୪୯୧ ପାନୀୟ ଜଳ ପ୍ରକଳ୍ପରୁ ୨୭୨ ଅଚଳ

ନୟାଗଡ଼ ଅଫିସ,୯।୫: ନୟାଗଡ଼ ଜିଲାରେ ପାନୀୟ ଜଳ ପ୍ରକଳ୍ପ କାହିଁକି ଫେଲ୍‌ ହେଉଛି ତା’ର କାରଣ ଖୋଜାଯାଉନି। ପ୍ରକଳ୍ପ ପରେ ପ୍ରକଳ୍ପ କରାଯାଇ ସରକାରୀ ଅନୁଦାନକୁ ବିକାଶ ନାଁରେ ହଡ଼ପ କରାଯାଉଛି। ଏବେ ବୃହତ୍‌ ପାନୀୟ ଜଳ ପ୍ରକଳ୍ପ ପାଇଁ ୧୫୦୪ କୋଟି ୧୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏହି ପ୍ରକଳ୍ପ ନେଇ ଲୋକେ ଆଶାବାଦୀ ଅଛନ୍ତି। ହେଲେ ଜିଲାରୁ ପାନୀୟ ଜଳ ସଙ୍କଟ ଦୂର ହେବାର ନାଁ ଧରୁନି। ଜିଲାର ଭାପୁର ବ୍ଲକରେ ୪୫, ଦଶପଲ୍ଲାରେ ୬୪, ଗଣିଆରେ ୩୪, ଖଣ୍ଡପଡ଼ାରେ ୪୪, ନୟାଗଡ଼ରେ ୭୦, ନୂଆଗାଁରେ ୭୪, ଓଡ଼ ଗାଁରେ ୯୩, ରଣପୁର ବ୍ଲକରେ ୬୭ ଏପରି ୪୯୧ ପ୍ରକଳ୍ପ ରହିଛି। ଏଥିରୁ ୨୭୨ ପ୍ରକଳ୍ପ ଅଚଳ। କାଗଜପତ୍ରରେ କିନ୍ତୁ ପ୍ରକଳ୍ପ ଚାଲୁଛି। ଜିଲାର ଓଡ଼ଗାଁ ବ୍ଲକର ଡିମଶରଠାରେ ୧୨ ବର୍ଷ ହେଲା ଏକ ପାନୀୟ ଜଳ ପ୍ରକଳ୍ପ ରହିଛି। ପ୍ରକଳ୍ପରୁ ଗୋଡିପଡ଼ା ଗାଁକୁ ପାନୀୟ ଜଳ ଯୋଗାଣ ହେବ। ୧୨ ବର୍ଷ ହେଲା ପ୍ରକଳ୍ପ ଅଚଳ। ପ୍ରାୟ ବର୍ଷେ ତଳେ ଗୋଡିପଡ଼ା ମହନ୍ତସାହିକୁ ମାସେ ପାଇଁ ପାନୀୟ ଜଳ ଯୋଗାଯାଇ ପୁଣି ବନ୍ଦ କରାଯାଇଛି। ସେହିପରି ନୟାଗଡ଼ ବ୍ଲକର କାଳିକାପ୍ରସାଦ ପଞ୍ଚାୟତର ସିପାହି ଅସୁରଢ଼ିପା ପାନୀୟ ଜଳ ପକଳ୍ପ ୬ ବର୍ଷରୁ ଊର୍ଦ୍ଧ୍ୱ ହେଲା ଅଚଳ ହୋଇପଡ଼ିଛି। ପ୍ରଶାସନିକ ସ୍ତରରେ ଅଥବା ଜିଲା ପରିଷଦ ସଦସ୍ୟମାନେ ନିଜ ଅଞ୍ଚଳର ଅଚଳ ଜଳ ପ୍ରକଳ୍ପ ନେଇ ଜିଲା ପରିଷଦ ବୈଠକରେ ତଥ୍ୟ ଉପସ୍ଥାପନ କଲେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ କିପରି କାମ ଚାଲିଛି, ତା’ର ଗ୍ରାଉଣ୍ଡ ଜିରୋ ରିପୋର୍ଟ ପଦାକୁ ଆସିପାରନ୍ତା। ଅପରପକ୍ଷେ ଭାପୁର ବ୍ଲକର ପଦ୍ମାବତୀ ନିକଟ ଟିକିରିପଡ଼ାଠାରେ ଇନ୍‌ଟେକ୍‌ ୱେଲ୍‌ କରାଗଲେ ନୟାଗଡ଼, ଖଣ୍ଡପଡ଼ା ଓ ନୂଆଗାଁ ବ୍ଲକର ୭୯ ପଞ୍ଚାୟତର ୪୯୮ ଗାଁର ଲୋକେ ଉପକୃତ ହେବେ। ଏହି ବୃହତ୍‌ ପାନୀୟ ଜଳ ପ୍ରକଳ୍ପ ପାଇଁ ୬୦୩ କୋଟି ୪୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ତେବେ ଚୁକ୍ତିନାମା ୫୩୦ କୋଟି ୮୭ ଲକ୍ଷରେ ହୋଇଛି। କାମ ୨୦୧୯ ଡିସେମ୍ବର ୬ରୁ ଆରମ୍ଭ ହୋଇଥିଲା। ଏହା ୨୦୨୧ ଡିସେମ୍ବର ୬ରେ ଶେଷ ହେବକଥା। କିନ୍ତୁ ଏହା ୨୦୨୩ ଜୁନ୍‌ ୭ ପର୍ଯ୍ୟନ୍ତ ବଢ଼ିଛି। ସେହିଭଳି ଦଶପଲ୍ଲା ବ୍ଲକ ଲାଗି ହୋଇଥିବା ବୃହତ୍‌ ପାନୀୟ ଜଳଯୋଗାଣ ପ୍ରକଳ୍ପ ପାଇଁ ୨୪୨.୭୨ କୋଟି ମଞ୍ଜୁର ହୋଇଛି।
ଏହି ପ୍ରକଳ୍ପ ଦ୍ୱାରା ୨୦ ପଞ୍ଚାୟତର ୩୬୯ ଗାଁ ପାଣି ପାଇବେ। ଏଥିପାଇଁ ପ୍ରଶାସନିକ ଅନୁମୋଦନ ମିଳିସାରିଛି। ସେହିଭଳି ଗଣିଆ ବ୍ଲକର ବୃହତ୍‌ ପାନୀୟ ଜଳଯୋଗାଣ ପ୍ରକଳ୍ପ ଅଧୀନରେ ୮ ପଞ୍ଚାୟତର ୯୪ ଗାଁ ରହିଛି। ଏଥିପାଇଁ ୯୭.୬୬ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ପ୍ରଶାସନିକ ଅନୁମୋଦନ ଶେଷ ହୋଇଛି। ନୂଆଗାଁ ବ୍ଲକର ୧୪ ପଞ୍ଚାୟତର ୧୫୮ ଗାଁ ପାଇଁ ବୃହତ୍‌ ପାନୀୟ ଜଳଯୋଗାଣ ପ୍ରକଳ୍ପ ଲାଗି ୧୪୪.୩୩ କୋଟି ମଞ୍ଜୁର ହୋଇଛି। ଏଥିପାଇଁ ପ୍ରଶାସନିକ ଅନୁମୋଦନ ଶେଷ ହୋଇଛି। ପୁଣି ଓଡ଼ଗାଁ ବ୍ଲକର ୩୬ ଓ ରଣପୁର ବ୍ଲକର ୬ ଏପରି ୪୨ ପଞ୍ଚାୟତର ୨୨୯ ଗାଁ ପାଇଁ ବୃହତ୍‌ ପାନୀୟ ଜଳଯୋଗାଣ ପ୍ରକଳ୍ପରେ ୨୩୬.୬୭ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଥିପାଇଁ ଟେଣ୍ଡର ଆମନ୍ତ୍ରିତ ହୋଇଛି। ରଣପୁର ବ୍ଲକର ୩୧ ପଞ୍ଚାୟତର ୨୦୩ ଗାଁ ପାଇଁ ୨୫୧.୮୭ କୋଟି ଟଙ୍କା ମଞ୍ଜୁର ହୋଇ ଟେଣ୍ଡର ପାଇଁ ଆମନ୍ତ୍ରିତ ହୋଇଛି। ତେବେ ଦଶପଲ୍ଲା, ଗଣିଆ, ନୂଆଗାଁ, ଓଡ଼ଗାଁ ଓ ରଣପୁର ବ୍ଲକ ପାଇଁ ବୃହତ୍‌ ପାନୀୟ ଜଳଯୋଗାଣ ପ୍ରକଳ୍ପରେ ଏଯାବତ୍‌ କିଛି ଖର୍ଚ୍ଚ ହୋଇନାହିଁ। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ନିର୍ବାହୀଯନ୍ତ୍ରୀ ସରୋଜ କୁମାର କରଙ୍କୁ ପଚାରିବାରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ବୃହତ୍‌ ଜଳଯୋଗାଣ ପ୍ରକଳ୍ପ ହାତକୁ ନିଆଯାଇଛି। ଏହା ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ। ଅନ୍ୟପକ୍ଷେ ଯେଉଁଠି ପ୍ରକଳ୍ପ ଅଚଳ ଅଛି ତାହାକୁ ସଚଳ କରାଯାଉଛି। କେତେଗୋଟି ପ୍ରକଳ୍ପରେ ତ୍ରୁଟି ରହିଥିବା ଯୋଗୁ ସଚଳ ହୋଇପାରୁନାହିଁ ବୋଲି ସେ କହିଥିଲେ।