ଅଧିକାରୀ ଦେଖିବେ ‘ଦମନ’

ଭୁବନେଶ୍ବର, ୨୫ା୧୧(ବ୍ୟୁରୋ):ଓଡ଼ିଆ ସିନେମା ‘ଦମନ’ର ଲୋକପ୍ରିୟତା ଏବଂ ପ୍ରେରଣାଦାୟୀ ବିଷୟବସ୍ତୁକୁ ଲକ୍ଷ୍ୟକରି ଏହାକୁ ଜିଲା/ଉପଖଣ୍ଡ ସ୍ତରରେ ପ୍ରଦର୍ଶନ କରିବା ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି। ଏଥିପାଇଁ ଉପଯୁକ୍ତ ସିନେମା/ଥିଏଟର ହଲ୍‌ ବୁକ୍‌ କରିବା ନିମନ୍ତେ ଜିଲାପାଳଙ୍କୁ କୁହାଯାଇଛି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମ୍ୟାଲେରିଆ ନିରାକରଣ ପାଇଁ ୨୦୧୬ରେ ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ (ଦମନ) କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ‘ଦମନ’ର ଠିକ୍‌ କାର୍ଯ୍ୟାନ୍ବୟନ ନିମନ୍ତେ ନିଷ୍ଠାପର ଡାକ୍ତର ଏବଂ କ୍ଷେତ୍ରସ୍ତରୀୟ କର୍ମଚାରଙ୍କୁ ଅନେକ ତ୍ୟାଗ ଏବଂ କଷ୍ଟ ସ୍ବୀକାର କରିବାକୁ ପଡ଼ିଥିଲା। ଏହି ବାସ୍ତବିକ କଥାକୁ ଲକ୍ଷ୍ୟକରି ଚଳଚ୍ଚିତ୍ର ଲେଖକ ଦେବୀପ୍ରସାଦ ଲେଙ୍କା, ନିର୍ଦ୍ଦେଶକ ଦୀପେନ୍ଦ୍ର ସାମଲ, ନିର୍ଦ୍ଦେଶକ ବିଶାଳ ମୌର୍ଯ୍ୟ ଓଡ଼ିଆ ଫିଲ୍ମ ‘ଦମନ’ ପ୍ରସ୍ତୁତ କରିଥିଲେ। ଏହାକୁ ଦେଖିବା ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉଚ୍ଚ ପ୍ରଶଂସା କରିଛନ୍ତି। ସିନେମାଟିକୁ ଜିଲାସ୍ତରରେ ପ୍ରଦର୍ଶନ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି।