ହାଇକୋର୍ଟରେ ଗୋଳନ୍ଥରା ହାଜତ ମୃତ୍ୟୁ

କଟକ ଅଫିସ, ୧୧।୫: ଗଞ୍ଜାମ ଜିଲା ଗୋଳନ୍ଥରା ହାଜତ ମୃତ୍ୟୁ ଘଟଣାରେ ସୋମବାର ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରିଛନ୍ତି। ସେ ତାଙ୍କ ପିଟିଶନରେ ଦର୍ଶାଇଛନ୍ତି, ଗୋଳନ୍ଥରା ଥାନା ଅଧୀନ ରଙ୍ଗିପୁରର ଗଣେଶ ଡାକୁଆ ନାମକ ଯୁବକ ଥାନାରେ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ମାରି ଦିଆଯାଇଛି। ପରେ ପୋଲିସ ପିନ୍ଧିଥିବା ବେଲ୍ଟରେ ମୃତକଙ୍କୁ ଝରକାରେ ଟାଙ୍ଗି ଆତ୍ମହତ୍ୟାର ରୂପ ଦିଆଯାଇଛି। ଏହି ମାମଲାରେ ଗୋଳନ୍ଥରା ପୋଲିସର ଭୂମିକା ସନ୍ଦେହଘେରକୁ ଆସିଛି। ଯେହେତୁ ଏହି ଘଟଣା ଏକ ହାଜତ ମୃତ୍ୟୁ ସମ୍ପର୍କିତ ତେଣୁ ଉକ୍ତ ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଉ। ଗଣେଶଙ୍କ ଏକ ଦେଢ଼ ବର୍ଷର ପୁଅ ରହିଥିବାବେଳେ ତାଙ୍କ ସ୍ତ୍ରୀ ଏବେ ଗର୍ଭବତୀ ଅଛନ୍ତି। ବୃଦ୍ଧ ମାଆ ବାପାଙ୍କର ଗଣେଶ ଏକମାତ୍ର ରୋଜଗାରିଆ ପୁଅ ଥିଲେ। ଏଣୁ ତାଙ୍କ ପରିବାରକୁ ରାଜ୍ୟ ସରକାର ଆର୍ଥିକ ସହାୟତା ସ୍ବରୂପ ୫୦ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ଏହି ମାମଲାରେ କେନ୍ଦ୍ର ଗୃହ ସଚିବ, ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ପ୍ରମୁଖ ଶାସନ ସଚିବ, ଡିଜିପି, ବ୍ରହ୍ମପୁର ଏସ୍‌ପି ଓ ଗୋଳନ୍ଥରା ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି।
ପ୍ରକାଶ ଯେ ଏକ ଇଟାଭାଟିରେ ଶ୍ରମିକମାନଙ୍କୁ ଗାଳିଗୁଲଜ ସହ ମାଡ଼ ମାରିବା ଅଭିଯୋଗରେ ଗଣେଶଙ୍କୁ ଗୋଳନ୍ଥରା ପୋଲିସ ଗତ ୩ ତାରିଖରେ ଥାନାକୁ ଆଣି ଶିଶୁ ଓ ମହିଳା ଅଭ୍ୟର୍ଥନା କକ୍ଷରେ ରଖି ପଚରାଉଚରା କରିଥିଲା। ରାତି ପ୍ରାୟ ୮ଟାରେ ପୋଲିସ କର୍ମଚାରୀଙ୍କ ଅନୁପସ୍ତିତିର ସୁଯୋଗ ନେଇ ଗଣେଶ ପିନ୍ଧିଥିବା ବେଲ୍ଟକୁ ବେକରେ ବାନ୍ଧି ଝୁଲି ପଡ଼ିଥିଲେ। ଏହାଦେଖି ଦାୟିତ୍ୱରେ ଥିବା ସେଣ୍ଟ୍ରି ଗଣେଶଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କାର୍ଯ୍ୟରେ ଅବହେଳା ଅଭିଯୋଗରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ଏଏସ୍‌ଆଇ ପ୍ରକାଶ ଚନ୍ଦ୍ର ଆଚାର୍ଯ୍ୟ ଏବଂ କନଷ୍ଟେବଳ ଡି.ପି. ଜେନାଙ୍କୁ ନିଲମ୍ବିତ କରିଥିଲେ। ଏପରି କି ଗୋଳନ୍ଥରା ଥାନା ଅଧିକାରୀ ବାବୁଲି ନାୟକଙ୍କୁ ଘଟଣାର ତଦନ୍ତ ଶେଷ ପର୍ଯ୍ୟନ୍ତ ଜିଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଏହି ମାମଲାରେ ରାଜ୍ୟ ମାନବ ଅଧିକାର ଆୟୋଗରେ ମଧ୍ୟ ଏକ ମାମଲା ଚାଲୁ ରହିଛି।