ତେହରାନ୍ ,୩ା୩:ଇରାନ-ଆମେରିକା ଯୁଦ୍ଧ କ୍ରମଶଃ ଗମ୍ଭୀର ହେବାରେ ଲାଗିଛି। ସୋମବାର ତୃତୀୟ ଦିନରେ ଉଭୟ ପକ୍ଷ ଆକ୍ରମଣ ଜାରି ରଖିଥିଲାବେଳେ କ୍ଷୟକ୍ଷତି ମଧ୍ୟ ବଢିବାରେ ଲାଗିଛି। ଆମେରିକା ଟାର୍ଗେଟରେ କେବଳ ଇରାନ ରହିଛି। କିନ୍ତୁ ଆମେରିକା ବିରୋଧରେ ଉପସାଗରୀୟ ଅଞ୍ଚଳର ୬ ପ୍ରମୁଖ ଦେଶ ସମେତ ସାଇପ୍ରସ୍ ଭଳି କେତେକ ୟୁରୋପୀୟ ରାଷ୍ଟ୍ରରେ ରହିଥିବା ଆମେରିକୀୟ ସାମରିକ ଘାଟି ଉପରେ ଇରାନର ଆକ୍ରମଣ ଭୂ-ରାଜନୈତିକ ସ୍ଥିତିକୁ ଜଟିଳ କରିଛି। ଏଭଳି ସ୍ଥିତି ପରୋକ୍ଷରେ ବୈଶ୍ୱିକ ଅର୍ଥନୀତି ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିବା ଆଶଙ୍କା ବଢିଛି। ଇରାନ ସାଉଦି ଆରବ, ୟୁଏଇ, କାତାର, ବାହାରିନ୍, କୁଏତ୍ ଭଳି ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶ ଉପରେ ଆକ୍ରମଣ ଜାରି ରଖିଛି। କିନ୍ତୁ ବିଶ୍ୱର ଅନ୍ୟତମ ପ୍ରମୁଖ ତୈଳ ରିଫାଇନେରି ସାଉଦି ଆରବର ଆରାମ୍କୋ ଏବଂ କାତାର୍ର ପ୍ରମୁଖ ଏଲଏନ୍ଜି ଗ୍ୟାସ୍ ଉତ୍ପାଦନକାରୀ ସଂସ୍ଥା ଉପରେ ସୋମବାର ଇରାନର ଆକ୍ରମଣ ସ୍ଥିତିକୁ ଆହୁରି ଗମ୍ଭୀର କରିଛି। ଏଭଳି ସ୍ଥିତିରେ ସାଉଦି ଆରବ ଇରାନ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛି। ସେହିପରି ୟୁଏଇର ପ୍ରମୁଖ ଭିତ୍ତିଭୂମି ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ ସ୍ଥିତିକୁ ଜଟଳ କରିଥିଲା ବେଳେ ୟୁଏଇ ମଧ୍ୟ ଇରାନ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ଅଣ୍ଟା ଭିଡିଛି। ଗୋଟିଏ ପଟେ ହୋର୍ମୁଜ୍ ଷ୍ଟ୍ରେଟ୍ ଉପରେ ଇରାନ ପ୍ରତିବନ୍ଧକ ଲଗାଇଥିବାରୁ ୟୁଏଇ, କାତାର୍, କୁଏତ୍, ଓମାନ ଏବଂ ବାହାରିନ୍ ଆଦି ଦେଶଗୁଡିକର ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଅନ୍ୟପଟେ ଇରାନ ବିରୋଧରେ ସାଉଦି ଆରବ ଏବଂ ୟୁଏଇ ଆଦି ଦେଶ ଯଦି ଆକ୍ରମଣ ଆରମ୍ଭ କରନ୍ତି, ତେବେ ଉପସାଗରୀୟ ଅଞ୍ଚଳରୁ ଅନ୍ତର୍ଜାତୀୟ ବଜାରକୁ ତୈଳ ଯୋଗାଣ ଏକପ୍ରକାର ଠପ୍ ହୋଇଯିବ ବୋଲି ଆଶଙ୍କା ବଢିଛି। ଏଭଳି ସ୍ଥିତିରେ ସୋମବାର ବୈଶ୍ୱିକ ପୁଞ୍ଜି ବଜାରଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ତୈଳ ବଜାର ଭାରି ମାତ୍ରାରେ ପ୍ରଭାବିତ ହୋଇଛି। ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ୍ କ୍ରୁଡ୍ ମୂଲ୍ୟରେ ୬ ପ୍ରତିଶତ ବୃଦ୍ଧି ଘଟି ବ୍ୟାରେଲ୍ ପିଛା ମୂଲ୍ୟ ୭୭.୦୮ ଡଲାର ଛୁଇଁଛି। ସେହିପରି ଡବ୍ଲ୍ୟୁଟିଆଇ( ଓ୍ବେଷ୍ଟ ଟେକ୍ସାସ୍ ଇଣ୍ଟରମିଡିଏଟ୍) ମୂଲ୍ୟ ମଧ୍ୟ ୫.୫ ପ୍ରତିଶତ ବୃଦ୍ଧିରେ ବ୍ୟାରେଲ ପିଛା ମୂଲ୍ୟ ୭୦.୭୧ ଡଲାରରେ ପହଞ୍ଚିଛି। ବର୍ତ୍ତମାନ ସ୍ଥିତିକୁ ନେଇ ଆଗାମୀ ସପ୍ତାହକ ମଧ୍ୟରେ ବ୍ରେଣ୍ଟ୍ କ୍ରୁଡ୍ ମୂଲ୍ୟ ବ୍ୟାରେଲ ପିଛା ୧୦୦ ଡଲାର ଟପିଯିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଦେଶୀ ପୁଞ୍ଜି ନିବେଶକାରୀ ବିଶ୍ୱର ପ୍ରମୁ୍ଖ ଷ୍ଟକ୍ ଏକ୍ସଚେଞ୍ଜ୍ଗୁଡିକରୁ ସୋମବାର ବିପୁଳ ପରିମାଣର ପୁଞ୍ଜି ପ୍ରତ୍ୟାହାର କରିନେଇଛନ୍ତି। ଏହାଦ୍ୱାରା ବୈଶ୍ୱିକ ସ୍ତରରେ ନିବେଶ କ୍ଷେତ୍ର ମଧ୍ୟ ଭାରି ମାତ୍ରାରେ ପ୍ରଭାବିତ ହେବାର ଆଶଙ୍କା ବଢିବାରେ ଲାଗିଛି। ସେପଟେ ସୁନା ଏବଂ ରୁପା ମୂଲ୍ୟ ମଧ୍ୟ ପୁଣି ଆକାଶଛୁଆଁ ହେବା ଆଶଙ୍କା ବଢାଇଛି। ନିବେଶକମାନେ ଯୁଦ୍ଧ ପ୍ରଭାବିତ ଷ୍ଟକ୍ବଜାରରୁ ପୁଞ୍ଜି ପ୍ରତ୍ୟାହାର କରି ଏବେ ସୁନା ଏବଂ ରୁପାରେ ନିବେଶ କରିବାକୁ ଶ୍ରେୟ ମଣୁଥିବାରୁ ଏହି ଦୁଇଟି ଧାତୁର ଚାହିଦା ବଢିଛି। ସେମାବାର ଏମ୍ସିଏକ୍ସ ଏକ୍ସଚେଞ୍ଜରେ ସୁନା ମୂଲ୍ୟ ଅନୂ୍ୟନ ୫ ପ୍ରତିଶତ ବୃଦ୍ଧି ଘଟିଛି।
ଇରାନର ସର୍ବୋଚ୍ଚ ନେତା ଆୟୋତେଲ୍ଲା ଖାମେନେଇଙ୍କ ମୃତ୍ୟୁ ପରେ ଆମେରିକା ଏବଂ ଇସ୍ରାଏଲର ଲକ୍ଷ୍ୟ ସାଧନ ହୋଇସାରିଥିବା ଆକଳନ କରାଯିବା ସହିତ ଯୁଦ୍ଧ ବିରତି ପାଇଁ ବାଟ ଖୋଲିପାରେ ବୋଲି ଆଶା କରାଯାଉଥିଲା। କିନ୍ତୁ ଆମେରିକା ସେନା ଆହୁରି ୪ ସପ୍ତାହ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇସାରିଥିବା କଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସୋମବାର କହିଛନ୍ତି। ସେପଟେ ଇରାନ ମଧ୍ୟ ନିଜ ଆଭିମୁଖ୍ୟରୁ ହଟିବା ଦେଖାଯାଉ ନାହିଁ। ଖାମେନେଇଙ୍କ ଅବର୍ତ୍ତମାନରେ ମଧ୍ୟ ଇରାନ ଆମେରିକା ବିରୋଧରେ ଗୋଟିଏ ପରେ ଗୋଟିଏ ଦେଶକୁ ଟାର୍ଗେଟ କରିଚାଲିଛି। ଏଭଳି ସ୍ଥିତି ଆଗକୁ ବୈଶ୍ୱିକ ଅର୍ଥନୀତି ପାଇଁ ଭୟଙ୍କର ସଙ୍କଟ ସୃଷ୍ଟି କରିବ ବୋଲି ଆକଳନ କରାଯାଉଛି।
Dharitri – Odisha’s No.1 Odia Daily

