ବିବାହର ପ୍ରତିଶ୍ରୁତି ଦେଇ ପ୍ରେମ ପ୍ରତାରଣା, ପ୍ରେମିକଙ୍କୁ କାବୁ କରି ଥାନାରେ ଜିମା ଦେଲେ ପ୍ରେମିକା

ତୁମୁଡିବନ୍ଧ,୧୫।୭(ଦୀପକ କୁମାର ପରାସେଠ): ପ୍ରେମର ମିଠା ପ୍ରତିଶ୍ରୁତି ଦେଇ ଶେଷରେ ଜୀବନ ସହ ଖେଳ। କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ବୁଧବାର ସାମ୍ନାକୁ ଆସିଛି। ଜଣେ ଯୁବତୀ ନ୍ୟାୟ ପାଇଁ ଲଢ଼େଇ କରି ଅଭିଯୁକ୍ତ ପ୍ରେମିକଙ୍କୁ ଧରି ଥାନାରେ ଜିମା ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ, କୋଟଗଡ଼ ବ୍ଲକ ସୁବର୍ଣ୍ଣଗିରି ଗ୍ରାମର ଜନାଥନ ବଡ଼ସେଠ(୩୦)ନାମକ ଜଣେ ଯୁବକ ଯିଏକି ବେଲଘର କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ମନରେଗାରେ ଟିସି ଭାବେ କାର୍ଯ୍ୟରତ। ହେଲେ ସେ ତୁମୁଡିବନ୍ଧ ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ। ପରେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୀର୍ଘ ଦିନ ଧରି ଶାରୀରିକ ସମ୍ପର୍କ ରଖି ଆସୁଥିଲା l

ଇତି ମଧ୍ୟରେ ଯୁବତୀ ଜଣକ ବିବାହ ପାଇଁ କହିବାକୁ ଜନାଥନ ତାଙ୍କୁ ସିଧାସଳଖ ମନା କରି ଦେଇଥିଲ। ଯୁବତୀ ଜଣକ ପ୍ରତାରଣାର ଶିକାର ହୋଇଥିବା ନେଇ ୨୦୨୫ ଅକ୍ଟୋବର ୨୮ତାରିଖରେ ତୁମୁଡିବନ୍ଧ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ଯୁବତୀଙ୍କ ଲିଖିତ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା (ନଂ.୮୮/୨୦୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ହେଲେ ଅଭିଯୁକ୍ତ ଜନାଥନ ଏହା ଜାଣି ପୋଲିସକୁ ଚକମା ଦେଇ ଲୁଚି ବୁଲୁଥିଲେ।

ଯୁବତୀ ଜଣକ ବୁଧବାର ଜନାଥନଙ୍କୁ ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ ବୁଲୁଥିବା ବେଳେ କାବୁକରି ନେଇଥିଲେ। ପରେ ସେ ତୁମୁଡିବନ୍ଧ ପୋଲିସକୁ ଖବର ଦେଇ ଜନାଥନଙ୍କୁ ପୋଲିସ ଜିମା ଦେଇଥିଲେ। ତୁମୁଡିବନ୍ଧ ପୋଲିସ ଅଭିଯୁକ୍ତ ଜନାଥନଙ୍କୁ ଗରଫ କରି କୋର୍ଟ ଚାଲାଣ କରିଛି।