ଶିକ୍ଷିତ ଓ ଶିକ୍ଷାପ୍ରାପ୍ତ

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ସାବିଦ୍ୟା ଯା ବିମୁକ୍ତୟେ…ବିଦ୍ୟାନ୍ୟାଶିଳ୍ପ ନୈପୁଣଂ (ବିଷ୍ଣୁ ପୁରାଣ) ଅର୍ଥାତ୍‌ ଯାହା ଅବିଦ୍ୟା ବା ଅଜ୍ଞାନରୁ ମୁକ୍ତିଦିଏ ତାହା ହିଁ ପ୍ରକୃତ ବିଦ୍ୟା ଓ ଅନ୍ୟ ବିଦ୍ୟା ସବୁ କଳା କୌଶଳ ମାତ୍ର। ବୈଦିକ ଯୁଗରେ ବିଦ୍ୟାକୁ ଦୁଇ ଭାଗରେ ବିଭକ୍ତ କରାଯାଉଥିଲା। ମୁଣ୍ଡକ ଉପନିଷଦରେ ଶୌନକ ଋଷି ଅଙ୍ଗିରାଙ୍କଠାରୁ ଏହି ବିଦ୍ୟା ସମ୍ପର୍କରେ ଜାଣିବାକୁ ଚାହାନ୍ତେ ଅଙ୍ଗିରା କହିଲେ ”ଋକ୍‌ବେଦ, ଯଜୁର୍ବେଦ, ସାମ୍‌ବେଦ, ଅଥର୍ବ ବେଦ, ଶିକ୍ଷା, କଳ୍ପ ବ୍ୟାକରଣ, ଛନ୍ଦ ଓ ଜ୍ୟୋତିଷ- ଏସବୁ ଅପରାବିଦ୍ୟା; ଯଦ୍ଦ୍ବାରା ଅକ୍ଷର ବ୍ରହ୍ମଙ୍କୁ ପ୍ରାପ୍ତ କରିହୁଏ ତାହା ହେଲା ପରାବିଦ୍ୟା।“ ଏହି ପରାବିଦ୍ୟା ହେଉଛି ଉପଲବ୍ଧ ବିଦ୍ୟା। ତାହା ଚେତନାରେ ଏକ ସ୍ପନ୍ଦନ ଭାବରେ କେବଳ ବିଦ୍ୟାର୍ଥୀ ହିଁ ଅନୁଭବ କରିପାରେ। ଏହି ବିଦ୍ୟାରେ ଅଭିବ୍ୟକ୍ତିର ଆବଶ୍ୟକତା ନ ଥାଏ। ଅପରପକ୍ଷରେ ଅପରାବିଦ୍ୟା ହେଉଛି ଆହରିତ ବା ଅର୍ଜିତ ବିଦ୍ୟା ଏବଂ ପ୍ରାରମ୍ଭରେ ଏହା ସ୍ମୃତିରେ ଲିପିବଦ୍ଧ ହେଉଥିଲା। ବିଦ୍ୟା ଶିଷ୍ୟାନୁଶିଷ୍ୟ କ୍ରମେ ଶ୍ରୁତି ପରମ୍ପରାରେ ପ୍ରସାରିତ ହେଉଥିଲା ବୋଲି ବେଦର ଅନ୍ୟନାମ ଶ୍ରୁତି। ଅନେକ ଶତାବ୍ଦୀ ପରେ ତାହା ତାଳପତ୍ର ବା ଭୁର୍ଜପତ୍ରରେ ପାଠ୍ୟରୂପେ ଲିପିବଦ୍ଧ ହେଲା। ସଂପ୍ରତି ଯେଉଁସବୁ ବିଦ୍ୟା ଅନୁଷ୍ଠାନମାନଙ୍କରେ ଶିକ୍ଷା ଦିଆଯାଉଛି ସେସବୁ ଅପରାବିଦ୍ୟାର ଅନ୍ତର୍ଗତ। ପୁନଶ୍ଚ ଏହି ଅପରାବିଦ୍ୟା ଯେଉଁ ଲକ୍ଷ୍ୟ ନେଇ ଓ ଯେଉଁ ପଦ୍ଧତିରେ ଅତୀତରେ ଶିକ୍ଷା ଦିଆଯାଉଥିଲା ଆଜି ଆମେ ତା’ଠୁ ବହୁଦୂରରେ। ସେତେବେଳେ ବିଦ୍ୟାର୍ଜନ ସହ ସାକ୍ଷରତା ଅନିବାର୍ଯ୍ୟ ନ ଥିଲା। ରାଜା ଅମରଶକ୍ତି ପଣ୍ଡିତ ବିଷ୍ଣୁଶର୍ମାଙ୍କୁ ତାଙ୍କ ତିନି ଗଣ୍ଡ ମୂର୍ଖ ପୁଅକୁ ଶିକ୍ଷିତ କରିବା ଦାୟିତ୍ୱ ନ୍ୟସ୍ତ କରନ୍ତେ ବିଷ୍ଣୁଶର୍ମା ଗୋଟିଏ ଗଛମୂଳେ ସେମାନଙ୍କୁ ବସାଇ କେବଳ ବହୁବିଧ କାହାଣୀ କହିଥିଲେ। ସେହି କାହାଣୀଗୁଡ଼ିକରେ ଥିଲା ମନସ୍ତତ୍ତ୍ୱ, ରାଜନୀତି, କୂଟନୀତି ଆଚରଣବିଧି ଇତ୍ୟାଦି ଅନେକ ତତ୍ତ୍ୱ। ବିଷ୍ଣୁଶର୍ମା ବିଦ୍ୟାଦାନ ସମୟରେ ସିଲଟ ଖଡ଼ି ବ୍ୟବହାର କରିଥିବା ଓ ଅକ୍ଷର ଶିକ୍ଷା କରାଇଥିବାର କୌଣସି ସୂଚନା ପଞ୍ଚତନ୍ତ୍ରରେ ନାହିଁ।
ଏବେ ବିଦ୍ୟା କହିଲେ ବୁଝାଉଛି ନିରକ୍ଷରତାରୁ ମୁକ୍ତି ଅର୍ଥାତ୍‌ ଲେଖିପଢ଼ି ପାରିବା, ପ୍ରତିଯୋଗିତାରେ ସାଫଲ୍ୟ ଓ ସମୃଦ୍ଧି ନିମନ୍ତେ କୌଣସି ଏକ କ୍ଷେତ୍ରରେ ତାଲିମ ପ୍ରାପ୍ତି। ଯେତେ ଅଭିଜ୍ଞତା ବା ଉପଲବ୍ଧିସିଦ୍ଧ ହୋଇଥିଲେ ମଧ୍ୟ ଲେଖି ପଢ଼ି ପାରୁ ନ ଥିଲେ ତାକୁ ଶିକ୍ଷିତ ପର୍ଯ୍ୟାୟରେ ଗ୍ରହଣ କରାଯାଉନାହିଁ। ଶିକ୍ଷିତ ପର୍ଯ୍ୟାୟଭୁକ୍ତ ହେବାପାଇଁ ଆନୁଷ୍ଠାନିକ ପ୍ରମାଣପତ୍ରକୁ ଅନିବାର୍ଯ୍ୟ ଆବଶ୍ୟକତା ଭାବରେ ଗ୍ରହଣ କରାଯାଉଛି। ପ୍ରତିଯୋଗିତାମୁଖୀ ବିଦ୍ୟାର ସାଫଲ୍ୟ ତଥାକଥିତ ଶିକ୍ଷିତମାନଙ୍କ ମନରେ ଅହଂକାର ସୃଷ୍ଟି କରୁଛି। ସେମାନଙ୍କ ମଧ୍ୟରେ ଅନେକ ନୀତିଭ୍ରଷ୍ଟ ହୋଇ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ହେଉଛନ୍ତି। ଏଣୁ ଏମାନେ ଶିକ୍ଷିତ ପଦବାଚ୍ୟ ନୁହନ୍ତି, ଶିକ୍ଷାପ୍ରାପ୍ତ ମାତ୍ର। ପ୍ରାପ୍ତ ଶିକ୍ଷାକୁ ଯିଏ ଜୀବନରେ ଉପଯୋଗ କରେ ନାହିଁ ସେ ଶିକ୍ଷିତ ନୁହେଁ। ମଣିଷ ବିଳାସ ବ୍ୟସନ ପାଇଁ ଉଦ୍ଦିଷ୍ଟ ପ୍ରାଣୀଟିଏ ନୁହେଁ। ତା’ ଚେତନାରେ ଅଛି ବିପୁଳ ଐଶ୍ୱର୍ଯ୍ୟ ଓ ତା’ର ସନ୍ଧାନ ଶକ୍ତି। ସେହି ଐଶ୍ୱର୍ଯ୍ୟକୁ ସନ୍ଧାନ କରି ତାକୁ ଜୀବନରେ ଉପଯୋଗ କରିବା ହେଉଛି ବିଦ୍ୟାର ଆଭିମୁଖ୍ୟ। ମାତ୍ର ଦୁର୍ଭାଗ୍ୟର ବିଷୟ ଯେ ଆଜି ମଣିଷ ସ୍ଥୂଳ ଉପଯୋଗିତାବାଦ ବ୍ୟାଧି ଦ୍ୱାରା ଆକ୍ରାନ୍ତ। ଦରକାରୀ ହୋଇ ନ ଥିଲେ କୌଣସି କଥାର ମୂଲ୍ୟ ନାହିଁ। ପୁନଶ୍ଚ ଯାହା ଅର୍ଥ ଆକର୍ଷଣ କରିପାରିବ ବା ଉପୁଜାଇ ପାରିବ ତାହା ହିଁ ଦରକାରୀ ବୋଲି ଚିନ୍ତା କରାଯାଉଛି। ଏହି ବ୍ୟାଧିରୁ ଆଜି ଛାତ୍ରୀଛାତ୍ରମାନେ ମଧ୍ୟ ମୁକ୍ତ ନୁହନ୍ତି। ସେମାନେ ସେହିଭଳି ଶିକ୍ଷା ଚାହୁଛନ୍ତି, ଯାହାଦ୍ୱାରା ସେମାନେ ବିପୁଳ ଅର୍ଥ ରୋଜଗାର କରି ସୁଖୀ ହେବେ। ମାତ୍ର ଏତଦ୍ୱାରା ବିଦ୍ୟାର୍ଜନ ଲକ୍ଷ୍ୟଚ୍ୟୁତ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ଶ୍ରୀମା’ଙ୍କ ମତରେ ଶିକ୍ଷାର ଲକ୍ଷ୍ୟ ହେଉଛି ପ୍ରକୃତି ତଥା ଜୀବନର ଗୋପନ ରହସ୍ୟ ବୁଝିବା, ଚେତନାର ଅଭିବୃଦ୍ଧି ଘଟାଇବା, ଶୃଙ୍ଖଳିତ ହେବା ଓ ନିଜ ଭିତରେ ଥିବା ଦୁର୍ବଳତା, ଅକ୍ଷମତା ଓ ଅଜ୍ଞାନ ଅତିକ୍ରମ କରିବା ନିମନ୍ତେ ଏକ ମହତ୍ତର ସତ୍ୟ ସକାଶେ ପ୍ରସ୍ତୁତ ହେବା। ଶିକ୍ଷାରେ ଆଜି ଏହି ଆଭିମୁଖ୍ୟ ନାହିଁ।
ଅକ୍ଷର ଲେଖିପଢ଼ି ପାରିଲେ ଓ ପରୀକ୍ଷାରେ ପାସ୍‌ କରି ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ହାସଲ କରିପାରିଲେ ଜଣେ ଶିକ୍ଷିତ ହୁଏ ନାହିଁ। ଅଭିଜ୍ଞତା ହେଉଛି ଶିକ୍ଷାର ପ୍ରାଣକେନ୍ଦ୍ର। ଶିକ୍ଷା ହେଉଛି ଏକ ମାର୍ଜନ ପ୍ରକ୍ରିୟା। ଏହା ମଣିଷକୁ ମାର୍ଜିତ ଓ ସଂସ୍କୃତିସମ୍ପନ୍ନ କରେ। ଶିକ୍ଷାଲବ୍ଧ ଜ୍ଞାନକୁ ଜୀବନରେ ପ୍ରୟୋଗ କରି ମଣିଷ ନିଜକୁ ସଭ୍ୟ ବୋଲାଏ। ଏଥିରେ ବିବେକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଥରେ ଜଣେ ଜିଜ୍ଞାସୁ ରାମକୃଷ୍ଣ ପରମହଂସକୁ ପଚାରିଲା, ”ଜ୍ଞାନ ଓ ବିଜ୍ଞାନ ମଧ୍ୟରେ ପାର୍ଥକ୍ୟ କ’ଣ?“ ରାମକୃଷ୍ଣ ଉତ୍ତର ଦେଲେ ”କାଠ ଭିତରେ ଅଗ୍ନି ପ୍ରଚ୍ଛନ୍ନ ଭାବରେ ଅଛି ବୋଲି ଜାଣିବା ହେଉଛି ଜ୍ଞାନ। ସେ ଜ୍ଞାନକୁ ପ୍ରୟୋଗ କରି ନିଆଁଦ୍ୱାରା ରୋଷେଇ କରିବା ହେଉଛି ବିଜ୍ଞାନ। ମାତ୍ର ବିଜ୍ଞାନ ସଙ୍ଗେ ଆବଶ୍ୟକ ବିବେକ, କାରଣ ବିବେକ ନ ହେଲେ ମଣିଷ ନିଆଁକୁ ରୋଷେଇରେ ବ୍ୟବହାର ନ କରି ଅନ୍ୟ କାହାରି ସର୍ବନାଶ ପାଇଁ ଉପଯୋଗ କରିପାରେ।“ ପରମାଣୁ ବୋମାଦ୍ୱାରା ହିରୋସୀମା ନାଗାସାକି ସହରର ଧ୍ୱଂସ ସାଧନ ଏହାର ଏକ ଜ୍ୱଳନ୍ତ ଉଦାହରଣ।
ସାକ୍ଷରତା ବିଦ୍ୟାର୍ଜନରେ ସାହାଯ୍ୟ କରିପାରେ। ଏହା ଠିକ୍‌, ମାତ୍ର ବିଦ୍ୟାର୍ଜନ ବା ଶିକ୍ଷା ସର୍ବଦା ସାକ୍ଷରତା ଉପରେ ନିର୍ଭର କରେ ନାହିଁ। ସାଂପ୍ରତିକ ମାନଦଣ୍ଡରେ ରାମକୃଷ୍ଣ, ସକ୍ରେଟିସ୍‌ ଆଦିଙ୍କୁ ଶିକ୍ଷିତ କୁହାଯାଇପାରିବ ନାହିଁ, କାରଣ ରାମକୃଷ୍ଣ ବହୁତ କଷ୍ଟରେ ତାଙ୍କ ଦସ୍ତଖତ କରୁଥିଲେ ରାମକେଷ୍ଟ। ଗ୍ରୀକ୍‌ ମନୀଷୀ ସକ୍ରେଟିସ୍‌ କେବେ କଲମ ଧରି ନ ଥିଲେ। ସେ ଥିଲେ ଜଣେ ପଥର ମିସ୍ତ୍ରି। ଠିକ୍‌ ସେପରି ଭାଗବତରେ ବର୍ଣ୍ଣିତ ଅବଧୂତ ଚବିଶ ଗୁରୁଙ୍କଠାରୁ ଶିକ୍ଷା ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ କେବଳ ମଣିଷ ନ ଥିଲେ, ଅନେକ ଥିଲେ କୀଟପତଙ୍ଗ, ପଶୁ ଓ ପକ୍ଷୀ। ସେମାନଙ୍କ ଜୀବନ ଶୈଳୀକୁ ପର୍ଯ୍ୟବେକ୍ଷଣ କରି ଅବଧୂତ ଅନେକ ଶିକ୍ଷା ଲାଭ କରିଥିଲେ। ଏହି ବିଦ୍ୟାର୍ଜନରେ ଲେଖାପଢ଼ାର କିଛି ଭୂମିକା ନ ଥିଲା। ତଥାପି ସେ ହେଲେ ପ୍ରଚଣ୍ଡ ଜ୍ଞାନୀ ଓ ଦର୍ଶନତତ୍ତ୍ୱବିତ୍‌। ଏଣୁ କେବଳ ଆନୁଷ୍ଠାନିକ ଶିକ୍ଷା ବା ପୁସ୍ତକ ଅଧ୍ୟୟନ ମଣିଷକୁ ଶିକ୍ଷିତ କରେ ନାହିଁ। ପ୍ରକୃତି ତଥା ଜୀବନ ପର୍ଯ୍ୟବେକ୍ଷଣ, ଅଭିଜ୍ଞତା ଓ ଉପଲବ୍ଧି ହିଁ ମଣିଷକୁ ଶିକ୍ଷିତ କରେ। ଯେଉଁମାନଙ୍କ ଏସବୁ ନାହିଁ ସେମାନେ ଯେତେବଡ଼ ଡିଗ୍ରୀ ବା ଡିପ୍ଲୋମାର ଅଧିକାରୀ ହୋଇଥିଲେ ମଧ୍ୟ ସେମାନେ ଶିକ୍ଷିତ ପଦବାଚ୍ୟ ନୁହନ୍ତି। ସେମାନଙ୍କୁ କୁହାଯାଇପାରେ ସାକ୍ଷର ବା ଅତିବେଶି ହେଲେ ‘ଶିକ୍ଷାପ୍ରାପ୍ତ’। ସାଂପ୍ରତିକ ସମୟରେ ଶିକ୍ଷିତ ଅପେକ୍ଷା ଶିକ୍ଷାପ୍ରାପ୍ତମାନଙ୍କ ସଂଖ୍ୟା ଅଧିକ।
ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ, ଟିଟିଲାଗଡ଼
ମୋ: ୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?