ସ୍କୁଲ ‘ଇ-ଉପସ୍ଥାନ’ ଆପ୍‌ ଶୁଭାରମ୍ଭ

ଭୁବନେଶ୍ୱର, ୩୧।୭(ବ୍ୟୁରୋ): ରାଜ୍ୟର ସମସ୍ତ ସ୍କୁଲରେ ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ପାଇଁ ଆରମ୍ଭ ହୋଇଛି ‘ଇ-ଉପସ୍ଥାନ’ ଆପ୍‌। ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହାକୁ ଉନ୍ମୋଚନ କରିଛନ୍ତି। ଏଣିକି ସମସ୍ତ ସ୍କୁଲରେ ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ଏହି ଆପ୍‌ ମାଧ୍ୟମରେ ଗ୍ରହଣ କରାଯାଇପାରିବ। ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଏକ ଅଭିନବ ପଦକ୍ଷେପ ବୋଲି ମନ୍ତ୍ରୀ କହିଛନ୍ତି। ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଭର୍ଚୁଆଲରେ ଯୋଗଦେଇ କହିଲେ, ଏହି ଆପ୍‌ ମାଧ୍ୟମରେ ଉପସ୍ଥାନ ସହିତ ସେମାନେ କି ପ୍ରକାର ଡିଜିଟାଲ ମାଧ୍ୟମ ଯଥା ସ୍ମାର୍ଟଫୋନ, କମ୍ପ୍ୟୁଟର, ସାଧାରଣ ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁଛନ୍ତି ତାହା ମଧ୍ୟ ଜାଣିହେବ। ଏହାକୁ ସବୁ ଜିଲାରେ ସୁଚାରୁରୂପେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ଶିକ୍ଷୟତ୍ରୀଶିକ୍ଷକଙ୍କ ପାଇଁ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଇଛି ବୋଲି ସାହୁ କହିଥିଲେ। ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା କହିଲେ, ଇ-ଉପସ୍ଥାନ ମାଧ୍ୟମରେ ବିଭାଗର ତଥ୍ୟ ସଂଗ୍ରହ ପ୍ରକ୍ରିୟା ଉନ୍ନତ ତଥା ତ୍ୱରାନ୍ବିତ ହୋଇପାରିବ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମସ୍ତ ନିର୍ଦ୍ଦେଶକ, ଜିଲା ଶିକ୍ଷା ଅଧିକାରୀ, ଜିଲା ପ୍ରକଳ୍ପ ସଂଯୋଜକ ଏବଂ ଓସେପାର ବିଭିନ୍ନ ପ୍ରଭାଗର ମୁଖ୍ୟମାନେ ଯୋଗଦେଇଥିଲେ।