Categories: ବାଣିଜ୍ୟ

ବଢ଼ିପାରେ ଖାଇବା ତେଲ ଦର

ମୁମ୍ବାଇ,୧୦।୨: ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ଖାଇବା ତେଲ ଦର କମାଇବା ପାଇଁ ସରକାର ଉଦ୍ୟମ ଚଳାଇଥିଲେ। କିନ୍ତୁ ବିଶ୍ୱର ସର୍ବବୃହତ୍‌ ତେଲ ଯୋଗାଣକାରୀ ରାଷ୍ଟ୍ର ଇଣ୍ଡୋନେସିଆ ରପ୍ତାନି ଉପରେ କଟକଣା ଲଗାଇବାରୁ ଅନ୍ତର୍ଜାତୀୟ ବଜାରରେ ଏହି ତେଲ ଦର ବଢ଼ିଯାଇଛି। ଫଳରେ ଭାରତୀୟ ବଜାରରେ ଖାଇବା ତେଲ ଦର ବଢ଼ିବା ସମ୍ଭାବନା ସୃଷ୍ଟି ହୋଇଛି। ଘରୋଇ ବଜାରରେ ତେଲ ଦର କମାଇବା ପାଇଁ ସରକାର ଆମଦାନି ଟିକସ ହ୍ରାସ କରିବା ସହ ମହଜୁଦ ସୀମା ଧାର୍ଯ୍ୟ କରିଥିଲେ। ଏଥିସହିତ ଖାଇବା ତେଲ ଓ ତୈଳବୀଜର ଫ୍ୟୁଚର ଟ୍ରେଡିଂକୁ ମଧ୍ୟ ବନ୍ଦ କରାଯାଇଥିଲା। ଫଳରେ ତେଲ ଦର କିଛି ପରିମାଣରେ ହ୍ରାସ ପାଇଥିଲା। ତେବେ ଆବଶ୍ୟକ ଖାଇବା ତେଲର ଦୁଇ-ତୃତୀୟାଂଶ ବିଦେଶରୁ ଆମଦାନୀ ହେଉଥିବାବେଳେ ଇଣ୍ଡୋନେସିଆ ଏହାର ୨୦ ପ୍ରତିଶତ ତେଲ ଘରୋଇ ବଜାରରେ ବିକ୍ରି କରିବାକୁ ଉତ୍ପାଦନକାରୀ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛି। ଫଳସ୍ବରୂପ ଅନ୍ତର୍ଜାତୀୟ ବଜାରରେ ତେଲ ଦର ବୃଦ୍ଧି ପାଇଛି। ଭାରତର ଦର ହ୍ରାସ ଉଦ୍ୟମରେ ଏହା ବାଧକ ହୋଇଥିବା ମୁମ୍ବାଇର ସଲଭେଣ୍ଟ ଏକ୍ସଟ୍ରାକ୍ଟର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବି.ଭି. ମେହେଟା କହିଛନ୍ତି। ଦେଶରେ ସର୍ବାଧିକ ବ୍ୟବହାର ହେଉଥିବା ପାମ୍‌ ତେଲ ଦାମ୍‌ ୨୦୧୧ରେ ୧୨ ପ୍ରତିଶତ ବୃଦ୍ଧି ପାଇ ୧୦ କିଲୋଗ୍ରାମ ଦାମ୍‌ ୧,୨୨୮ ଟଙ୍କାରେ ପହଞ୍ଚତ୍ଛି। ଅଶୋଧିତ ପାମ୍‌ ତେଲ ଟନ୍‌ ପ୍ରତି ଦାମ୍‌ ୧,୪୫୦ ଡଲାର ଥିବାବେଳେ ଅଶୋଧିତ ସୋୟାବିନ ତେଲ ଦାମ୍‌ ୧,୪୯୦ ଡଲାର ଏବଂ ସୂର୍ଯ୍ୟମୁଖି ତେଲ ଦର ୧,୪୫୫ ଡଲାର ରହିଛି। ତେଲ ଦର କମ୍‌ ରଖିବା ପାଇଁ ସରକାରଙ୍କ ପକ୍ଷରୁ ଚାପ ପକାଯାଉଛି। ତେବେ କିଣା ଦାମ୍‌ଠାରୁ କମ୍‌ ଦରରେ ଆମଦାନି ତେଲ ବିକ୍ରି କରିବା ସମ୍ଭବ ନୁହେଁ ବୋଲି ମୁମ୍ବାଇର ତୈଳ ବିଶୋଧନକାରୀ କମ୍ପାନୀ କହିଛି।

Share