ଓଡ଼ିଶାର ସନ୍ଥସଖା ଓ ଶିଶୁଅନନ୍ତ

ଡ. ଭବନୀ ଶଙ୍କର ଦାଶ

ଷୋଡ଼ଶ ଶତାବ୍ଦୀବେଳକୁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ସୃଷ୍ଟି ହୋଇଥିଲା ଏକ ବିରାଟ ବୈଷ୍ଣବ ମତବାଦର ମହାପ୍ଳାବନ। ଏହି ଶତାବ୍ଦୀରେ ଓଡ଼ିଶାର ଉପକୂଳ ଅଞ୍ଚଳରେ ଯେଉଁ ପାଞ୍ଚଜଣ ଅଲୌକିକ ଐଶୀଶକ୍ତିସମ୍ପନ୍ନ ସାଧକ ଜନ୍ମଲାଭ କରିଥିଲେ, ସେମାନେ ‘ପଞ୍ଚସଖା’ ନାମରେ ଆଧ୍ୟାତ୍ମିକ ବିପ୍ଳବର କର୍ଣ୍ଣଧାର ସାଜିଥିଲେ। ସେମାନେ ନିରାକାର ବ୍ରହ୍ମଙ୍କୁ ଜଗନ୍ନାଥଙ୍କଠାରୁ ଅଭିନ୍ନ ବୋଲି ମୁକ୍ତକଣ୍ଠରେ କେବଳ ଘୋଷଣା କରିନଥିଲେ, ଅପରନ୍ତୁ ନିଜ ସାଧନା ଓ ସିଦ୍ଧି ବଳରେ ପ୍ରମାଣ କରିଦେଇଥିଲେ। ଆଜି ମଧ୍ୟ ସେମାନଙ୍କ ଜନ୍ମ ସମେତ ସୃଷ୍ଟିକର୍ମ ଇତ୍ୟାଦି ପୂର୍ଣ୍ଣତଃ ଲୋକଲୋଚନକୁ ଆସିପାରିନାହିଁ। ତେବେ ଏହି ସମୟରେ ଶ୍ରୀଚୈତନ୍ୟ ପ୍ରମୁଖଙ୍କ ଆଗମନ ଏକ ଉଲ୍ଲେଖନୀୟ ଘଟଣା। ଏଥିପାଇଁ ଶ୍ରୀକ୍ଷେତ୍ର ଏକ ସମନ୍ବୟ କ୍ଷେତ୍ର ଭାବେ ପ୍ରତିଷ୍ଠିତ ହେବା ସହ ସର୍ବଭାରତୀୟ ଦୃଶ୍ୟପଟରେ ଏହା ଏକ ଆହ୍ବାନ ରୂପେ ପରିଗଣିତ ହୋଇଥିଲା। କାରଣ ଏହି ସମୟକୁ ମୁସଲମାନ ଆକ୍ରମଣ ଭାରତରେ ପ୍ରଚଣ୍ଡ ରୂପ ଧାରଣ କରୁଥିଲା ବେଳେ ସାଧୁସନ୍ଥଙ୍କ ସିଦ୍ଧି ଓ ଅଲୌକିକ ଲୀଳା ବି ଥିଲା ନଭଶ୍ଚୁମ୍ବୀ। ଓଡ଼ିଶାର ପଞ୍ଚସଖା ଏହାର ଉଦାହରଣ।
ପଞ୍ଚସଖାଙ୍କ ମଧ୍ୟରେ ଶିଶୁଅନନ୍ତଙ୍କ ଜନ୍ମ ପ୍ରସଙ୍ଗ ମଧ୍ୟ ରହସ୍ୟାବୃତ। ସୁଦର୍ଶନ ଦାସଙ୍କ ‘ଚଉରାଶୀ ଆଜ୍ଞା’, ଜଗନ୍ନାଥ ଦ୍ୱିଜଙ୍କ ‘ଭକ୍ତିଚନ୍ଦ୍ରିକା’, ଈଶ୍ୱର ଦାସଙ୍କ ‘ଚୈତନ୍ୟ ଭାଗବତ’, ପଞ୍ଚସଖାଙ୍କ ନିଜସ୍ବ ରଚନାବଳୀ ଓ ପରବର୍ତ୍ତୀ ଶିଷ୍ୟମାନଙ୍କ ଭଣତି ଇତ୍ୟାଦିରୁ ପଞ୍ଚସଖାଙ୍କ ସମ୍ପର୍କରେ ଯାହା କିଛି ସୂଚନା ମାତ୍ର ମିଳେ। ଅଚ୍ୟୁତାନନ୍ଦଙ୍କ ‘ଉଦୟ କାହାଣୀ’କୁ ଭିତ୍ତିକରି ପଣ୍ଡିତ ସୂର୍ଯ୍ୟ ନାରାୟଣ ଦାସ ସ୍ଥିର କରିଛନ୍ତି ଯେ, ଗଜପତି ରାଜାଙ୍କ ୨୫ ଅଙ୍କ ଅର୍ଥାତ୍‌ ୧୪୮୬ରେ ଶିଶୁଅନନ୍ତ ଜନ୍ମ ଗ୍ରହଣ କରିଥିଲେ। ଅନ୍ୟ ସମୀକ୍ଷକଗଣ ଏହି ସିଦ୍ଧାନ୍ତକୁ ମାନିନେଇଥିଲେ ହେଁ ପଞ୍ଚସଖାଙ୍କ ଠାର ବା ଇଙ୍ଗିତଧର୍ମୀ ଭାଷାର ବାସ୍ତବ ତଥା ବୈଜ୍ଞାନିକ ବିଶ୍ଳେଷଣ ଯେ ପର୍ଯ୍ୟନ୍ତ ହୋଇନାହିଁ, ସେ ପର୍ଯ୍ୟନ୍ତ ଏହାକୁ ନିର୍ଭୁଲ କୁହାଯାଇ ନ ପାରେ। ତେବେ ଶିଶୁଅନନ୍ତ ବାଲିପାଟଣାରେ ମାତା ଗୌରାଦେବୀ ଓ ପିତା କପିଳମୁନିଙ୍କ ଔରସରୁ ଜନ୍ମଲାଭ କରିଥିଲେ। ନିଜେ ଶିଶୁଅନନ୍ତ ଏ କଥା ବାରମ୍ବାର ନିଜ ରଚନାବଳୀଗୁଡ଼ିକରେ କହିଛନ୍ତି।
ଓଡ଼ିଶାର ଲୋକକଥାରେ ଅଚ୍ୟୁତ ଠାର ଓ ଅନନ୍ତ ଗାର ଯଥେଷ୍ଟ ମହତ୍ତ୍ୱ ରଖିଥାଏ। ଅନନ୍ତଙ୍କ ସମେତ ସମସ୍ତ ପଞ୍ଚସଖା ଅନେକ ମାଳିକା, ପଟଳ, ଭାଗବତ, ଚୌତିଶା, ଭଜନ, ଜଣାଣ ଓ ବାଖର ଇତ୍ୟାଦି ରଚନା କରିଛନ୍ତି ଓ ଅଧିକାଂଶ ରଚନାରେ ଠାର ବଚନର ବ୍ୟବହାର କରିଛନ୍ତି। ଗାରକଟା ଯନ୍ତ୍ରର ପ୍ରଣେତା ଭାବେ ମହାତ୍ମା ଶିଶୁଅନନ୍ତଙ୍କର ପଞ୍ଚସଖାଙ୍କ ମଧ୍ୟରେ ବିଶେଷ ଖ୍ୟାତି ଥିଲା। ଏହି ଗାରକଟା ଯନ୍ତ୍ର କ’ଣ ତାହା ଓଡ଼ିଶାର ବୌଦ୍ଧିକସ୍ତରକୁ ଏଯାଏ ସ୍ପର୍ଶ କରିନାହିଁ। ମାତ୍ର ଉପରଠାଉରିଆ ଭାବେ ଗବେଷକ କୁହନ୍ତି ଯେ, ଶିଶୁଅନନ୍ତ ଶରୀରର ଷୋଳଡମ୍ବରୁରେ ଅକ୍ଷର ବସାଣ ଜାଣିଥିଲେ। ଏଥିପାଇଁ ଉଲ୍ଲେଖ ଅଛି- ‘ଗାରକଟା ଯନ୍ତ୍ର ଜାଣେ ଅନନ୍ତ’।
ଏକା ଅନନ୍ତ ଶିଶୁ ନୁହନ୍ତି, ସମସାମୟିକ ସମସ୍ତ ସଖା ଓ ପରବର୍ତ୍ତୀ ବୈଷ୍ଣବବର୍ଗ ଅଲୌକିକ କ୍ରିୟାରେ ଥିଲେ ଅଭୂତପୂର୍ବ। ସୁଦର୍ଶନ ଦାସଙ୍କ ‘ଚୌରାଅଶୀ ଆଜ୍ଞା’ରେ ଥିବା ଏକ ରୋଚକ ଉପାଖ୍ୟାନଟିଏ ତାହାର ପ୍ରମାଣ ଦେଇଥାଏ। ତାହାହେଲା- ଏକଦା ପ୍ରତାପରୁଦ୍ରଦେବଙ୍କ ରାଜଦରବାରରେ ଶ୍ରୀଚୈତନ୍ୟଙ୍କ ଉପସ୍ଥିତିରେ ପଞ୍ଚସଖାଙ୍କର ଅଲୌକିକତାର ପରୀକ୍ଷା ହେଲା। ଚୈତନ୍ୟ ପଣସ ମଞ୍ଜିଟିଏ ଜଗନ୍ନାଥ ଦାସଙ୍କୁ ଦେଇ ପୋତିବାକୁ କହିଲେ। ଜଗନ୍ନାଥ ଦାସ ତାହା କରନ୍ତେ ତତ୍‌କ୍ଷଣାତ ବାଳୁତ ବୃକ୍ଷଟିଏ ଜନ୍ମିଲା। ଶ୍ରୀଚୈତନ୍ୟଙ୍କ ନିର୍ଦ୍ଦେଶରେ ବଳରାମ ଦାସ ବୃକ୍ଷଟିକୁ ବଡ଼ କଲେ। ପତ୍ର ଓ ଫୁଲରେ ଭରିଗଲା ଗଛଟି। ସେଥିରେ ଯଶୋବନ୍ତ ଫଳ ଫଳାଇଲେ। ଅଚ୍ୟୁତାନନ୍ଦ ସଙ୍ଗେ ସଙ୍ଗେ ତାକୁ ପଚାଇଦେଲେ। ଶେଷରେ ପାଚିଲା ପଣସ ଗଛରୁ ତୋଳିଆଣି ବାଣ୍ଟିଥିଲେ ଶିଶୁଅନନ୍ତ। ବୃକ୍ଷକୁ ଚାହିଁ କହିଲେ ତଳେ ଲୋଟିବାକୁ। ଶିଶୁଅନନ୍ତଙ୍କ ନିର୍ଦ୍ଦେଶମତେ ବୃକ୍ଷ ତଳେ ଲୋଟିଲା। ଶିଶୁଅନନ୍ତ ପାଚିଲା ପଣସ ଚୈତନ୍ୟଙ୍କୁ ଦେଲେ ଓ ସମସ୍ତଙ୍କୁ ବାଣ୍ଟିଲେ। କେବଳ ଏତିକି ନୁହେଁ, କୋଠ କରଣ କପିଳ ମହାନ୍ତିଙ୍କ ପୁଅ ଅନନ୍ତ ଶିଶୁଅନନ୍ତ ହେବା ପଛରେ ବି କେତେକ ରୋଚକ କାହାଣୀ ରହିଛି। ଏକଦା ପୁରାଣ ପଣ୍ଡା ଜଗନ୍ନାଥ ଦାସଙ୍କ ବିରୋଧରେ ରାଜାଙ୍କ ପାଖରେ ଅଭିଯୋଗ ହେଲା ଯେ, ସିଏ ପୁରାଣ ଶୁଣାଇବା ନାଁରେ ନାରୀମାନଙ୍କ ପ୍ରତି ଅଶାଳୀନ ଆଚରଣ ପ୍ରଦର୍ଶନ କରୁଛନ୍ତି। ରାଜାଙ୍କ ଡାକରାରେ ରାଜସଭାରେ ଉପସ୍ଥିତ ହେଲେ ଜଗନ୍ନାଥ ଦାସ। ଭରା ରାଜସଭାରେ ନିଜେ ଜଣେ ନାରୀ ବୋଲି ଘୋଷଣା କଲେ। ଏଥିପାଇଁ ଉପସ୍ଥିତ ପଣ୍ଡିତମାନେ ବିଦ୍ରୂପକଲେ। ନିଜେ ରାଜା ପରୀକ୍ଷା କରି ଦେଖିଲେ ତାଙ୍କ ସ୍ତନରୁ ଅବିଶ୍ରାନ୍ତ କ୍ଷୀର ସ୍ରବୁଥିଲା। ଏହାଦେଖି ସମସ୍ତେ ସ୍ତବ୍ଧ ହୋଇଗଲେ। ଜଗନ୍ନାଥ ଦାସ ରାଜାଙ୍କୁ ସତର୍କ କରାଇଦେଲେ ଯେ, ଯଦି କୌଣସି ଶିଶୁ ମନୋଭାବାପନ୍ନ ବ୍ୟକ୍ତି ଅବିଳମ୍ବେ ଆସି ତାଙ୍କଠାରୁ ସ୍ତନ୍ୟପାନ ନ କରନ୍ତି ବା ସେ ଦୁଗ୍ଧ ଭୂପତିତ ହୁଏ, ତେବେ ରାଜା ଓ ଦେଶର ଅଶେଷ କ୍ଷତି ଘଟିବ। କିଂକର୍ତ୍ତବ୍ୟବିମୂଢ଼ ରାଜା ବ୍ରାହ୍ମଣ ପଣ୍ଡିତଙ୍କ ଆଡ଼କୁ ଦୃଷ୍ଟିପକାନ୍ତେ ସେମାନେ ଅସହାୟଭାବେ ମସ୍ତକ ଅବନତ କରି ନୀରବ ରହିଲେ। ଏତିକିବେଳେ ଅନନ୍ତ ନାମକ ବ୍ୟକ୍ତି ପହଞ୍ଚତ୍ ବିକାରଶୂନ୍ୟ ଶିଶୁ ଭାବେ ସ୍ତନ୍ୟପାନ କରିଥିଲେ। ସେହିଦିନଠାରୁ ଶିଶୁଅନନ୍ତ ଭାବେ ପରିଚିତ ହେଲେ।
ଏହା ବ୍ୟତୀତ ଶିଶୁଅନନ୍ତଙ୍କ ଜନ୍ମସ୍ଥାନ ବାଲିପାଟଣାରେ ଶ୍ରୀମନ୍ଦିରରୁ ଶ୍ରୀମୂର୍ତ୍ତିଦେବ ଆସି ଗଜପତି ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା ଓ ନବକଳେବର ସମୟରେ ଦାରୁର ଅବଶିଷ୍ଟାଂଶରେ ରାଜାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏଠାରେ ମୂର୍ତ୍ତି ନିର୍ମାଣ କଥା ଏକ ଐତିହାସିକ ବିତର୍କ ନିଶ୍ଚୟ। ଜନଶ୍ରୁତିରୁ ଜଣାଯାଏ ଯେ, ପଞ୍ଚସଖାଙ୍କ ମଧ୍ୟରୁ ପ୍ରତ୍ୟେକେ ନିଜ ନିଜର ଅସାଧାରଣ ଆଧ୍ୟାତ୍ମିକ ପ୍ରଭାବରେ ବର୍ଷର ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଦିବସରେ ଜଗନ୍ନାଥଙ୍କଠାରୁ ମହାପ୍ରସାଦ ଅଧିକାର ପାଇଥିଲେ। ବର୍ତ୍ତମାନ ସେଇ ସ୍ମୃତିକୁ ପାଥେୟ କରି ମାର୍ଗଶିର ଶୁକ୍ଳ ଚତୁର୍ଦ୍ଦଶୀରେ ବାଲିପାଟଣା ଶିଶୁମଠ ଗାଦିରେ ଶିଶୁଅନନ୍ତ ସ୍ମୃତି ସଂସଦ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୃଷ୍ଠପୋଷକତାରେ ଏହି ଜନ୍ମତିଥି ପ୍ରତିବର୍ଷ ପାଳନ କରାଯାଉଛି। ମାତ୍ର ଦୁଃଖର ବିଷୟ, ଏ ପର୍ଯ୍ୟନ୍ତ ଶିଶୁଅନନ୍ତ ଦାସଙ୍କ ସାଧନା ଓ ସାହିତ୍ୟର ପ୍ରଚାର ପ୍ରସାର ତଥାପି ହୋଇ ପାରିନାହିଁ। ଏଥିପାଇଁ ଗବେଷଣା ଲକ୍ଷ୍ୟରେ ସ୍ବତନ୍ତ୍ର ବ୍ୟବସ୍ଥା ଓ ପ୍ରୋତ୍ସାହନ ଯୋଗାଇ ଦିଆଗଲେ ଅନେକ ଅନୁଦ୍‌ଘାଟିତ ରହସ୍ୟ ଓ ଅନୁତ୍ତରିତ ପ୍ରଶ୍ନର ଉତ୍ତର ମିଳିପାରନ୍ତା।
ସରାଟଶାସନ, ବାଲିପାଟଣା, ଖୋର୍ଦ୍ଧା
ମୋ: ୮୯୧୭୬୨୪୩୮୬


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri