Categories: ଗଞ୍ଜାମ

ଓକେସିଏଲ ଗଞ୍ଜାମ-ଗଜପତି ଜିଲାର ମିଳିତ ବାର୍ଷିକ ସମ୍ମିଳନୀ

ଗଞ୍ଜାମ,୧୭।୯,(ଦିଲ୍ଲୀପି ସାମଲ/ଦାରିକା ପଟ୍ଟନାୟକ ): ଛତ୍ରପୁର ସ୍ଥିତ ଶିବ କୁମାର ପଟ୍ଟନାୟକ ସ୍ମାରକୀ ରିଡିଂ ରୁମ ପରିସରରେ ଗୁରୁବାର ଓକେସିଏଲ ଗଞ୍ଜାମ-ଗଜପତି ଜିଲାର ମିଳିତ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଓକେସିଏଲର ଗଞ୍ଜାମ ଜିଲା ମୂଖ୍ୟ ଏସ ରେଖା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓକେସିଏଲର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ମନୋରଞ୍ଜନ ପୁଥାଳ ମୂଖ୍ୟ ଅତିଥି ଭାବେ ଓ ଆଞ୍ଚଳିକ ପରିଚାଳିକା ଇପ୍ସିତା ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶା ସରକାରଙ୍କ ଆଇଟି ଏବଂ ଇଲେକ୍ଟ୍ରୋନିକ୍ସ ବିଭାଗ ଅଧିନରେ କାର୍ଯ୍ୟକରୁଥିବା ଏହି ସଂସ୍ଥା ଏବେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରଶିକ୍ଷଣ ପାଇଁ ଜନସାଧାରଣ ଓ ଛାତ୍ରୀଛାତ୍ରମାନଙ୍କ ବିଶ୍ୱାସଭାଜନ ହୋଇ ପାରିଛି। ଏଣୁ ସମସ୍ତ ନେଟୱର୍କ ଅଂଶୀଦାରମାନେ ନୂତନ ପରିସ୍ଥିତିକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ଏବଂ ଓକେସିଏଲ ଦ୍ବାରା ପ୍ରସ୍ତୁତ ଅତ୍ୟାଧୁନିକ ପାଠ୍ୟକ୍ରମ ଗୁଡ଼ିକୁ ତୃଣମୂଳ ସ୍ତରରେ ପ୍ରତ୍ୟେକ ପଞ୍ଚାୟତରେ ପହଞ୍ଚାଇବାକୁ ଯୋଜନା କରିବାକୁ ଶ୍ରୀ ପୁଥାଳ ଆହ୍ବାନ ଦେଇଥିଲେ। ଏହି ଅବସରରେ ୨୦୨୫ ମସିହାରେ ଭଲ ପ୍ରଦର୍ଶନ କରିଥିବା ଅଂଶୀଦାର କେନ୍ଦ୍ରମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏକ ଦଶନ୍ଧି ପୂର୍ବେ ଡଃ ମନୋରଞ୍ଜନ ପୁଥାଳ ଓକେସିଏଲର ଦାୟିତ୍ୱ ନେବା ସମୟରେ ବାର୍ଷିକ ଦଶ ହଜାର ଛାତ୍ରୀଛାତ୍ର ଓକେସିଏଲର ପାଠ୍ୟକ୍ରମରେ ଶିକ୍ଷା ଲାଭ କରୁଥିବା ବେଳେ ୨୦୨୬ ବର୍ଷର ପ୍ରଥମ ଆଠ ମାସ ମଧ୍ୟରେ ଏକ ଲକ୍ଷ ଛାତ୍ରୀଛାତ୍ର ପାଠ୍ୟକ୍ରମ ସହ ଯୋଡ଼ି ହୋଇ ଯେଉଁ ଐତିହାସିକ ସଫଳତା ହାସଲ କରିଛି ଏଥିପାଇଁ ସେମାନଙ୍କ ଅବଦାନ ପାଇଁ ଓକେସିଏଲର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ମନୋରଞ୍ଜନ ପୁଥାଳ ଓ ଆଞ୍ଚଳିକ ପରିଚାଳିକା ଇପ୍ସିତା ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓକେସିଏଲର ଗଜପତି ଜିଲା ମୂଖ୍ୟ ଶ୍ରୀକାନ୍ତ ମହାନ୍ତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Dharitri – Odisha’s No.1, Most Trusted Odia Daily

Share