ଭୁବନେଶ୍ୱର, ୨୫ା୧୧(ରବିନାରାୟଣ ଜେନା): ଓଡ଼ିଶାକୁ ଦେଶର ଏକ ପ୍ରମୁଖ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ହବ୍ରେ ପରିଣତ କରିବ ଏଆରଏଫ୍ ଡିଜାଇନ୍ ସେଣ୍ଟର। ସେମିକଣ୍ଡକ୍ଟର ଓ ଚିପ୍ ଡିଜାଇନ୍ ପାଇଁ ଓଡ଼ିଶାକୁ ଇତିମଧ୍ୟରେ ୫ ହଜାର କୋଟି ଟଙ୍କାର ନିବେଶ ମିଳିଛି ବୋଲି ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି।
ଭୁବନେଶ୍ୱରସ୍ଥିତ ବରମୁଣ୍ଡା ବସ୍ଷ୍ଟାଣ୍ଡ ପରିସରରେ ସେମିକଣ୍ଡକ୍ଟର ଡିଜାଇନ୍ କ୍ଷେତ୍ରରେ ଅଗ୍ରଣୀ କମ୍ପାନୀ ଏଆରଏଫ୍ ଡିଜାଇନ୍ ପ୍ରାଇଭେଟ ଲିମିଟେଡ୍ର ନୂତନ ଡିଜାଇନ୍ ସେଣ୍ଟରର ଶୁଭ ଉଦ୍ଘାଟନ କରି ମନ୍ତ୍ରୀ ମହାଲିଙ୍ଗ କହିଛନ୍ତି, ଏହି ଡିଜାଇନ୍ ସେଣ୍ଟର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କମ୍ପାନୀକୁ ରିହାତି ଦରରେ ଜାଗା ଯୋଗାଇଦେବା ସହ ଆବଶ୍ୟକ ସହଯୋଗ ଓ ସୁବିଧା ଯୋଗାଇ ଦିଆଯାଇଛି। ଏହା ରାଜ୍ୟରେ ସେମିକଣ୍ଡକ୍ଟର ଡିଜାଇନ୍ ଇକୋସିଷ୍ଟମକୁ ସୁଦୃଢ଼ କରିବା ସହ ଉଚ୍ଚ ଦକ୍ଷତାସମ୍ପନ୍ନ ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ। ଏହି ଅବସରରେ ଡ. ମହାଲିଙ୍ଗ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଢ଼ ନେତୃତ୍ୱରେ ଓଡ଼ିଶା ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ନିଜର ସ୍ଥିତି ସୁଦୃଢ଼ କରୁଛି। ଗତ ଅଢ଼େଇ ବର୍ଷ ମଧ୍ୟରେ ରାଜ୍ୟ ସରକାର ସେମିକଣ୍ଡକ୍ଟର ନୀତି ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ନୀତି ପ୍ରଣୟନ କରି ଏହି କ୍ଷେତ୍ରରେ ନିବେଶ ଓ ନବସୃଜନ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିଛନ୍ତି। ଚିପ୍ ନିର୍ମାଣଠାରୁ ଆରମ୍ଭକରି ସେମିକଣ୍ଡକ୍ଟର ଡିଜାଇନ୍ ଓ ପ୍ୟାକେଜିଂ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଏହି ପ୍ରୟାସର ଫଳସ୍ବରୂପ ରାଜ୍ୟକୁ ୫,୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ନିବେଶ ଆସିଛି। ଏହା ରାଜ୍ୟର ଶିଳ୍ପାୟନ, ବୈଷୟିକ ଦକ୍ଷତା ବିକାଶ ଏବଂ ନିଯୁକ୍ତି ସୃଷ୍ଟିକୁ ନୂତନ ଦିଗ ଦେବ। ଓଡ଼ିଶାକୁ ସେମିକଣ୍ଡକ୍ଟର ଓ ଉନ୍ନତ ବୈଷୟିକ ଜ୍ଞାନକୌଶଳର ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାରଙ୍କ ଏହି ପ୍ରୟାସ ବିକଶିତ ଓଡ଼ିଶା-୨୦୩୬ ଏବଂ ବିକଶିତ ଭାରତ-୨୦୪୭ର ଲକ୍ଷ୍ୟ ପୂରଣରେ ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଏଆରଏଫ୍ ଡିଜାଇନ୍ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ର, ଓକାକ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କୌସ୍ତୁଭ ଦୀପ୍ତ ପାଣି ପ୍ରମୁଖ ଉପସ୍ଥିତ ଥିଲେ।