ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ: ଆରମ୍ଭ ହେଲା ସାଟେଲାଇଟ୍‌ ସର୍ଭେ

ଜଳେଶ୍ୱର, ୩୦।୧(ଡି.ଏନ.ଏ.)-ଦୀର୍ଘବର୍ଷ ହେଲା ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ ଲାଗି ରହିଛି। ପଶ୍ଚିମବଙ୍ଗ ବାଲିମାଫିଆମାନେ ଓଡ଼ିଶା ସୀମାରୁ କୋଟି କୋଟି ଟଙ୍କାର ବାଲି ଚୋରାଚାଲାଣ କରି ମାଲେମାଲ ହେଉଛନ୍ତି। ବେଆଇନ ବାଲି ଉତ୍ତୋଳନ ଯୋଗୁ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର ନଦୀକୂଳ ଗ୍ରାମ ବିଳାସପୁର, ଗୋପାଳପୁର, କୁଆଁରପୁର, ମାକିଡ଼ିଆ, ତୋଟାପଡ଼ା, ବେହେରାସାହି, ପ୍ରହରାଜପୁର, ଦକ୍ଷିଣ ପ୍ରହରାଜପୁର ଓ ମକରମପୁର ଗାଁ ପ୍ରତି ବିପଦ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଏନ୍‌ଜିଟିରେ ମାମଲା ଚାଲୁ ରହିଥିଲା ବେଳେ ଉଭୟ ରାଜ୍ୟକୁ କୋର୍ଟ ତାଗିଦ୍‌ କରିବା ସହ ଏହାର ସୀମା ନିର୍ଦ୍ଧାରଣ ଲାଗି ପରାମର୍ଶ ଦେଇଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶରେ ଏହି ସମସ୍ତ ଗ୍ରାମର ସୀମାରେ ଜଳେଶ୍ୱର ତହସିଲ ପକ୍ଷରୁ ମାପଚୁପ କରାଯାଇ ୩୬ଟି ପଏଣ୍ଟ ନିର୍ଦ୍ଧାରଣ କରାଯାଇଛି।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଏଗୁଡିକର ସାଟେଲାଇଟ୍‌ ପଏଣ୍ଟ ନିର୍ଦ୍ଧାରଣ ଲାଗି ଆସ୍କାର ସାଟେଲାଇଟ୍‌ ପକ୍ଷରୁ ୧୦ଜଣିଆ ବୈଜ୍ଞାନିକ ଦଳ ଏଠାରେ ପହଞ୍ଚି ଏଗୁଡ଼ିକର ଡିଜିପି ଓ ଇଟିଏସ୍‌ ହାଇଟେକ୍‌ ସାଟେଲାଇଟ୍‌ ସର୍ଭେ କରିଛନ୍ତି। ଭବିଷ୍ୟତରେ ନଦୀ ମଧ୍ୟରେ ଏହି ପଏଣ୍ଟଗୁଡ଼ିକ ନଷ୍ଟ ହୋଇଗଲେ ମଧ୍ୟ ତାହା ପୁଣିଥରେ ପୁନଃ ଅବସ୍ଥାପନା କରାଯାଇପାରିବ ବୋଲି ଜଳେଶ୍ୱର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା କହିଛନ୍ତି। ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଏହି ସର୍ଭେ କାର୍ଯ୍ୟ ଚାଲିବାକୁ ଥିବାବେଳେ ଶୁକ୍ରବାର ସୁଦ୍ଧା ୨୦ଟି ବୋଲି ଜଣାଯାଇଛି ା ଏହି କାର୍ଯ୍ୟରେ ଜଳେଶ୍ୱର ତହସିଲର ଆରଆଇ ଦିଲୀପ କୁମାର ଚନ୍ଦ, ମାନସ କୁମାର ବେହେରା, ସୃଷ୍ଟିଧର ପଟ୍ଟାୟତ, ସଞ୍ଜୟ ପଣ୍ଡା, ଇନ୍ସପେକ୍ଟର ପ୍ରତାପ ଭଞ୍ଜ, ଗୌରାଙ୍ଗ ଜେନା, ଅମୀନ ସୁବଳ ପରିଡ଼ା ଓ ବିବେକ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ।