଏ.ମହାଲକ୍ଷ୍ମୀ(୬୨) ନାମ୍ନୀ ଜଣେ ବୃଦ୍ଧା ରବିବାର ଅପରାହ୍ନ ପ୍ରାୟ ସାଢେ ୨ ଟାରେ ଭୋଜି ଖାଉଥିବା ବେଳେ ମୃତ୍ୟୁବରଣ କରିଥିବା ଦୁଃଖଦ ଖବର ମିଳିଛି ।

ଗ୍ରାମର ଇ. ଶ୍ରୀନୁ ପାତ୍ରଙ୍କ ଝିଅ ସ୍ନେହାର ପ୍ରଥମ ଜନ୍ମ ଉତ୍ସବ ପାଇଁ ଗାଁର ଶ୍ରୀ ଧବଳେଶ୍ଵର ଶୈବପୀଠରେ ଭୋଜି ଚାଲିଥିଲା। ଶ୍ରୀନୁଙ୍କ ବାପା ଇ. ଆପ୍ପା ରାଓ ନାତୁଣୀର ଜନ୍ମଦିନ ପାଇଁ ଖୁସିରେ ଗ୍ରାମର ଜାତି ଭାଇ ଓ ଅନ୍ୟମାନଙ୍କୁ ଭୋଜି ପାଇଁ ନିମନ୍ତ୍ରଣ କରିଥିଲେ। ଆପ୍ପାରାଓଙ୍କ ନିମନ୍ତ୍ରଣ ରକ୍ଷାକରି ଗ୍ରାମବାସୀଙ୍କ ସହ ବୃଦ୍ଧା ମହାଲକ୍ଷ୍ମୀ ସାହି ପଡୋଶୀ ବନ୍ଧୁ ବାନ୍ଧବଙ୍କ ସହ ଶୈବପୀଠକୁ ଜନ୍ମଦିନ ଭୋଜି ଖାଇବାକୁ ଯାଇଥିଲେ । ସେ ସେଠାରେ ଭୋଜି ଖାଉଥିବା ବେଳେ ଆକସ୍ମିକ ଭାବେ ଟଳି ପଡ଼ିଥିଲେ । ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ସମ୍ପର୍କୀୟ ଲୋକେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପରେ ମହାଲକ୍ଷ୍ମୀଙ୍କୁ ଘରକୁ ନିଆଯାଇଥିଲା। ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସନ୍ଧ୍ୟାରେ ପରିବାର ଲୋକେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରିଥିବା ଜଣାପଡିଛି ।

Dharitri – Odisha’s No.1 Odia Daily