ତୈଳ ରାଜନୀତି, ଭାଜପା ଶାସିତ ରାଜ୍ୟରେ କମିଲା ପେଟ୍ରୋଲ-ଡିଜେଲ ଦାମ…

ନୂଆଦିଲ୍ଲୀ,୪।୧୧: ଦେଶରେ ଏବେ ଆରମ୍ଭ ହୋଇଛି ତୈଳ ରାଜନୀତି। ଦେଶର ଭାଜପା ଶାସିତ ୧୦ ରାଜ୍ୟରେ ପେଟ୍ରୋଲ-ଡିଜେଲ ଦାମ୍‌ କମିଛି। ଆସାମ, ତ୍ରିପୁରା, ମଣିପୁର, କର୍ନାଟକ, ଗୋଆ, ଉତ୍ତରପ୍ରଦେଶ, ଗୁଜୁରାଟ, ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଅତିରିକ୍ତ ହ୍ରାସ ଘୋଷଣା କରାଯାଇଛି। ପେଟ୍ରୋଲ ଉପରେ ଏକ୍ସାଇଜ ଶୁଳ୍କ ୫ ଟଙ୍କା ଏବଂ ଡିଜେଲ ଉପରେ ୧୦ ଟଙ୍କା ହ୍ରାସ କରାଯାଇଛି। ଗୁରୁବାର ଠାରୁ ଏହି ମୂଲ୍ୟ ହ୍ରାସ ଲାଗୁ ହୋଇଛି।

ଆସାମ, ତ୍ରିପୁରା, ମଣିପୁର, କର୍ନାଟକ ଏବଂ ଗୋଆ କେନ୍ଦ୍ରର ମୂଲ୍ୟ ହ୍ରାସ ସହିତ ଉଭୟ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୭ ଟଙ୍କା କମାଇଛନ୍ତିି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ଯେ, ପେଟ୍ରୋଲ ଉପରେ ଭାଲ୍ୟୁ ଆଡେଡ ଟ୍ୟାକ୍ସ (ଭାଟ) ରାଜ୍ୟରେ ଲିଟର ପିଛା ୨ ଟଙ୍କା ହ୍ରାସ କରାଯାଇଛି। ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି ଯେ ତାଙ୍କ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ମଧ୍ୟ ଭାଟ ହ୍ରାସ କରଛନ୍ତି।

ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୭ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ ହ୍ରାସ କରିବାକୁ ରାଜ୍ୟଗୁଡ଼ିକ ପକ୍ଷରୁ ଦୀର୍ଘ ଦିନରୁ ଅନୁରୋଧ କରାଯାଇଥିଲା। ଗତ କିଛି ମାସ ମଧ୍ୟରେ ଇନ୍ଧନ ମୂଲ୍ୟ ବୃଦ୍ଧି ପାଉଛି। କେତେକ ରାଜ୍ୟରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୨୦ ଟଙ୍କା ଛୁଇଁଥିବା ବେଳେ ଡିଜେଲ ଦାମ ଦେଶର ୩ ମେଟ୍ରୋରେ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି।

ଇନ୍ଧନର ମୂଲ୍ୟ ବୃଦ୍ଧି ନେଇ ବିରୋଧୀ ଦଳ ଶାସକ ଭାଜପାକୁ ଘେରିବା ଉଦ୍ୟମ ଜାରି ରଖିଛନ୍ତି।
ଗତ କିଛି ମାସ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଘଟିଛି। ଫଳ ସ୍ବରୂପ, ପେଟ୍ରୋଲ ଏବଂ ଡିଜେଲର ଘରୋଇ ମୂଲ୍ୟ ଗତ ସପ୍ତାହରେ ଆକାଶଛୁଆଁ ହୋଇଛି।

Share