ଛତ୍ରପୁର,୧୪ା୫(ଦିଲ୍ଲୀପ ସାମଲ): ଇରାନ ସହ ଆମେରିକାର ଓ ଇସ୍ରାଏଲର ଯୁଦ୍ଧ ପାଇଁ ଫେବୃଆରୀ ୨୮ ପରଠାରୁ ସାରା ବିଶ୍ୱରେ ଅର୍ଥନୈତିକ ସଙ୍କଟ ଜଟିଳ ହେବାରେ ଲାଗିଛି। ବିଶେଷକରି ଆରବ ଦେଶଗୁଡ଼ିକରୁ ବିଭିନ୍ନ ଦେଶକୁ ତୈଳ, ଗ୍ୟାସ ଓ ଅନ୍ୟାନ୍ୟ ସାମଗ୍ରୀ ପରିବହନ ହେଉଥିବା ସାମୁଦ୍ରିକ ପଥ ‘ଷ୍ଟ୍ରେଟ୍ ଅଫ ହର୍ମୁଜ’କୁ ଇରାନ ନିଜ ନିୟନ୍ତ୍ରଣରେ ରଖିଛି। କିଛି ସପ୍ତାହ ହେଲା ଯୁଦ୍ଧ ବିରତି ରହିଥିଲେ ମଧ୍ୟ ହର୍ମୁଜ୍ରେ ସାମଗ୍ରୀ ପରିବହନ ସ୍ବାଭାବିକ ହୋଇପାରୁନାହିଁ। ଏହାର ପ୍ରଭାବରେ ଭାରତ ସମେତ ଅନ୍ୟ କେତେକ ଦେଶ ତୈଳ ଓ ରନ୍ଧନ ଗ୍ୟାସ ସଙ୍କଟ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ଓଡ଼ଶା ଏଥିରୁ ବାଦ ପଡ଼ିନାହିଁ। ପ୍ରଥମେ ଗ୍ୟାସ ସମସ୍ୟା ନେଇ ସାରା ଏକପ୍ରକାର ସମସ୍ୟା ସୃଷ୍ଟି ହୋଇଥିବାବେଳେ ଏବେ ଅନେକ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲର ଅଭାବ ଦେଖାଦେଲାଣି। କେତେକ ଫିଲିଂ ଷ୍ଟେଶନରେ ପେଟ୍ରୋଲ ଓ ଡିଜେଲ ନ ଥିବା ଲେଖି ଜଣାଇ ଦିଆଯାଇଥିବାବେଳେ ଆଉ କେତେକ ସ୍ଥାନରେ ଲମୱା ଧାଡ଼ି ଲାଗୁଛି। ଲୋକଙ୍କୁ ସେମାନଙ୍କ ଇଚ୍ଛା ମୁତାବକ ପେଟ୍ରୋଲ ଓ ଡିଜେଲ ଦେବା ପରିବର୍ତ୍ତେ ନିର୍ଦ୍ଧାରିତ ପରିମାଣର ଦିଆଯାଉଛି।
ଗଞ୍ଜାମ ଜିଲାର ଛତ୍ରପୁରରେ ଦେଖାଦେଇଛି ପେଟ୍ରୋଲ ସଙ୍କଟ l ବାଇକ୍ ପିଛା ୨୦୦ ଟଙ୍କା ଓ କାର୍ ପିଛା ୫୦୦ ଟଙ୍କାରୁ ଅଧିକ ମିଳୁନି ପେଟ୍ରୋଲ। ଫଳରେ ନାହିଁ ନ ଥିବା ଅସୁବିଧାର ଶିକାର ହେଉଛନ୍ତି ଜନତା। ଛତ୍ରପୁର ସହର ମଧ୍ୟରେ ଥିବା ଓପିଡିସି ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ନ ଥିବାରୁ ଏଭଳି ହୋଇଥିବା ଦେଖିବାକୁ ମିଳିଛି। ସହରରେ ଥିବା ପେଟ୍ରୋଲ ପମ୍ପ୍ରେ ପେଟ୍ରୋଲର ଅଭାବ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି।