ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା: ଜିଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ, ସେମିଳିଗୁଡ଼ାରେ…

କୋରାପୁଟ,୨୨।୯(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲାର ୧୪ଟି ବ୍ଲକରେ ମୋଟ ୯୩୦.୩ ମିମି ବର୍ଷା ରେକର୍ଡ କରାଯାଇଛି, ଯାହାର ହାରାହାରି ପରିମାଣ ୬୬.୪୫ ମିମି ରହିଛି। ଜିଲାର ସେମିଳିଗୁଡ଼ା ବ୍ଲକରେ ସର୍ବାଧିକ ୧୮୦.୨ ମିମି ବର୍ଷା ହୋଇଥିବା ବେଳେ ନନ୍ଦପୁରରେ ୧୧୦ ମିମି, ଜୟପୁରରେ ୧୦୪ ମିମି, ବୋରିଗୁମ୍ମାରେ ୧୦୩.୨ ମିମି ଏବଂ କୋରାପୁଟରେ ୮୨.୨ ମିମି ବର୍ଷା ରେକର୍ଡ ହୋଇଛି।

ସେହିପରି ବୈପାରିଗୁଡ଼ାରେ ୬୬ ମିମି, ଲମତାପୁଟରେ ୫୮.୧ ମିମି, ପଟ୍ଟାଙ୍ଗିରେ ୪୭.୨ ମିମି, କୁନ୍ଦ୍ରାରେ ୪୧.୨ ମିମି, ନାରାୟଣପାଟଣାରେ ୩୪.୬ ମିମି, ଲକ୍ଷ୍ମୀପୁରରେ ୩୩.୬ ମିମି, ଦଶମନ୍ତପୁରରେ ୩୨ ମିମି ଓ କୋଟପାଡ଼ରେ ୧୫ ମିମି ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁ କୋରାପୁଟ ଦେଇ ବିଶାଖାପାଟଣା ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥ ଉପରେ ବର୍ଷା ପାଣି ପ୍ରବାହିତ ହେଉଥିବାରୁ ଗାଡ଼ି ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି।

ବର୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ମନୋଜ ସତ୍ୟବାନ ମହାଜନ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ଆସନ୍ତା ୨୩ ଓ ୨୪ ତାରିଖ (ବୁଧବାର ଓ ଗୁରୁବାର) ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ତେବେ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀଗୃହ ପାଠପଢ଼ା ବନ୍ଦ ରହିବାକୁ ଥିବା ବେଳେ, ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ସମସ୍ତ ଶିକ୍ଷକ ଓ କର୍ମଚାରୀ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

Dharitri – Odisha’s No.1 Odia Daily

Share