ପାରାଦୀପ,୧୯।୩(ଶରତ ରାଉତ):ଯୁଦ୍ଧ ପ୍ରଭାବିତ ଦେଶ ଓମାନ୍ରୁ ଏକ ଅଶୋଧିତ ତୈଳ ବୋଝେଇ ଜାହାଜ ମେରାଇନ ଟ୍ୟାଙ୍କର(ଏମ୍ଟି)ଫ୍ଲୋରା ପାରାଦୀପ ବନ୍ଦର ସିଙ୍ଗଲ ପଏଣ୍ଟ ମୋରିଂସିଷ୍ଟମ(ଏସ୍ପିଏମ୍) ୩ରେ ବୁଧବାର ଲାଗିଛି। ଏଥିରେ ଥିବା ୨ ଲକ୍ଷ ୫୦ ହଜାର ମେଟ୍ରିକ ଟନ୍ ଅଶୋଧିତ ତୈଳ ଅପସାରଣ ହେଉଛି। ଶୁକ୍ରବାର ସା ସୁଦ୍ଧା ତୈଳ ଖଲାସ ହେବ ବୋଲି ପୋର୍ଟ ଡେଲି ଟ୍ରାଫିକ ରିପୋର୍ଟ(ଡିଟିଆର୍)ରୁ ଜଣାପଡ଼ିଛି। ଉକ୍ତ ଜାହାଜ ଇରାନ ପାଖ ହର୍ମୁଜ ଦେଇ ଆସିଥିବା ସୂଚନା ମିଳିଛି। ଜାହାଜ ବୋଝେଇ ହୋଇଥିବା ବନ୍ଦର ମୁସ୍କାଟ ଓମାନ ବୋଲି ଜଣାପଡ଼ିଛି। ରୁଷିଆନ୍ ଏକ୍ସପୋର୍ଟ ଗ୍ରେଡ୍ ଅଶୋଧିତ ତୈଳ ଏଥିରେ ଆସିଛି। ଇଣ୍ଡିଆନ ଅଏଲ ଉକ୍ତ ତୈଳ ଆମଦାନୀ କରିଛି। ସମ୍ପ୍ରତି ଇସ୍ରାଏଲ୍, ଆମେରିକା ସହ ଇରାନ୍ର ଯୁଦ୍ଧ ଚାଲିଛି। ଏନେଇ ଇରାନ ହର୍ମୁଜ ଦେଇ ଆସୁଥିବା ଜାହାଜ ଚଳାଚଳ ଉପରେ କଟକଣା ଲଗାଇଛି। ଫଳରେ ଭାରତକୁ ତୈଳ ଓ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏହାର ପ୍ରଭାବ ଏବେ ସମଗ୍ର ଦେଶରେ ଦେଖାଦେଲାଣି। ଏପରି ସମୟରେ ଅଶୋଧିତ ତୈଳ ଯୋଗାଣ ସ୍ବାଭାବିକ ହେବା କିଛିଟା ଆଶ୍ୱସ୍ତି ଆଣିଛି।
ଏସ୍ପିଏମ୍ ହେଉଛି ଭାସମାନ ବର୍ଥ। ପାରାଦୀପ ବନ୍ଦର ପୋତାଶ୍ରୟ ଠାରୁ ୨୦ କିମି ଦୂର ସମୁଦ୍ର ମଧ୍ୟରେ ଏହା ରହିଛି। ଉକ୍ତ ବର୍ଥରେ କେବଳ ବୃହତ୍ ତୈଳବାହୀ ଜାହାଜ ଲାଗିଥାଏ। ସେଠାରୁ ପାଣି ତଳେ ଥିବା ପାଇପ୍ଲାଇନ ଜରିଆରେ ଇଣ୍ଡିଆନ ଅଏଲ ପାଇପ୍ଲାଇନ ପ୍ରକଳ୍ପ ଟ୍ୟାଙ୍କର ମଧ୍ୟକୁ ଆସିଥାଏ। ଉକ୍ତ ଅଶୋଧିତ ତୈଳ ପାରାଦୀପ ହଳଦିଆ ବୌରେଣୀ ବିଶୋଧନାଗାର ମଧ୍ୟରେ ଶୋଧନ କରିବା ପରେ ଯୋଗାଣ କରାଯାଇଥାଏ।
Dharitri – Odisha’s No.1 Odia Daily

