ଓଜେଇଇ ଆରମ୍ଭ

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ସୋମବାରଠାରୁ ଆରମ୍ଭ ହୋଇଛି। କରୋନା ପାଇଁ ଏଥର ଓଜେଇଇ ଅହେତୁକ ବିଳମ୍ବରେ ହୋଇଛି। ତେବେ ପ୍ରଥମ ଦିନରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ପରୀକ୍ଷା ସୁରୁଖୁରୁରେ ଶେଷ ହୋଇଛି। ଓଡ଼ିଶାର ୨୧ ସହରର ୫୦ଟି ଏବଂ କୋଲକାତା ସମେତ ଝାଡ଼ଖଣ୍ଡର ରାଞ୍ଚି ଓ ବିହାରର ପାଟଣା ସହରରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ଏକା ସମୟରେ ପରୀକ୍ଷା ଆରମ୍ଭ ହୋଇଛି। ୧୦,୭୧୭ ଛାତ୍ରୀଛାତ୍ର ପରୀକ୍ଷା ଦେବାକୁ ନାମ ପଞ୍ଜୀକରଣ କରିଥିବାବେଳେ ୭,୬୩୩ ବା ୭୧% ଉପସ୍ଥାନ ରହିଥିବା ଓଜେଇଇ ଅଧ୍ୟକ୍ଷ ସୁଦୀପ୍‌ କୁମାର ଚାନ୍ଦ କହିଛନ୍ତି। ତିନୋଟି ସିଫ୍ଟରେ ପରୀକ୍ଷା ହୋଇଥିଲା। ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବା ସମୟରେ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ପ୍ରବେଶ ପଥ ଓ ବିଭିନ୍ନ ସ୍ଥାନରେ ସାନିଟାଇଜର ବ୍ୟବସ୍ଥା ରହିଥିଲା। ପରୀକ୍ଷାର୍ଥୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଥିଲା। ଆସନ୍ତା ୧୯ତାରିଖ ପର୍ଯ୍ୟନ୍ତ ଓଜେଇଇ ଚାଲିବ।