ଫୁଲବାଣୀ, ୨୬। ୧୧(ରାକେଶ କୁମାର ରାଉତ): ପ୍ରକାଶ ପାଇଥିବା ଓଏଫ୍ଏସ୍ ପରୀକ୍ଷା ଫଳରେ ଫୁଲବାଣୀ ଦାଦପାଜୁ ଅଞ୍ଚଳର ସୁମନ ସାହୁ ୫୨ତମ ସ୍ଥାନ ଅଧିକାର କରି ରାଜ୍ୟ ଓ ଅଞ୍ଚଳ ପାଇଁ ସୁନାମ ଆଣିଛନ୍ତି। ସୁମନ ନିଜ ସଫଳତାର ଶ୍ରେୟ ଜିଲା ଇ-ପାଠାଗାରକୁ ଦେଇଛନ୍ତି । ଦୀର୍ଘ ଅଢେଇ ବର୍ଷ ଧରି ନିରନ୍ତର ଭାବେ ବିନା କୋଚିଂରେ ସେ ଇ-ପାଠାଗାରକୁ ନିୟମିତ ଉପଯୋଗ କରି ଏହି ସଫଳତା ହାସଲ କରିଥିବା କହିଛନ୍ତି। ଇ-ପାଠାଗାରକୁ ଉପଯୋଗ କରି ଶ୍ରୀନିବାସ ଷଡ଼ଙ୍ଗୀ ମାସେ ତଳେ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍)ରେ ୭୨ତମ ସ୍ଥାନ ହାସଲ କରିଥିଲେ। ପରିଚାଳନା ଦାୟିତ୍ୱରେ ଥିବା ଲାଇବ୍ରେରଆନ ଶିବ ସୁନ୍ଦର ସାହୁ କହିଛନ୍ତି ଇ-ତ୍ପାଠାଗାରକୁ ପ୍ରତ୍ୟେହ ଶତାଧିକ ଚାକିରି ଆଶାୟୀ ଛାତ୍ରୀଛାତ୍ର ଆସୁଛନ୍ତି। ୨୦୧୯, ଫେବୃୟାରୀ ମାସରୁ ଏହି ଲାଇବ୍ରେରି ପ୍ରତିଷ୍ଠା ପରଠାରୁ ଏଯାଏ ୧୬୦ରୁ ଊର୍ଦ୍ଧ୍ୱ କନ୍ଧମାଳର ଯୁବ ପିଢ଼ି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଫୁଲବାଣୀ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ସୁମନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ଦିନରେ ଇ-ପାଠାଗାରରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଅଧିକ ସୁବିଧା ସୁଯୋଗ କରାଯିବ। ଜନଜାତି ବହୁଳ କନ୍ଧମାଳ ଜିଲାରେ ଶୈଖିକ ପରିବେଶ, ଯୁବ ବେକାରୀ ହ୍ରାସ ନେଇ ଯୋଜନା ରହିଛି ବୋଲି ପାତ୍ର କହିଛନ୍ତି।


