ଆଜିଠାରୁ ଅଫ୍‌ଲାଇନ ମାଟ୍ରିକ ପରୀକ୍ଷା: ୫୦୪ ପରୀକ୍ଷା କେନ୍ଦ୍ରରେ ଦେବେ ୧୫ ହଜାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦ା୭(ବ୍ୟୁରୋ): ଶୁକ୍ରବାରଠାରୁ ସ୍ବତନ୍ତ୍ର ମାଟ୍ରିକ ପରୀକ୍ଷା-୨୦୨୧ ଆରମ୍ଭ ହେବ। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଜୁନ୍‌ ୨୫ରେ ଘୋଷଣା କରାଯାଇଥିବା ପରୀକ୍ଷା ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିବା ଏବଂ ଅକୃତ କାର୍ଯ୍ୟ ହୋଇଥିବା ୧୫,୧୩୬ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେବେ। ଏଥିପାଇଁ ସମଗ୍ର ରାଜ୍ୟରେ ୫୦୪ ପରୀକ୍ଷା କେନ୍ଦ୍ର କରାଯାଇଛି। ଏହି ପରୀକ୍ଷା ଜୁଲାଇ ୩୦ରୁ ଆରମ୍ଭ ହୋଇ ଅଗଷ୍ଟ ୫ ତାରିଖ ଯାଏ ଚାଲିବ। ସମସ୍ତ କୋଭିଡ୍‌-୧୯ ପ୍ରୋଟୋକଲ ଅନୁସରଣ କରି ଏହି ପରୀକ୍ଷା ଅଫ୍‌ଲାଇନରେ ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଏଥିସହିତ କୋଭିଡ୍‌ ନିୟମ ପାଳନ କରିବାକୁ ସମସ୍ତ ଜିଲାକୁ ସ୍ପେଶାଲ ଅପରେଟିଂ ପ୍ରୋସିଜିଓର(ଏସ୍‌ଓପି) ପଠାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ) ସଭାପତି ରାମାଶିଷ ହାଜରା କହିଛନ୍ତି, ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚି ସାରିଛି। ପରୀକ୍ଷା ଦାୟିତ୍ୱରେ ଥିବା ସମସ୍ତ ଶିକ୍ଷକମାନଙ୍କର ଆଣ୍ଟିଜେନ ପରୀକ୍ଷା କରାଯାଇଛି। ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ ପିଲାମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ। ଏଥିସହିତ ପରୀକ୍ଷା କେନ୍ଦ୍ରଗୁଡ଼ିକରେ କୋଭିଡ୍‌ ନିୟମ କିପରି ପାଳନ କରାଯାଉଛି ତାହା ତଦାରଖ କରିବା ପାଇଁ ଜିଲାସ୍ତରରେ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇଛି। ପରୀକ୍ଷା କେନ୍ଦ୍ରରେ ସମସ୍ତ କୋଭିଡ୍‌ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ହାଜରା କହିଛନ୍ତି। ପରୀକ୍ଷା କେନ୍ଦ୍ରରେ ମୋବାଇଲ ବ୍ୟବହାର ଉପରେ କଟକଣା ଲଗାଯାଇଛି। କୌଣସି ଶିକ୍ଷକ କିମ୍ବା ଅନ୍ୟ କର୍ମଚାରୀମାନେ ମୋବାଇଲ ଫୋନ୍‌ ବ୍ୟବହାର କରିପାରିବେ ନାହିଁ। ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ଏକ ଜରୁରିକାଳୀନ ସ୍ବତନ୍ତ୍ର ଗୃହ ରଖାଯାଇଛି। ଯଦି କୌଣସି ଛାତ୍ରୀଛାତ୍ର ଅସୁସ୍ଥ ଅନୁଭବ କରିବେ ତେବେ ତାଙ୍କୁ ସେହି ସ୍ବତନ୍ତ୍ର ଗୃହରେ ରଖାଯାଇ ଚିକିତ୍ସା କେନ୍ଦ୍ରକୁ ପଠାଇବା ବ୍ୟବସ୍ଥା କରାଯିବ। ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ଓ ଅନ୍ୟାନ୍ୟ କୋଭିଡ୍‌ ନିୟମ ପାଳନ କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।