ଲଗାତର ତୃତୀୟ ଦିନ ବଢ଼ିଲା ତେଲ ଦର

ଭୁବନେଶ୍ୱର/ନୂଆଦିଲ୍ଲୀ,୧୩।୫: ଦେଶ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ଥମିବାର ନଁା ନେଉନାହିଁ। ଲଗାତର ତୃତୀୟ ଦିନ ଲାଗି ତେଲ ଦର ବୃଦ୍ଧି ପାଇଛି। ଫଳରେ ବୁଧବାର ଭୁବନେଶ୍ୱରରେ ପେଟ୍ରୋଲ ୨୫ ପଇସା ବଢ଼ି ୯୨.୭୫ ଟଙ୍କା ଏବଂ ଡିଜେଲ ୨୮ ପଇସା ଊର୍ଦ୍ଧ୍ୱରେ ରହି ୯୦ ଟଙ୍କା ଛୁଇଁଛି। ସେହିଭଳି ରାଜ୍ୟରେ ଡିଜେଲ ସର୍ବକାଳୀନ ରେକର୍ଡ ଉଚ୍ଚ ସ୍ତରରେ ରହିଛି। ମାଲକାନଗିରିର ମୋଟୁରେ ପେଟ୍ରୋଲ ଲିଟର ପିଛା ପ୍ରାୟ ୯୮ ଟଙ୍କା ଛୁଇଁଥିବା ବେଳେ ଏଠାରେ ପ୍ରିମିୟମ ପେଟ୍ରୋଲ ଲାଗି ଲୋକଙ୍କୁ ପ୍ରାୟ ୧୦୪ ଟଙ୍କା ଦେବାକୁ ପଡୁଛି।
ନୂଆଦିଲ୍ଲୀରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ୨୫ ପଇସା ଲେଖାଏ ବଢ଼ିବା ଯୋଗୁ ଦର ଯଥାକ୍ରମେ ୯୨.୦୫ ଟଙ୍କା ଏବଂ ୮୨.୬୧ ଟଙ୍କା ଛୁଇଁଛି। ଦେଶର ବିଭିନ୍ନ ସମୟରେ ତେଲ ଦର ବୃଦ୍ଧି ପାଉଥିବା ଜଣାପଡିଛି। ରାଜ୍ୟ ସ୍ତରରେ ଲାଗୁ ହେଉଥିବା ଭାଟ୍‌ ଯୋଗୁ ଦର ଭିନ୍ନ ଭିନ୍ନ ରହୁଥିବା ଦେଖିବାକୁ ମିଳିଛି। ମୁମ୍ବାଇରେ ପେଟ୍ରୋଲ ୯୮.୩୬ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ଦର ୮୯.୭୫ ଟଙ୍କା ରହିଛି। ରାଜସ୍ଥାନ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ପେଟ୍ରୋଲ ୧୦୦ ଟଙ୍କା ଛୁଇଁଛି। ଚଳିତ ସପ୍ତାହରେ ପ୍ରତିଦିନ ତେଲ ଦର ବଢ଼ିଚାଲିଛି। ଗତ ଶନିବାର ଏବଂ ରବିବାରକୁ ଛାଡ଼ିଲେ ଏହାର ପୂର୍ବ ୪ ଦିନ ମଧ୍ୟ ଦର ଲଗାତର ବଢ଼ିଥିଲା। ଗତ ୭ ଦିନରେ ନୂଆଦିଲ୍ଲୀରେ ପେଟ୍ରୋଲ ୧.୫୦ ଟଙ୍କା ଏବଂ ଡିଜେଲ ୧.୮୮ ଟଙ୍କା ମହଙ୍ଗା ହୋଇଛି।
ବିଭିନ୍ନ ରାଜ୍ୟରେ ନିର୍ବାଚନ ରହିବା ଯୋଗୁ ତେଲ କମ୍ପାନୀଗୁଡିକ ଦର ପରିବର୍ତ୍ତନ କରୁ ନ ଥିଲେ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ିବା ଯୋଗୁ ତୈଳ ବିପଣନ କମ୍ପାନୀଗୁଡିକ ଲିଟର ପିଛା ୨ରୁ ୩ ଟଙ୍କା କ୍ଷତି ସହିବା କହିଥିଲେ। ନିର୍ବାଚନ ସରିବା ପରେ ଏହି କ୍ଷତିକୁ ଭରଣା କରିବା ଲାଗି କମ୍ପାନୀ ଲଗାତର ଦର ବଢାଇ ଚାଲିଛନ୍ତି। ଏହାବାଦ ଚଳିତ ମାସରୁ ବିମାନ ଇନ୍ଧନ ଦର ୬.୭% ବୃଦ୍ଧି କରାଯାଇଛି। ଉଲ୍ଲେଖଯୋଗ୍ୟ, ଅନ୍ତର୍ଜାତୀୟ ବଜାରରେ ବର୍ତ୍ତମାନ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୬୯ ଡଲାର ରହିଛି।