ମାଛଘାଟ ସାହିରେ ପହଞ୍ଚିିଲେ ଅଧିକାରୀ, ନେତା

ଚମ୍ପୁଆ,୯।୪(ଡି.ଏନ.ଏ)
କେନ୍ଦୁଝର ଜିଲା ଚମ୍ପୁଆ ଏନଏସି ଅଧୀନ ଗୋଧୂଳି ଗ୍ରାମ ମାଛଘାଟ ସାହି ବାସିନ୍ଦା ନାଳରେ ଚୁଆ ଖୋଳି ଜଳ କଷ୍ଟ ମେଣ୍ଟାଉଥିବା ସମ୍ପର୍କରେ ‘ଧରିତ୍ରୀ’ରେ ଖବର ପ୍ରକାଶ ପରେ ପ୍ରଶାସନର ଚେତା ପଶିଛି। ନବ ନିର୍ବାଚିତ ଏନ୍‌ଏସି ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁଙ୍କ ନିର୍ଦ୍ଦେଶକ୍ରମେ ଏନଏସି ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହା, ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ନାୟକ, ଶୁକ୍ରବାର ଗଁାକୁ ଯାଇ ପାନୀୟଜଳ ସମସ୍ୟାର ସମାଧାନ ଲାଗି ଲୋକଙ୍କ ସହ ଆଲୋଚନା କରିଛନ୍ତି। ୧ନଂ. ୱାର୍ଡର କାଉନସିଲର ଛତ୍ରପତି ନାଏକ, ଚେୟାରମ୍ୟାନଙ୍କ ପ୍ରତିନିଧି ପ୍ରଦୀପ କୁମାର ରାଜ, ବିଭାଗୀୟ ଯନ୍ତ୍ରୀ ବୁଧୁରାମ ସିଂ, ଜନସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀ ହୃଷିକେଶ ମହାନ୍ତ, ବିଜୟ କୁମାର ମିଶ୍ର ପ୍ରମୁଖ ମାଛଘାଟ ସାହିରେ ପହଞ୍ଚି ସମସ୍ୟା ବିଷୟରେ ଅବଗତ ହୋଇଥିଲେ। ଉକ୍ତ ସାହି ନିକଟକୁ ଲାଗି ରହିଥିବା ବେସରକାରୀ ଜାଗା ପାଇଁ ଏହି ସମସ୍ୟା ଉପୁଜିଥିବା ଜଣାପଡ଼ିଥିଲା। ଏ ନେଇ ଜାଗା ମାଲିକଙ୍କ ସହ ଆଲୋଚନା କରାଯିବ ଏବଂ ଯେତେଦିନ ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ନ ହୋଇ ପାରିଛି ସେତେଦିନ ପର୍ଯ୍ୟନ୍ତ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ଅଧ୍ୟକ୍ଷ ସାହୁ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଏନ୍‌ଏସି ଅଧୀନ ୧ନଂ. ୱାର୍ଡ ମାଛଘାଟ ସାହିର ବାସିନ୍ଦାମାନେ ଜଳ କଷ୍ଟ ନିବାରଣ ପାଇଁ ନାଳରୁ ଚୁଆ ଖୋଳି ଜଳ ସଂଗ୍ରହ କରୁଛନ୍ତି। ଗୋଧୂଳି ଓ ଶିରପୁର ସୀମାରେ ଅବସ୍ଥିତ ଏହି ସାହିରେ ପ୍ରାୟ ଶତାଧିକ ଲୋକ ବସବାସ କରୁଥିଲେ ମଧ୍ୟ ଏମାନଙ୍କ ପାଇଁ ପାନୀୟ ଜଳ ପାଲଟିଛି ସ୍ବପ୍ନ। ସକାଳ ହେଲେ ଜଳ ଚିନ୍ତା ଲାଘବ ପାଇଁ ଅନତୀ ଦୂରରେ ବୋହିଯାଉଥିବା ଏକ ନାଳରେ ଚୁଆ ଖୋଳି ଲୋକେ ଜଳ ସଂଗ୍ରହ କରିଥାନ୍ତି। ଉକ୍ତ ସାହିରେ ନକୂପଟିଏ ମଧ୍ୟ ବସି ପାରି ନ ଥିବା ଉଦ୍‌ବେଗର କାରଣ ପାଲିଟିଛି।