ଝିଅମାନେ ଅନ୍ୟ ଜାତିରେ ବିବାହ କରିଥିବାରୁ କାନ୍ଧ ଦେବାକୁ ଆସିଲେନି

କୁଚିଣ୍ଡା,୨୦ା୨(ବିରଞ୍ଚତ୍ ଦର୍କା)- ସ୍ବାଧୀନତାର ୭୭ବର୍ଷ ପରେ ବି ମଣିଷ ଅନ୍ଧବିଶ୍ୱାସରୁ ନିଜକୁ ମୁକଳାଇପାରି ନାହିଁ। ଝିଅମାନେ ଅନ୍ୟ ଜାତିରେ ବିବାହ କରିଥିବାରୁ ମା’ଙ୍କ ମୃତଦେହକୁ ଜାତିଭାଇ ଛୁଇଁଲେ ନାହିଁ କି କାନ୍ଧଦେବାକୁ ଆସିଲେନି। ଶେଷରେ ଟ୍ରଲି ରିକ୍ସାରେ ମୃତଦେହ ମଶାଣିକୁ ଗଲା। ସୋମବାର ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲା କୁଚିଣ୍ଡା ଏନ୍‌ଏସି ୱାର୍ଡ ନଂ.୫ ବଡ଼ପଡ଼ାଠାରେ।
କୁଚିଣ୍ଡା ଉପଖଣ୍ଡ ମୁଖ୍ୟାଳୟ ନିକଟରେ ଆଦିବାସୀ ଅଧ୍ୟୁଷିତ ବଡ଼ପଡ଼ା ଗ୍ରାମ ରହିଛି। ଏଠାରେ ବହୁଳ ଭାବେ ଆଦିବାସୀ କିଷାନ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି। ବୃଦ୍ଧା ଗୋମତି ଛତ୍ରିଆ (୭୦) ଏହି ବଡ଼ପଡ଼ାରେ ରୁହନ୍ତି। ଗତ କିଛିବର୍ଷ ପୂର୍ବେ ସ୍ବାମୀ ତାଙ୍କୁ ଛାଡି ଆରପାରିକୁ ଚାଲିଗଲେ। ତାଙ୍କର ପୁଅ ନ ଥିବାବେଳେ କେବଳ ୭ଝିଅ ଅଛନ୍ତି। ସେଥିମଧ୍ୟରୁ ୩ଝିଅ ନିଜ ସମ୍ପ୍ରଦାୟ ଛାଡି ଅନ୍ୟ ଜାତିରେ କୁଆଡେ ବିବାହ କରିଥିବା ଏବଂ ଗୋମତି ଝିଅମାନଙ୍କ ଘରକୁ ଯାଇ ଖିଆପିଆ କରୁଥିବା ନେଇ ସମାଜ ଚଳଣିରୁ ଜାତି ଭାଇମାନେ ଦୂରେଇ ଯାଇଥିଲେ। ଏପରିସ୍ଥିତିରେ ହଠାତ୍‌ ସୋମବାର ଅପରାହ୍ନରେ ଗୋମତିଙ୍କ ମୃତ୍ୟୁ ହୋଇଥିଲା। ଝିଅମାନେ ଜାତିଭାଇଙ୍କ ପାଖରେ ମୃତଦେହ କାନ୍ଧ ଦେବାକୁ କାକୁତିମିନତି ହୋଇଥିଲେ। ମାତ୍ର ସେମାନେ କାନ୍ଧ ଦେବାକୁ ରୋକଠୋକ ମନା କରିଦେଇଥିଲେ। କାନ୍ଧ ପାଇଁ କେହି ନ ଆସିବାରୁ ଶେଷରେ ବୃଦ୍ଧାଙ୍କ ପୁତୁରା ସୁଶାନ୍ତ ଛତ୍ରିଆ ଓ ଜ୍ବାଇଁ ଏକ ଟ୍ରଲି ରିକ୍ସା ଯୋଗାଡ କରି ମୃତଦେହ ମଶାଣିକୁ ନେଇ ଅନ୍ତିମ ସଂସ୍କାର କରିଥିଲେ। ପ୍ରଶାସନର ନାକ ତଳେ ଦେଖାଦେଇଥିବା ଏଭଳି କୁତ୍ସିତ ପରମ୍ପରା ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ମୃତାଙ୍କ ପୁତୁରା କିମ୍ବା ଝିଅ ଜ୍ୱାଇଁମାନେ ଏ ନେଇ ପୋଲିସ କିମ୍ବା ପ୍ରଶାସନକୁ ଅବଗତ କରି ନ ଥିବା ଜଣାଯାଇଛି।