ଖଣି କାର୍ଯ୍ୟାଳୟରେ ପୁରୁଣା ଫାଇଲ ପୋଡ଼ି

ଯାଜପୁର ଅଫିସ/ କଳିଙ୍ଗନଗର(ଡି.ଏନ.ଏ.),୫ା୨: ଯାଜପୁରରୋଡ୍‌ର ଧବଳଗିରିସ୍ଥିତ ଖଣି ଉପନିର୍ଦ୍ଦେଶାଳୟ(ଡିଡିଏମ୍‌) କାର୍ଯ୍ୟାଳୟର ପଛପଟେ ର ଶତାଧିକ ସରକାରୀ ଫାଇଲ ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଫାଇଲ ପୋଡ଼ା କାର୍ଯ୍ୟ ପ୍ରାୟ ୨ ଘଣ୍ଟା ଧରି ଚାଲିଥିଲା। ଜଣେ ଅଧିକାରୀ ୨ ଜଣ ପିଅନଙ୍କୁ ଲଗାଇ ଏଭଳି କାମ କରିଥିବା କେତେଜଣ ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ସୂଚନା ମିଳିଛି। ଏ ସଂକ୍ରାନ୍ତରେ ସାମାଜିକ କର୍ମୀ ଦୁଷ୍ମନ୍ତ କୁମାର ରାଉତ ଟୁଇଟ୍‌ ଯୋଗେ ମୁଖ୍ୟମନ୍ତ୍ରୀ, ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ, ଖଣି ଓ ଇସ୍ପାତ ବିଭାଗ, ଯାଜପୁର ଜିଲାପାଳଙ୍କୁ ତଦନ୍ତ ଦାବି କରିଛନ୍ତି। ସେ ଆହୁରି ଦର୍ଶାଇଛନ୍ତି ଯେ, ଯାଜପୁର ରୋଡ ଖଣି ବିଭାଗ ଦ୍ୱାରା ବିଭିନ୍ନ ସମୟରେ ଦୁର୍ନୀତି ଓ ଅନିୟମିତତା ହେଉଥିବା ଅଭିଯୋଗ ହୋଇଆସୁଛି। କେତେକ ଗୁୁରୁତ୍ୱପୂର୍ଣ୍ଣ ଫାଇଲକୁ ପୋଡ଼ି ଦେଇ ପରେ ନ ମିଳିବାର ବାହାନା ଦେଖାଇ ଖଣି, ଟ୍ରାନ୍ସପୋର୍ଟ ଆଦି ବହୁ ସଂସ୍ଥାଙ୍କଠାରୁ ଅଯାଚିତ ଅନୁକମ୍ପା ନିଆଯିବାର ଯଥେଷ୍ଟ ଆଶଙ୍କା ରହିଛି। ତେବେ ପ୍ରମାଣ ନଷ୍ଟ କରିବାକୁ ଯାଇ ଫାଇଲ ପୋଡ଼ା ସ୍ଥାନରେ ପାଉଁଶ ଆସ୍ତରଣ ଦିଆଯାଇଥିବା କୁହାଯାଉଛି।
ସୂଚନାଯୋଗ୍ୟ ଯେ, ଡିଡିଏମ୍‌ କାର୍ଯ୍ୟାଳୟର କେତେଜଣ ଅଧିକାରୀ ମାସିକ ଖଣି କମ୍ପାନୀ ପକ୍ଷରୁ ଦରମା ପାଉଥିବା କୁହାଯାଇଛି। ୨୦୨୦ରେ ଏକ ଖଣି କମ୍ପାନୀର ସିନିୟର ମ୍ୟାନେଜର ଦେଇଥିବା ଇ-ମେଲରୁ ଏହା ପ୍ରମାଣିତ ହୋଇ ସାରିଛି। ଏହି କ୍ରମରେ କୌଣସି ଦୁର୍ନୀତି କିମ୍ବା ଅନିୟମିତତାର ସମ୍ଭାବ୍ୟ ତଦନ୍ତ ସୂଚନା ପାଇ ଗୁରୁତ୍ୱପୂର୍ଣ୍ଣ ଫାଇଲଗୁଡ଼ିକୁ ପୋଡ଼ି ଦିଆଯାଇଥିବା ସନ୍ଦେହ କରାଯାଉଛି।
ଯାଜପୁର, କେନ୍ଦୁଝର, ଅନୁଗୋଳ ଆଦି ଜିଲା ଦେଇ ଯାଇଥିବା ଜାତୀୟ ରାଜପଥ କଡ଼ରେ ବିିଭିନ୍ନ ସମୟରେ ଚୋରା ଲୁହାପଥର ଠାବ ହେଉଛି। ଏହି ବିପୁଳ ପରିମାଣର ଲୁହାପଥର କେଉଁଠୁ ଆସିଲା ସେନେଇ ଖଣି ବିଭାଗ ସ୍ପଷ୍ଟ ଉତ୍ତର ରଖି ପାରୁନାହିଁ। ଏହାକୁ ନେଇ ପ୍ରାୟ ୧୦ ବର୍ଷ ତଳର ଖଣି ଦୁର୍ନୀତିର ପୁଣି ପୁନରାବୃତ୍ତି ହେଉଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଖଣି ବିଭାଗ ଓ ପାରାଦୀପ ପୋର୍ଟର କେତେଜଣ ଅସାଧୁ କର୍ମଚାରୀଙ୍କ ସହଯୋଗରେ ନକଲି ଚାଲାଣ କାଟି ଚୋରା ଲୁହାପଥର ପରିବହନ କରାଉଥିବା ଏଥିରୁ ସନ୍ଦେହ କରାଯାଉଛି। ପାଖାପାଖି ୧୦ ବର୍ଷ ତଳେ ଯୋଡ଼ା ଖଣି ଅଞ୍ଚଳରୁ ୫୯,୨୦୩ କୋଟି ଟଙ୍କାର ଲୁହାପଥର ଓ ମାଙ୍ଗାନିଜ ଅନୁମତିଠାରୁ ଅଧିକ ଉତ୍ତୋଳନ କରାଯାଇ ଚୋରାଚାଲାଣ ହୋଇଥିବା ସାହା କମିଶନ ରିପୋର୍ଟରୁ ଜଣାପଡ଼ିଥିଲା।
ଫାଇଲ ପୋଡ଼ି ସଂକ୍ରାନ୍ତରେ ଯାଜପୁର ରୋଡ୍‌ ଡିଡିଏମ୍‌ ପ୍ରିୟଦର୍ଶୀ ସନ୍ଦୀପ କୁମାର ବଳଙ୍କୁ ପଚାରିବାରେ ସେ କହିଛନ୍ତି, ସାପ ପଶିଯିବାରୁ ସୁରକ୍ଷା ଦୃଷ୍ଟିରୁ ଫାଇଲଗୁଡ଼ିକୁ ପୋଡ଼ି ଦିଆଯାଇଛି। ଏଥିରେ କୌଣସି ଅନିୟମିତତା କିମ୍ବା ଦୁର୍ନୀତିର ଖବର ନାହିଁ। ବର୍ତ୍ତମାନ ଅନ୍‌ଲାଇନରେ ସବୁ କାମ ହେଉଥିବାରୁ ପୁରୁଣା ଫାଇଲର କିଛି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।