Categories: ରାଜ୍ୟ

ଦେଶରେ କମୁଛି, ଓଡ଼ିଶାରେ ମହିଳାଙ୍କ ବିରୋଧରେ ବଢ଼ୁଛି ଅପରାଧ

ନୂଆଦିଲ୍ଲୀ,୧୫।୯: ୨୦୧୯ ତୁଳନାରେ ସାରା ଦେଶରେ ମହିଳା ବିରୋଧୀ ଅପରାଧ ହ୍ରାସ ପାଇଥିବା ବେଳେ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ବୃଦ୍ଧି ପାଇଛି। ମହିଳାଙ୍କ ପ୍ରତି ହିଂସା କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ପଶ୍ଚିମବଙ୍ଗ ସର୍ବାଗ୍ରେ ରହିଛି। ଏହା ଦର୍ଶାଇଛି ଜାତୀୟ ଅପରାଧ ରେକଡର୍‌ସ ବ୍ୟୁରୋ (ଏନ୍‌ସିଆରବି) ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ।

ଏନ୍‌ସିଆରବିର ୨୦୨୦ ରିପୋର୍ଟ ଅନୁଯାୟୀ, ସାରା ଦେଶରେ ପୂର୍ବ ବର୍ଷ ତୁଳନାରେ ୮.୩% ମହିଳା ବିରୋଧୀ ଅପରାଧ ହ୍ରାସ ପାଇଛି। ଏ କ୍ଷେତ୍ରରେ ୨୦୧୯ରେ ମୋଟ ୪ ଲକ୍ଷ ୫ ହଜାର ୩୨୬ଟି ମାମଲା ରୁଜୁ ହୋଇଥିଲା। ତାହା ୨୦୨୦ରେ ୩ ଲକ୍ଷ ୭୧ ହଜାର ୫୦୩କୁ ହ୍ରାସ ପାଇଛି। କିନ୍ତୁ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ଯଥାକ୍ରମେ ୧୮% ଓ ୯% ବୃଦ୍ଧି ପାଇଛି। ଅର୍ଥାତ୍‌ ଓଡ଼ିଶାରେ ୨୦୧୯ରେ ୨୩,୧୮୩ଟି ମହିଳା ବିରୋଧୀ ହିଂସା ମାମଲା ରୁଜୁ ହୋଇଥିବାବେଳେ ୨୦୨୦ରେ ୨୫,୪୮୯ଟି ମାମଲା ରୁଜୁ ହୋଇଛି। ସେହିପରି ପଶ୍ଚିମବଙ୍ଗରେ ଯଥାକ୍ରମେ ୨୯,୮୫୯ ଏବଂ ୩୬,୪୩୯ଟି ମାମଲା ରୁଜୁ କରାଯାଇଛି। ସ୍ବାମୀ କିମ୍ବା ସମ୍ପର୍କୀୟଙ୍କ ଦ୍ୱାରା କ୍ରୂରତା (୩୦%) ଅଭିଯୋଗରେ ଅଧିକାଂଶ ମାମଲା ରୁଜୁ ହୋଇଛି। ସେହିପରି ମହିଳାଙ୍କୁ ଦବାଇ ରଖିବା ଉଦ୍ଦେଶ୍ୟରେ ଆକ୍ରମଣ (୨୩%), ଅପହରଣ (୧୬.୮%) ଏବଂ ବଳାତ୍କାର (୭.୫%) ଆଦି ପ୍ରମୁଖ ମାମଲା ରହିଛି।