ବିଶ୍ୱ ସଂସ୍କୃତି ମହୋତ୍ସବରେ ଓଡ଼ିଶୀନୃତ୍ୟ ପ୍ରଶଂସିତ

କଟକ,୪ା୧୦ (କାର୍ତ୍ତିକ ସାହୁ)ୱାଶିଂଟନ ଡିସିସ୍ଥିତ ନ୍ୟାଶନାଲ ମଲ୍‌ଠାରେ ୩ ଦିନିଆ ବିଶ୍ୱ ସଂସ୍କୃତି ମହୋତ୍ସବ-୨୦୨୩ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୮୦ ଦେଶର ଲୋକମାନେ ଯୋଗ ଦେଇଥିଲେ। ନୃତ୍ୟ, ସଙ୍ଗୀତ, ଧ୍ୟାନ ଏବଂ ସଂସ୍କୃତି ମାଧ୍ୟମରେ ମାନବ ବିବିଧତାକୁ ପାଳନ କରି ଭାଇଚାରା ବିଷୟରେ ଏକ ବାର୍ତ୍ତା ପଠାଇବା ଲକ୍ଷ୍ୟରେ ଏହି ମହୋତ୍ସବ ହୋଇଥିଲା। ୧୮୦ ଦେଶର ୧୭,୦୦୦ରୁ ଊର୍ଦ୍ଧ୍ୱ କଳାକାର ୫୧ଟି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏଠାରେ ପରିବେଷିତ ଓଡ଼ିଶୀ ନୃତ୍ୟରେ ଭାରତର ୨୦୦ରୁ ଊର୍ଦ୍ଧ୍ୱ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରିଥିଲେ। ଏହି ନୃତ୍ୟ ବିଶ୍ୱର ୧ ମିଲିୟନରୁ ଅଧିକ ଲୋକଙ୍କ ଦ୍ୱାରା ପ୍ରଶଂସିତ ହୋଇଛି। ସେହିପରି ଲିଙ୍କନ ମେମୋରିଆଲରେ ଗୁରୁ ଶ୍ରୀଶ୍ରୀ ରବିଶଙ୍କରଙ୍କ ସହ ଯୋଗ, ନିଃଶ୍ୱାସ ଏବଂ ଧ୍ୟାନ ଅଧିବେଶନ ପାଇଁ ପ୍ରାୟ ୧୦୦୦ ଯୋଗ ଉତ୍ସାହୀ ସାମିଲ ହୋଇଥିଲେ। ଏଠାରେ ଭାରତୀୟ ସଂସ୍କୃତି ବହୁ ଭାବରେ ଆଦୃତ ହୋଇଥିଲା। ଓଡ଼ିଶୀ, ଭାରତନାଟ୍ୟମ, କଥକ, କୁଚିପୁଡ଼ି ଏବଂ ମୋହିନୀଆଟମ ସମେତ ସୀତାର, ବୀଣା, ତବଲା, ମୃଦଙ୍ଗ, ବଂଶୀ ବଜାଉଥିବା ୫ଟି ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଫର୍ମ ମାଧ୍ୟମରେ ପଞ୍ଚାବୁଥମ ପ୍ରଦର୍ଶିତ ହୋଇଥିଲା। ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍‌. ଜୟଶଙ୍କର, ଲୋକ ସଭାର ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନ, ଆମେରିକାର ସର୍ଜନ ଜେନେରାଲ ଡ. ବିବେକ ମୂର୍ତ୍ତି, ଜାତିସଂଘର ପୂର୍ବତନ ଡେପୁଟି ସେକ୍ରେିଟାରି ଜେନେରାଲ ତଥା ୟୁଏନ୍‌ପିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।