୨୪ରେ ଓଏଚ୍‌ଆରସିଙ୍କ କେନ୍ଦୁଝର ଗସ୍ତ

କେନ୍ଦୁଝର, ୨୨।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହୋଇଥିବା ତ୍ରୁଟିପୂର୍ଣ୍ଣ ଏନ୍‌ଏଚ୍‌ ୪୯ର ତଦନ୍ତ ଆସନ୍ତା ୨୪ ତାରିଖରେ କରାଯିବ। ଏନେଇ ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଚିଠି ନମ୍ବର (୧୦୭୮୯/୧୬।୧୧।୨୦୨୧)ରେ ସୂଚିତ କରିଛନ୍ତି। କେନ୍ଦୁଝର ସିଟିଜେନ ଫୋରମ ପକ୍ଷରୁ କରାଯାଇଥିବା କେଶ ନମ୍ବର ୨୦୦୫/୨୦୧୯ର ଶୁଣାଣି କରି କମିଶନ ତଦନ୍ତ ଆଦେଶ କରିଛନ୍ତି। ଏହାର ତଦନ୍ତ କରିବାକୁ ଓଏଚ୍‌ଆରସିର ସଚିବ ସୁନିଲ କୁମାର ନାୟକ ଆସନ୍ତା ୨୪ରେ କେନ୍ଦୁଝର ଆସୁଥିବା ବେଳେ ଅଭିଯୋଗକାରୀ ଓ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣର ଆଞ୍ଚଳିକ ଅଧିକାରୀଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି। ପ୍ରକାଶ ଯେ, ଏନ୍‌ଏଚ୍‌ ୪୯ର ବେଲଦା ଠାରୁ ଜୁଡିଆ ପର୍ଯ୍ୟନ୍ତ ରାସ୍ତା କେନ୍ଦୁଝର ସହର ବାହାରେ ଯାଇଛି, ଯାହାକୁ ସ୍ଥାନୀୟ ଲୋକ ବାଇପାସ କହୁଛନ୍ତି ା ତେବେ ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ ଯୋଗୁ ସରକାରଙ୍କ ବ୍ୟାପକ ଅର୍ଥ ହାନି ହେବା ସହ ବିପଦସଙ୍କୁଳ ହୋଇପଡ଼ିଛି।
ସ୍ବଳ୍ପ ବ୍ୟବଧାନରେ ଏନ୍‌ଏଚ୍‌ ୪୯କୁ ତିନୋଟି ସ୍ଥାନରେ ଅହେତୁକ ଭାବେ ବକ୍ର ପଥରେ ନିର୍ମାଣ କରାଯାଇ ଏନ୍‌ଏଚ୍‌ ୨୦ରେ ମିଶିଛି ା ଏଣୁ ମାଧପୁର ଠାରୁ ଧୃପଦା (ବାଲିଆଗୋଡା) ପର୍ଯ୍ୟନ୍ତ ରାସ୍ତାରେ ଯାତାୟାତ ବିପଦପୂର୍ଣ୍ଣ ହୋଇପଡିଛି।
ଏନେଇ ସେ ସମୟରେ ସିଟିଜେନ ଫୋରମ ପକ୍ଷରୁ ସଭାପତି କିରଣ ଶଙ୍କର ସାହୁ ଓ ଅନ୍ୟମାନେ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଦୁଇ ବର୍ଷ ପରେ କମିଶନ ଗତ ଅକ୍ଟୋବର ୨୫ରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଥିଲେ। ଜିଲା ପ୍ରଶାସନ, ଏନଏଚଏଆଇ ପକ୍ଷରୁ ତଥ୍ୟ ଉପସ୍ଥାପନା କରାଯାଇଥିଲା। ଫୋରମ ପକ୍ଷରୁ ବଳିଷ୍ଠ ପ୍ରମାଣ ଉପସ୍ଥାପନ ପରେ କମିଶନ ସମସ୍ତ ତଥ୍ୟ ଅନୁସନ୍ଧାନ କରି ଦୁଇମାସ ମଧ୍ୟରେ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଥିବା ଅଜୟ ସାହୁ କହିଛନ୍ତି।
ପରବର୍ତ୍ତୀ ଶୁଣାଣି ଆସନ୍ତା ୩୧କୁ ଧାର୍ଯ୍ୟ କରାଯାଇଛି।