ପାରାଦୀପ,୨୨।୫ (ଶରତ ରାଉତ): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳର ୧ ନଂ ଗେଟ୍ ନିକଟରେ ଶୁକ୍ରବାର ଏକ ଅଘଟଣ ଘଟିଛି। ସାଉଥ୍ ଅଏଲ ବର୍ଥ ଜେଟିରୁ ଆଇଓସିଏଲ ଟର୍ମିନାଲ ପର୍ଯ୍ୟନ୍ତ ମାଟି ତଳେ ଥିବା ପାଇପ୍ ଲାଇନ୍ ଫାଟିଯିବାରୁ ବିପୁଳ ପରିମାଣର ତେଲ ସେଠାରେ ନିର୍ଗତ ହୋଇ ବୋହିଯାଇଛି।
ଘଟଣା ସମ୍ପର୍କରେ ଜଣାପଡିବା ପରେ ବନ୍ଦର ସିଆଇଏସଏଫ, ଅଗ୍ନିଶମ ବିଭାଗ ଓ ଆଇଓସିଏଲର ବୈଷୟିକ ଟିମ୍ ତତ୍କ୍ଷଣାତ୍ ସ୍ଥଳକୁ ପହଞ୍ଚିଥିଲେ। ସେମାନେ ତେଲ ନିର୍ଗତକୁ ନିୟନ୍ତ୍ରଣ କରିବା ସହ ଯୁଦ୍ଧକାଳୀନ ଭାବରେ ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି।
ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳକୁ ଅନ୍ୟ ଯାନଚଳାଚଳ ବନ୍ଦ କରାଯାଇଛି ଓ ସିଆଇଏସଏଫ ପକ୍ଷରୁ କଡା ନଜରଦାରି ଚାଲିଛି। ପାଇପ୍ ଲାଇନ୍ କେମିତି ଫାଟିଲା, ସେ ସମ୍ପର୍କରେ ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।
ଉକ୍ତ ପାଇପ୍ ଲାଇନ୍ ମାଧ୍ୟମରେ ଶୋଧିତ ତେଲ ଆଇଓସିଏଲ, ବିପିସିଏଲ ଓ ଏଚପିସିଏଲ ଟର୍ମିନାଲକୁ ପହଞ୍ଚାଯାଏ। ସେଠାରୁ ଟ୍ୟାଙ୍କର ମାଧ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନକୁ ତେଲ ଯୋଗାଣ ହୋଇଥାଏ।
ଏହା ପୂର୍ବରୁ ମଧ୍ୟ ଏହି ପାଇପ୍ ଲାଇନ୍ରୁ ଅନେକଥର ତେଲ ଲିକେଜ୍ ଘଟିଥିବା ସୂଚନା ମିଳିଛି। ସେତେବେଳେ ଚୋରି ସମୟରେ ଏପରି ଅଘଟଣ ଘଟୁଥିଲା।
ଏହି ଘଟଣା ସମ୍ପର୍କରେ ଆଇଓସିଏଲ ଟର୍ମିନାଲ ମ୍ୟାନେଜର ଶିଶିର ତିଓ୍ବାରୀଙ୍କୁ ପଚାରିବାରେ ସେ ଘଟଣାକୁ ଅସ୍ୱୀକାର କରିଥିଲେ।