ବର୍ଲିନ,୧୨।୮(ରଏଟର୍ସ): କୁକୁର ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ବୋଲି କୁହାଯାଇଥାଏ। ତେବେ ନିକଟରେ ୟୁନିଭର୍ସିଟି ଅଫ୍ ଭିଏନାର ଗବେଷକମାନେ କରିଥିବା ଏକ ଗବେଷଣାରୁ ଜଣାପଡ଼ିଛି, କୁକୁରମାନେ ଲୋକଙ୍କ ମୁହଁ ଦେଖି ସେମାନଙ୍କ ମନର ଭାବ ବା ଆବେଗକୁ ଚିହ୍ନିପାରନ୍ତି। କୁକୁରଙ୍କଠାରେ ଏଭଳି କ୍ଷମତା ଥିବା ଏହା ପ୍ରଥମ ପ୍ରମାଣ ବୋଲି ମଙ୍ଗଳବାର ଗବେଷକମାନେ ଦାବି କରିଛନ୍ତି। ଅଧ୍ୟୟନରେ ଗବେଷକମାନେ ୧୨ଟି କୁକୁରଙ୍କ ମସ୍ତିଷ୍କ ସ୍କାନର ବିଶ୍ଳେଷଣ କରିବା ପାଇଁ ମେଶିନ ଲର୍ନିଂର ବ୍ୟବହାର କରିଥିଲେ। ଏହି ସମୟରେ କୁକୁରମାନଙ୍କୁ ବିଭିନ୍ନ ପ୍ରକାର ଆବେଗ ପ୍ରଦର୍ଶନ କରୁଥିବା ମଣିଷ ମୁହଁର ଛବିଗୁଡ଼ିକୁ ଦେଖାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ, ଯେତେବେଳେ କୁକୁରମାନେ କୌଣସି ଅଚିହ୍ନା ବ୍ୟକ୍ତିଙ୍କ ହସହସ ମୁହଁ ଦେଖୁଛନ୍ତି, ସେତେବେଳେ ସେମାନଙ୍କ ମସ୍ତିଷ୍କର ଉଚ୍ଚ ଜ୍ଞାନଗତ କାର୍ଯ୍ୟ ଏବଂ ସେମାନଙ୍କ ପ୍ରତିକ୍ରିୟାତ୍ମକ ଭାବନା ସହ ଜଡ଼ିତ ଟେମ୍ପୋରାଲ କର୍ଟେକ୍ସ ଏବଂ କଡେଟ ନ୍ୟୁକ୍ଲିୟସଗୁଡ଼ିକ ସକ୍ରିୟ ହୋଇଉଠୁଛି।
ସୋମବାର ସେଲ୍ ପ୍ରେସ୍ର ପତ୍ରିକା ‘ଆଇ ସାଇନ୍ସ’ ରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ରାଗ, ଭୟ କିମ୍ବା ଦୁଃଖର ଚିତ୍ର ଦେଖିଲେ କୁକୁରଙ୍କ ମସ୍ତିଷ୍କର ସେହି ନିର୍ଦ୍ଦିଷ୍ଟ ଅଞ୍ଚଳଗୁଡ଼ିକ ସକ୍ରିୟ ହେଉନାହିଁ। ତେବେ ଗବେଷକମାନେ ଯେତେବେଳେ କୁକୁରଙ୍କ ସମ୍ପୂର୍ଣ୍ଣ ମସ୍ତିଷ୍କକୁ ଅନୁଧ୍ୟାନ କଲେ, ସେମାନେ କିଛି ସ୍ବତନ୍ତ୍ର କାର୍ଯ୍ୟକଳାପର ଶୈଳୀ ଦେଖିବାକୁ ପାଇଲେ, ଯାହା ଭୟ, ରାଗ ଏବଂ ଦୁଃଖ ମଧ୍ୟରେ ଫରକ ଦର୍ଶାଉଥିଲା। ଏଥିରୁ ପ୍ରଥମ ଥର ପାଇଁ ପ୍ରମାଣ ମିଳିଛି ଯେ, କୁକୁରମାନେ ମଣିଷ ମୁହଁର ବିଭିନ୍ନ ନକାରାତ୍ମକ ଭାବଭଙ୍ଗୀ ମଧ୍ୟରେ ମଧ୍ୟ ପାର୍ଥକ୍ୟ ବାରିପାରନ୍ତି। ଏହି ଗବେଷଣାର ମୁଖ୍ୟ ଲେଖିକା ଲୌରା କୁଆୟାଙ୍କ କହିବା ହେଲା, କୁକୁରମାନେ ଆମ ଭାବଭଙ୍ଗୀକୁ ବୁଝିବା ଏବଂ ଆମ ସହ ସହଯୋଗ କରିବା ପାଇଁ ହିଁ ବିକଶିତ ହୋଇଛନ୍ତି। ଆମେ ସେମାନଙ୍କ ସହ ଯେଉଁ ଅନୁସାରେ ମିଶୁଛୁ ଏବଂ ସେମାନଙ୍କ ଯତ୍ନ ନେଉଛୁ ସେହି ଅନୁସାରେ ସେମାନଙ୍କ ମଧ୍ୟରେ ପରିବର୍ତ୍ତନ ଆସିଥାଏ ବୋଲି କୁଆୟା କହିଛନ୍ତି।
ତେବେ କୁକୁରମାନେ ଆଖପାଖର ମଣିଷମାନଙ୍କୁ ବୁଝିବା ପାଇଁ ଶରୀରର ଭାଷା, ସ୍ବରର ଶୈଳୀ ଏବଂ ଗନ୍ଧ ଭଳି ଅନ୍ୟାନ୍ୟ ସଙ୍କେତଗୁଡ଼ିକୁ କିପରି ଏକାଠି ବ୍ୟବହାର କରନ୍ତି ତାହା ଜାଣିବା ପାଇଁ ଆଗାମୀ ଦିନରେ ଗବେଷଣା କରିବାକୁ ଲକ୍ଷ୍ୟ ରଖିଥିବା ଗବେଷକମାନେ ସୂଚନା ଦେଇଛନ୍ତି। ଏହାସହ ମଣିଷ ଏବଂ କୁକୁରର ମସ୍ତିଷ୍କ ସମାନ ଆବେଗିକ ସଙ୍କେତକୁ କିପରି ଗ୍ରହଣ କରେ, ସେମାନେ ତାହାର ମଧ୍ୟ ତୁଳନା କରିବାକୁ ଆଶା ରଖିଛନ୍ତି। ତେବେ ଏହି ଅଧ୍ୟୟନରେ ସାମିଲଥିବା ସମସ୍ତ କୁକୁର ସ୍ନେହପୂର୍ଣ୍ଣ ପରିବାରରେ ରହୁଥିବା ପୋଷା କୁକୁର ଥିଲେ। ତେଣୁ ଏଭଳି ସ୍ନେହପୂର୍ଣ୍ଣ ପରିବେଶ ବାହାରେ ରହୁଥିବା ଯେପରିକି ବୁଲା କୁକୁର ମଣିଷର ଆବେଗ ପ୍ରତି ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିପାରନ୍ତି ବୋଲି ଗବେଷକମାନେ ସ୍ପଷ୍ଟ କରିଛନ୍ତି।