ସକାଳୁ ସକାଳୁ ବର୍ଷାକୁ ନେଇ ବଡ଼ ଅପଡେଟ୍‌: ଜାରି ହେଲା ଆଲର୍ଟ, ଓଡ଼ିଶାର ଏହି ଜିଲାରେ…

ଭୁବନେଶ୍ୱର,୨୦ା୯(ସୌମ୍ୟରଞ୍ଜନ ରାଉତ): ଉତ୍ତର ଆଣ୍ଡାମାନ ସାଗର ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଶନିବାର ସାରେ ଲଘୁଚାପର ରୂପ ନେଇଛି। ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତ କରି ଆହୁରି ଘନୀଭୂତ ହେବ। ୨୧ ତାରିଖ ସୁଦ୍ଧା ଅବପାତ ଓ ୨୨ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହୋଇପାରେ। ୨୩ ତାରିଖ ସକାଳ ସୁଦ୍ଧା ଗଭୀର ଅବପାତ ବଙ୍ଗୋପସାଗରର ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତରପଶ୍ଚିମ ଦିଗରେ ଉପକୂଳ ଛୁଇଁବା ପରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ଆଗକୁ ବଢ଼ିବ। ତେବେ ଏହା ପ୍ରଭାବରେ ରାଜ୍ୟରେ ବର୍ଷା ପ୍ରକୋପ ବଢ଼ିଥିବାବେଳେ ଆସନ୍ତା ୫ଦିନ ଯାଏ ପ୍ରବଳ ବର୍ଷିବ। ବିଶେଷକରି ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଅଞ୍ଚଳରେ ବର୍ଷାର ପ୍ରଭାବ ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେବା ସହ ସତର୍କ କରିଛି।
ଅନ୍ୟପକ୍ଷରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତିଙ୍କ ସୂଚନା ଅନୁଯାୟୀ, ଲଘୁଚାପ କ୍ଷେତ୍ରଟି ସମ୍ପୂର୍ଣ୍ଣ ରୂପ ନେବା ପରେ ହିଁ ଏହାର ତୀବ୍ରତା ଏବଂ ଗତିପଥ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ। ତେବେ ବର୍ତ୍ତମାନଠାରୁ ବାତ୍ୟାକୁ ନେଇ କୌଣସି ପ୍ରକାର ଆତଙ୍କିତ ବା ଭୟଭୀତ ନ ହେବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ୨୨ ତାରିଖରୁ ବର୍ଷା ପରିମାଣ ବଢ଼ିବ। ଏନେଇ ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ସେହିପରି ବିଜୁଳି ଘଡ଼ଘଡ଼ି ସହ ୪୦ରୁ ୫୦ କିମି ବେଗରେ ପବନ ବହିବା ନେଇ ୧୨ଟି ଜିଲାକୁ ଅରେଞ୍ଜ ୱାର୍ନିଂ ଦିଆଯାଇଛି। ୨୩ ଓ ୨୪ ତାରିଖରେ କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲାକୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି। ଏହାବ୍ୟତୀତ ବାଲେଶ୍ୱର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ ସମେତ ୮ ଜିଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ନିଂ ରହିଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଲଘୁଚାପଜନିତ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ୨୦ଟି ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି ଓ ଆଉ ୧୦ ଜିଲାକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିଲେ ତୁରନ୍ତ ପଦକ୍ଷେପ ନେବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବା ସହ ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବା ଆଶଙ୍କା ଥିବାରୁ ୨୧ ତାରିଖରୁ ଆଗାମୀ ସୂଚନା ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି।

Share