ଚିତ୍ରକଳାରେ ଓଡ଼ିଶାର କଳା, ଭାସ୍କର୍ଯ୍ୟ

ଭୁବନେଶ୍ୱର, ୭।୪ (ବ୍ୟୁରୋ): ମଧ୍ୟପ୍ରଦେଶର ଭୋପାଳରେ ‘ଫାଉଣ୍ଡେଶନ ଅଫ ଆର୍ଟ ଆଣ୍ଡ କଲ୍‌ଚର’ ଦ୍ୱାରା ଓଡ଼ିଶାର ଚିତ୍ର ଓ ଭାସ୍କର୍ଯ୍ୟଶିଳ୍ପୀଙ୍କ କଳାକୃତିକୁ ନେଇ ମଙ୍ଗଳବାର ‘ଅନୱାର୍ଡ଼ ଓଡ଼ିଶା’ ଶୀର୍ଷକ ଅନଲାଇନ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। କ୍ୟୁରେଟର ଅନୁପ କୁମାର ଚାନ୍ଦ ଓ ଆସିଷ୍ଟାଣ୍ଟ କ୍ୟୁରେଟର ପୁନମ ଜୈନଙ୍କ ଦ୍ୱାରା ଆୟୋଜିତ ଏହି ଚିତ୍ରକଳାରେ ଓଡ଼ିଶାର ୬୧ଜଣ ଚିତ୍ରଶିଳ୍ପୀ ଓ ଭାସ୍କର୍ଯ୍ୟ ଶିଳ୍ପୀଙ୍କ କଳାକୃତି ସ୍ଥାନ ପାଇଛି। ଭୋପାଳର ବରିଷ୍ଠ ଚିତ୍ରଶିଳ୍ପୀ ଅଖିଳେଶ ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ଚିତ୍ରଶିଳ୍ପୀଙ୍କୁ ସ୍ବାଗତ ଜଣାଇଥିଲେ। ବିଭିନ୍ନ ବିଷୟବସ୍ତୁ ଓ ଶୈଳୀକୁ ନେଇ ଚିତ୍ର ଓ ଭାସ୍କର୍ଯ୍ୟଗୁଡ଼ିକ ତିଆରି ହୋଇଥିଲା। ବରିଷ୍ଠ ଶିଳ୍ପୀ ଯତୀନ ଦାସ, ଜଗନ୍ନାଥ ପଣ୍ଡା, ଜଗନ୍ନାଥ ମହାପାତ୍ର, ତପନ ଦାସ, ସଜଲ ପାତ୍ର, ରାମହରି ଜେନା, ଗଜେନ୍ଦ୍ର ପାଢୀ, ରଞ୍ଜନ ମଲ୍ଲିକ, ଗଜେନ୍ଦ୍ର ପ୍ରସାଦ ସାହୁ, ମାନସ ଜେନା, ପ୍ରଦୋଷ ସ୍ବାଇଁ, ମୀନକେତନ ପଟ୍ଟନାୟକ ପ୍ରମୁଖ ଚିତ୍ରଶିଳ୍ପୀଙ୍କ କଳାକୃତି ନିଜ ନିଜ ଶୈଳୀରେ ଅଦ୍ୱିତୀୟ ମନେ ହେଉଥିଲା। ସେହିପରି ଶିଳ୍ପୀ ଗୌରାଙ୍ଗ ବାରିକ, ସଙ୍ଗୀତା ପଟ୍ଟନାୟକ, ରାଜୀବ ଲୋଚନ ସାହୁ ଓ ଅରୁଣ କୁମାର ଜେନା ପାରମ୍ପରିକ କଳାକୁ ସମସାମୟିକ ଶୈଳୀରେ ନିଖୁଣ ଭାବେ ଅଙ୍କନ କରିଥିଲେ। ମୁଦ୍ରଣ କଳାରେ ଚଇତାବସୁ ଜେନା, ଡ୍ରଇଁରେ ତାରାକାନ୍ତ ପରିଡ଼ା, ସେରାମିକରେ ବିଶ୍ୱଜିତା ମହାରଣା ନିଜର ଶ୍ରେଷ୍ଠ କୃତି ପ୍ରଦର୍ଶନ କରିଥିଲେ। ଚିତ୍ରଶିଳ୍ପୀ ଅନୁପ କୁମାର ଚାନ୍ଦ ତୈଳଚିତ୍ରରେ ଏକ ଅଲଗା ଶୈଳୀରେ ପଶୁମାନଙ୍କ ଚିତ୍ର ଅଙ୍କନ କରିଥିଲେ। ଶିଳ୍ପୀ ଅସିତ କୁମାର ପଟ୍ଟନାୟକଙ୍କ ‘ଏଫେକ୍ସନ’ ଶୀର୍ଷକ ଏକ୍ରାୟଲିକ ଚିତ୍ରଟି ପ୍ରଦର୍ଶନୀର ଅନ୍ୟତମ ଆକର୍ଷଣ ଥିଲା। ଏଥିରେ ଅସିତ ନାରୀ ଓ ପୁରୁଷ ଚିତ୍ରକୁ ସୃଜନଶୀଳ ଢଙ୍ଗରେ ଚିତ୍ରିତ କରଥିଲେ। ସେହିପରି ଶିଳ୍ପୀ ପଞ୍ଚାନନ ସାମଲଙ୍କ ଏକ୍ରାୟଲିକ ରଙ୍ଗର ‘ନେଚୁରାଲ ହାରମୋନି’ ଶୀର୍ଷକ ଚିତ୍ର ସମସ୍ତଙ୍କ ମନ ଛୁଇଁଥିଲା। ସମସାମୟିକ ଜୀବନଯାପନ ଶୈଳୀ କିପରି ମଣିଷର ସୁଖ ଓ ଶାନ୍ତିକୁ ହରଣ କରିନେଇଛି ଏବଂ ମଣିଷ ବିକଳ୍ପ ଶାନ୍ତିର ସନ୍ଧାନରେ ନିଜର ଅସ୍ତିତ୍ୱ ହରାଇ ବସିଛି ତାହାକୁ ସୃଜନଶୀଳ ଢଙ୍ଗରେ ଉପସ୍ଥାପନ କରାଯାଇଛି।