Categories: ଖେଳ

ପରାଜୟରୁ ଓଏଫ୍‌ସିର ଅଭିଯାନ

ଭୁବନେଶ୍ୱର, ୨୦।୯(ତପନ ସ୍ବାଇଁ): ଏଏଫ୍‌ସି କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଓଡ଼ିଶା ଏଫ୍‌ସି ପରାଜୟରୁ ଅଭିଯାନ ଆରମ୍ଭ କରିଛି। କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ୦-୪ ଗୋଲରେ ମୋହନ ବାଗାନ ସୁପର ଜାଏଣ୍ଟଠାରୁ ହାରି ଯାଇଛି। ଡିମିଟ୍ରି ପେଟ୍ରାଟୋସଙ୍କ ଡବଲ ବଳରେ ମୋହନ ବାଗାନ ଦ୍ୱିତୀୟାର୍ଦ୍ଧରେ ୪ଟିଯାକ ଗୋଲ ଦେଇଥିଲା। ଏଏଫ୍‌ସି କପ୍‌ ହେଉଛି ଏସିଆର ଦ୍ୱିତୀୟ ଶ୍ରେଣୀୟ କ୍ଲବ ଫୁଟବଲ ଟୁର୍ନାମେଣ୍ଟ। ଗତବର୍ଷ ସୁପର କପ୍‌ ବିଜୟୀ ହୋଇଥିବାରୁ ଓଡ଼ିଶା ଏଫ୍‌ସି ପ୍ରଥମଥରପାଇଁ ଏହି ଟୁର୍ନାମେଣ୍ଟ ଖେଳିବାକୁ ସୁଯୋଗ ପାଇଛି।
ସଂଘର୍ଷପୂର୍ଣ୍ଣଭାବେ ପ୍ରଥମାର୍ଦ୍ଧର ଶେଷ ପର୍ଯ୍ୟାୟ ପହଞ୍ଚତ୍ଥିବାବେଳେ ୪୩ତମ ମିନିଟରେ ଏକ ଘଟଣା ଓଡ଼ିଶା ଏଫ୍‌ସିକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲା। ଏକ ଫ୍ରିକିକ୍‌ ଅବସରରେ ମୋହନ ବାଗାନର ହ୍ୟୁଗୋ ବୌମସଙ୍କୁ ଓଡ଼ିଶା ଏଫ୍‌ସିର ସେରିଗ୍ନେ ଫଲ୍‌ ଟାଣି ତଳେ ପକାଇ ଦେଇଥିଲେ। ରେଫରିଙ୍କ ସହ ଯୁକ୍ତିତର୍କ ପାଇଁ ଓଏଫ୍‌ସିର ଅହମଦ ଜୋହୋଉ ୟେଲା କାର୍ଡ ପାଇଥିଲେ। ଫଲ୍‌ ପୂର୍ବରୁ ଏକ ୟେଲୋ କାର୍ଡ ପାଇଥିଲେ। ଦ୍ୱିତୀୟ ୟେଲୋ କାର୍ଡ ସହ ତାଙ୍କୁ ରେଡ୍‌କାର୍ଡ ମିଳିବାରୁ ଫଲ୍‌ଙ୍କୁ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା। ଫଳରେ ଓଡ଼ିଶା ଏଫ୍‌ସି ୧୦ ଜଣିଆରେ ପରିଣତ ହୋଇ ଯାଇଥିଲା। ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା।
ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ଅଗ୍ରଣୀ ହାସଲ କରିଥିଲା ମୋହନ ବାଗାନ। ୪୬ତମ ମିନିଟରେ ଆକ୍ରମଣାତ୍ମକ ଆଭିମୁଖ୍ୟରେ ହ୍ୟୁଗୋ ବୌମାସ ବଲ୍‌ ନେଇ ଓଡ଼ିଶା ଏଫ୍‌ସି ଗୋଲପୋଷ୍ଟରେ ସହଲ ଅବଦୁଲ ସମଦଙ୍କ ନିକଟକୁ ପଠାଇ ଦେଇଥିଲେ। ସହଲ କୌଣସି ଭୁଲ ନ କରି ରାଇଟ୍‌ କର୍ନରରେ ଗୋଲ କରିଥିଲେ। ଓଏଫ୍‌ସି ଅଧିନାୟକ ତଥା ଗୋଲକିପର ଅମରିନ୍ଦର ସିଂ ଡାଇଭ୍‌ ମାରିଥିଲେ ହେଁ ତାହାକୁ ରୋକିପାରି ନ ଥିଲେ। ୬୮ତମ ମିନିଟରେ ମୋହନ ବାଗାନର ଅଗ୍ରଣୀକୁ ୨-୦ରେ ପହଞ୍ଚାଇଥିଲେ ଡିମିଟ୍ରିଅସ ପେଟ୍ରାଟୋସ। ଏହାପରେ ୭୯ତମ ମିନିଟରେ ବଦଳ ଖେଳାଳି ଲିଷ୍ଟନ କୋଲାକୋ ଏବଂ ୮୨ତମ ମିନିଟରେ ଡିମିଟ୍ରି ବ୍ୟକ୍ତିଗତ ଦ୍ୱିତୀୟ ଓ ଦଳପକ୍ଷରୁ ୪ର୍ଥ ଗୋଲ କରିବାରୁ ଓଡ଼ିଶା ଏଫ୍‌ସି ବ୍ୟାକ୍‌ଫୁଟକୁ ଚାଲି ଯାଇଥିଲା।

Share