ହାତୀ ନେଲା ବୃଦ୍ଧଙ୍କ ଜୀବନ

ପାଇକମାଳ,୨୫।୧୦(ଡି.ଏନ୍‌.ଏ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅଧୀନ ରସମୁଣ୍ଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ, ଉକ୍ତ ଗ୍ରାମର ରାମଚନ୍ଦ୍ର ନାୟକ(୬୫)।

ମିଳିଥିବା ସୂଚନା ମୁତାବକ, ବିଳମ୍ବିତ ରାତିରେ ରାମଚନ୍ଦ୍ର ପରିସ୍ରା କରିବାକୁ ବାହାରି ଥିଲେ। ସେତିକିବେଳେ ବାହାରେ ବୁଲୁଥିବା ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି। ଏପରିକି ହାତୀଟି ଗାଁରେ ବୁଲିବା ସହ ପରେ ନିକଟ ଗନ୍ଧମାର୍ଦ୍ଧନ ଜଙ୍ଗଲକୁ ପଳାଇଥିବା ଗ୍ରାମବାସୀ କହିଛନ୍ତି। ଖବର ପାଇ ବନ ବିଭାଗ ଅଧିକାରୀ ମଙ୍ଗଳବାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏପରିକି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା ପଠାଯାଇଛି।