ଏଯାଏ ଛିଣ୍ଡୁନି ଅଙ୍କ, ଚିନ୍ତାରେ ଆଶାୟୀ; ଆଉ ୬-୧୫-୯ ଆସନ ବାକି

ଭୁବନେଶ୍ୱର,୨୭।୪: ନିର୍ବାଚନ ତାରିଖ ପାଖେଇ ଆସିଲେ ହେଁ ରାଜ୍ୟର ୩ ପ୍ରମୁଖ ଦଳ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ଏଯାବତ ବିଜେଡି ୬, ଭାଜପା ୧୫ ଓ କଂଗ୍ରେସ ୯ ଆସନରେ ପ୍ରାର୍ଥୀ ଦେଇନାହିଁ। ସମୟ କମ୍‌ ଥିବାରୁ ଖୁବଶୀଘ୍ର ବାକି ଥିବା ଆସନରେ ପ୍ରାର୍ଥୀ ଘୋଷଣା ହୋଇପାରେ । ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା କଟକ ଲୋକ ସଭାର ଖଣ୍ଡପଡ଼ା, ଭୁବନେଶ୍ୱର ଲୋକ ସଭାର ବେଗୁନିଆ, ଖୋର୍ଦ୍ଧାରେ ବିଜେଡିର ପ୍ରାର୍ଥୀ ଘୋଷଣା ବାକି ରହିଛି । ସେହିପରି ଶେଷ ପର୍ଯ୍ୟାୟରେ ଭୋଟ ହେବାକୁ ଥିବା ଯାଜପୁରର କୋରେଇ, ବାଲେଶ୍ୱରର ଭୋଗରାଇ, ନୀଳଗିରି ବିଧାନସଭା ପାଇଁ ଟିକେଟ ଘୋଷଣା ବାକି ରହିଛି ।

ଅପରପକ୍ଷେ ଭାଜପା ବସ୍ତା, ଭୋଗରାଇ, ନୀଳଗିରି, ଭଣ୍ଡାରିପୋଖରୀ, ବାସୁଦେବପୁର, ବରୀ, ହିନ୍ଦୋଳ, ବାରବାଟୀ-କଟକ, ସାଲେପୁର, କେନ୍ଦ୍ରାପଡ଼ା, ବେଗୁନିଆ, ଖୋର୍ଦ୍ଧା, ତେଲକୋଇ, ଘଷିପୁରା, ଚମ୍ପୁଆ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ । ସେହିଭଳି କଂଗ୍ରେସର କଟକ ବାରବାଟୀ, ଜଗତସିଂହପୁର, କାକଟପୁର, ବାଲେଶ୍ୱର, ଜଳେଶ୍ୱର, ଛତ୍ରପୁର, ବଡ଼ଚଣା, ପାଲଲହଡ଼ା ଓ ନୀଳଗିରି ପାଇଁ ଟିକେଟ ଘୋଷଣା ବାକି ରହିଛି । ଏହାକୁ ନେଇ ଆଶାୟୀମାନେ ଚିନ୍ତାରେ ରହିଛନ୍ତି। କେବେ ଦଳର ଅଙ୍କକଷା ସରିବ, କେବେ ପ୍ରାର୍ଥୀ ଘୋଷଣା କରାଯିବ ତା’ ଉପରେ ସମସ୍ତଙ୍କ ନଜର ରହିଛି।