ଚା’ ପିଇବାକୁ ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ୍, ତାପରେ…

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ପଞ୍ଚାୟତ ଗୁଣସାଗର ଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାହା ପିଇବାକୁ ଘର ନିକଟ ଦୋକାନକୁ ଯାଉଥିବା ବେଳେ ବିପରୀତ ଦିଗରୁ ଦ୍ରୁତଗତି ରେ ଆସୁଥିବା ଏକ ବାଇକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଭାସ୍କର ମହାନ୍ତି(୭୧) ।

ସୂଚନା ଅନୁସାରେ, ବାଇକ୍ ଧକ୍କା ଦେବା ପରେ ଭାସ୍କର ରାସ୍ତାରେ କଚାଡି ହୋଇ ପଡ଼ିଯାଇଥିଲେ । ଆଖପାଖରେ ଥିବା ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଆଡ଼ପଡ଼ା ଗ୍ରାମ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ପରିବାର ଲୋକେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି ।ଏନେଇ ଏତଲା ହେବାପରେ ପୋଲିସ ମକଦ୍ଦମା ରୁଜୁ କରିବା ସହିତ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଅପରାହ୍ନରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଥିବା ଜଣାପଡ଼ିଛି ।

 

Dharitri – Odisha’s No.1 Odia Daily