ଭଞ୍ଜନଗରରେ ଜଳସମ୍ପଦ ବିଭାଗର ସାଂସ୍କୃତିକ ମଞ୍ଚ ସ୍ଥାନାନ୍ତରକୁ ସ୍ୱାଗତ: ଭବିଷ୍ୟତର ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ଚିନ୍ତା

ଭଞ୍ଜନଗର,୨୨।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳସମ୍ପଦ ବିଭାଗ ପକ୍ଷରୁ ଆୟୋଜିତ ଦୁର୍ଗାପୂଜାର ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଗୁରୁବାର ମଞ୍ଚକୁ ପୂଜା ମଣ୍ଡପ ସମ୍ମୁଖ ରାସ୍ତାରୁ ହଟାଇ ନିକଟସ୍ଥ ସ୍ୱାସ୍ଥ୍ୟ ବିଭାଗର ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି। ବିଭାଗର ଏହି ପଦକ୍ଷେପକୁ ଦର୍ଶକ ଓ ସ୍ଥାନୀୟ ଜନସାଧାରଣ ସ୍ୱାଗତ କରିଥିବାବେଳେ, ପୂର୍ବରୁ ରାସ୍ତା ଅବରୋଧ ଯୋଗୁ ସୃଷ୍ଟି ହେଉଥିବା ଟ୍ରାଫିକ୍ ଓ ଯାତାୟାତ ସମସ୍ୟାରୁ ବଡ଼ଧରଣର ଆଶ୍ୱସ୍ତି ମିଳିଛି।

ପୂର୍ବରୁ ମୁଖ୍ୟ ରାସ୍ତା ସମ୍ମୁଖରେ ମଞ୍ଚ ନିର୍ମାଣ ହେଉଥିବାରୁ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହେଉଥିଲା। ଚଳିତ ବର୍ଷ ମଞ୍ଚକୁ ପଡ଼ିଆକୁ ନିଆଯିବା ଫଳରେ ଦର୍ଶକମାନେ ଅଧିକ ଶୃଙ୍ଖଳିତ ଏବଂ ସୁବିଧାରେ କାର୍ଯ୍ୟକ୍ରମ ଉପଭୋଗ କରିଛନ୍ତି। ଆଜିର ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜୟ ପ୍ରଧାନ, ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ପି. ଭେଙ୍କଟେଶ ଓ ସହକାରୀ ଯନ୍ତ୍ରୀ ପ୍ରହଲ୍ଲାଦ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଭୁବନେଶ୍ୱରର ‘ଦି ମୁନ୍‌ଲାଇଟ୍‌ ରାଗ ମେଲୋଡି’ ପକ୍ଷରୁ ଚିତ୍ତାକର୍ଷକ ସଙ୍ଗୀତ ପରିବେଷଣ କରାଯାଇଥିଲା। ତେବେ ସ୍ଥାନୀୟ କଳାକାରମାନଙ୍କୁ ଯଥେଷ୍ଟ ସୁଯୋଗ ଦିଆଯାଉଛି କି ନାହିଁ, ତାହାକୁ ନେଇ କେତେକ ମହଲରେ ପ୍ରଶ୍ନ ଉଠିଛି। ସ୍ଥାନୀୟ ପ୍ରତିଭାମାନଙ୍କୁ ପୁରୁଣା ମଞ୍ଚ ଦେବା ଏବଂ ବାହାର କଳାକାରଙ୍କୁ ବଡ ମଞ୍ଚ ସୁଯୋଗ ଦେବାକୁ ନେଇ ନାନା ଆଲୋଚନା ହେଉଛି।

ମଞ୍ଚ ନିର୍ମାଣ ହୋଇଥିବା ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ସଂଲଗ୍ନ ପଡ଼ିଆରେ ଏକ ଜିଲ୍ଲାସ୍ତରୀୟ ଚିକିତ୍ସାଳୟ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଉଦ୍ୟମ କ୍ରମେ ଏହି ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି କରୁଛି। ତେବେ ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଆଗାମୀ ଦିନରେ ଉକ୍ତ ସ୍ଥାନରେ ଧ୍ୱନି ପ୍ରଦୂଷଣ ଆଇନ ଏବଂ ହସ୍ପିଟାଲ ନିୟମ ଯୋଗୁଁ ବଡ଼ ଧରଣର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ସମ୍ଭବ ହୋଇନପାରେ। ସୂଚନାଯୋଗ୍ୟ ଯେ, ପ୍ରାୟ ୨୩ ବର୍ଷ ପୂର୍ବେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ମେଡିକାଲ ପାଖରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିଲେ ହେଁ, ସ୍ଥାନୀୟ ଲୋକଙ୍କ ବିରୋଧ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାହା ବନ୍ଦ ହୋଇଯାଇଥିଲା।

ତେଣୁ ଭବିଷ୍ୟତରେ ଦୁର୍ଗାପୂଜା ଭଳି ସାର୍ବଜନୀନ ଉତ୍ସବଗୁଡ଼ିକୁ ସୁରୁଖୁରୁରେ ଆୟୋଜନ କରିବା ପାଇଁ ଜଳସମ୍ପଦ ବିଭାଗ ଏବଂ ପ୍ରଶାସନ ପକ୍ଷରୁ ବର୍ତ୍ତମାନଠାରୁ ଏକ ବିକଳ୍ପ ବ୍ୟବସ୍ଥା ଚିନ୍ତା କରିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

Dharitri – Odisha’s No.1 Odia Daily

Share